ଦାଦାର ଜୀବନ ନେଲା ପୁତୁରା

youtube

ଉତ୍ତର ପ୍ରଦେଶ: ବାପ ସମାନ ଦାଦାର ଜୀବନ ନେଲା ପୁତୁରା । ଭୁଲିଗଲା ରକ୍ତ ସମ୍ପର୍କ । ମନ୍ଦିରକୁ ନେବ କହି ରାସ୍ତାରେ ହିଁ ଦାଦାର ଜୀବନ ନେଲା । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶ କୌଶାମ୍ବୀ ଜିଲ୍ଲାରେ । ସନ୍ଦେହ ଘେରରେ ଥିଲା ହତ୍ୟା ମାମଲା । ପୋଲିସର ଜୋରଦାର ଛାନଭିନ୍ ପରେ ସବୁ ସତ ପଦାକୁ ଆସିଲା । ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରିବା ପରେ ହତ୍ୟା ଷଡ଼ଯନ୍ତ୍ର ସ୍ୱୀକାର କରିଥିଲା ପୁତୁରା।

କରାରୀ ଥାନା ଅଞ୍ଚଳ ଅନ୍ତର୍ଗତ କଟରା ଗାଁରେ ଏହି ଘଟଣା ଘଟିଛି । ରକସ୍ୱରା ଗାଁର ବାସିନ୍ଦା ୫୦ ବର୍ଷୀୟ ଛୋଟେ ଲାଲ ରାସନ ଡିଲର ଭାବେ କାମ କରି ପରିବାର ଚଳାଉଥିଲେ।  ଦୀପାବଳି ଦିନ ସେ ନିଜ ୨୬ ବର୍ଷିୟ ପୁତୁରା ରାହୁଲ ଗୁପ୍ତାକୁ ଧରି ସକାଳେ ମନ୍ଦିର ବୁଲିବାକୁ ଯାଇଥିଲେ । ସେଠାରେ ଦୀପ ଜାଳି ଘରକୁ ଫେରିଥାନ୍ତେ । କିନ୍ତୁ ସେମାନେ ସୌନ୍ଧିଆ ସେତୁ ପାଖରେ ପହଞ୍ଚିବା କ୍ଷଣି ଅଭିଯୁକ୍ତ ପୁତୁରା ନିଜ ଦାଦାକୁ ଆକ୍ରମଣ କରିଥିଲା । ଆକ୍ରମଣରେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ ଛୋଟେ ଲାଲ । ଏପଟେ ରାହୁଲ ଘଟଣାସ୍ଥଳରୁ ଖସି ଆସି ଘରେ ଅଭିନୟ କରିଥିଲା ।

ପୋଲିସ ସୂଚନା ଅନୁସାରେ ଅକ୍ଟୋବର ୪ ତାରିଖରେ ଉଭୟ ଦାଦା ପୁତୁରାଙ୍କ ମଧ୍ୟରେ ବଚସା ହୋଇଥିଲା । ବିଲରେ ଟ୍ରାକ୍ଟର ଚଲାଇବା ସମୟରେ ଏକ ଭଙ୍ଗା ବନ୍ଧକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା । ଏହି ଶତ୍ରୁତା ଯୋଗୁଁ ପୁତୁରା ରାହୁଲ ନିଜ ଦାଦାକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲା । ଆଉ ଦୀପାବଳିରେ ମନ୍ଦିର ଯିବା ବାହାନାରେ ଦାଦାକୁ ଘରୁ ବାହାରକୁ ଡାକି ନେଇଥିଲା ପୁତୁରା । ପରେ ରଚିଥିଲା ଏଭଳି ହତ୍ୟାକାଣ୍ଡ । ଘଟଣା ବିଷୟରେ ଖବର ପାଇ ଏସପି ରାଜେଶ କୁମାର, ଏଏସପି ରାଜେଶ ସିଂହ, ଡିଏସପି ଶିବାଙ୍କ ସିଂହ ଏବଂ ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଏସପିଙ୍କ ନିର୍ଦ୍ଦେଶରେ ଗଠିତ ଦଳ ପ୍ରାୟ ୬ ଘଣ୍ଟା ମଧ୍ୟରେ ତଦନ୍ତ କରି ଅଭିଯୁକ୍ତ ପୁତୁରା ରାହୁଲକୁ ଗିରଫ କରିଥିଲା ।

ଡିଏସପି ସଦର ଶିବାଙ୍କ ସିଂହ କହିଛନ୍ତି ଯେ ପଚରାଉଚରା ସମୟରେ ଅଭିଯୁକ୍ତ ଅପରାଧ ସ୍ୱୀକାର କରିଛି । ଅଭିଯୁକ୍ତ ନିଜ ଦୋଷକୁ ସ୍ବୀକାର କରିବା ସହ ଅକ୍ଟୋବର ୪ ତାରିଖରେ ହୋଇଥିବା ବିବାଦ ବିଷୟରେ ପୋଲିସକୁ କହିଥିଲା । ବଚସାକୁ କେନ୍ଦ୍ର କରି ହତ୍ୟା ପ୍ଲାନ୍ କରିଥିଲା ରାହୁଲ । ଯାହା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ଜେଲ ପଠାଇଛି ।

Leave A Reply

Your email address will not be published.