
ବ୍ରହ୍ମପୁର : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗିରଫ ପ୍ରତିବାଦରେ ଆଜି ରାଜରାସ୍ତାକୁ ଓହ୍ଲାଇଛି ବିଜେଡ଼ି । ବିଜେଡ଼ି ପକ୍ଷରୁ ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନରୁ ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରା ବାହାରିଥିଲା । ଏହି ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ଗାନ୍ଧୀ ନଗର ଛକରେ ପହଞ୍ଚିଥିଲା । ଗାନ୍ଧୀ ନଗର ଛକରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା । ବିକ୍ରମ ପଣ୍ଡାଙ୍କୁ ରାଜନୈତିକ ଷଡ଼ଯନ୍ତ୍ର କରି ଫସେଇ ଦିଆଯାଇଛି । ବିକ୍ରମଙ୍କ ବିରୁଦ୍ଧରେ ପୋଲିସ ପାଖରେ କୌଣସି ପ୍ରମାଣ ନାହିଁ । ବିନା କାରଣରୁ ଜଣେ ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତିଙ୍କୁ ବିଳମ୍ବିତ ରାତିରେ ଘରୁ ଉଠାଇ ନେବା ପରେ ତାଙ୍କୁ ଗିରଫ କରାଯାଇଛି ବୋଲି ବିଜେଡି କହିଛି। ଜଣେ ପୂର୍ବତନ ବିଧାୟକଙ୍କୁ ଏଭଳି ଉଠାଇ ନେଇ ଗିରଫ କରିବା ଆଦୌ ଯୁକ୍ତିଯୁକ୍ତ ନୁହେଁ । ନୂଆପଡ଼ା ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଉଦ୍ଦେଶ୍ୟମୂଳକ ଭାବେ ବିକ୍ରମ ପଣ୍ଡାଙ୍କୁ ଗିରଫ କରିଛି । ପୀତବାସ ପଣ୍ଡା ହତ୍ୟା ଘଟଣାରେ ବିକ୍ରମ ପଣ୍ଡାଙ୍କ ସମ୍ପୃକ୍ତିକୁ ନେଇ ବ୍ରହ୍ମପୁର ଏସପି ଯେଉଁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ତାହାର ତାଳମେଳ କିଛି ରହୁନାହିଁ । ମିଥ୍ୟା ହତ୍ୟା ମାମଲା ରୁଜୁ କରି ବିକ୍ରମଙ୍କୁ ଫସାଇ ଦିଆଯାଇଛି । ତେଣୁ ଏହି ହତ୍ୟା ଘଟଣାର ହାଇକୋର୍ଟ ଜର୍ଜଙ୍କ ଦ୍ବାରା ବିଚାରବିଭାଗୀୟ ତଦନ୍ତ କରାଯାଉ ବୋଲି ଦାବି କରିଛି ବିଜେଡ଼ି । ଏହି ଅବସରରେ ବିଜେଡ଼ିର ବହୁ ବରିଷ୍ଠ ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ନେତା ଓ କର୍ମୀ ମାନେ ସାମିଲ ହୋଇଥିଲେ ।
