ନିରାପଦ ଡଙ୍ଗା, ପ୍ରକଳ୍ପ ତିଆରି କରି ଚର୍ଚ୍ଚାରେ ସ୍ୱାଭିମାନ ଅଞ୍ଚଳ ଝିଅ ଲଳିତା

youtube

ମାଲକାନଗିରି : ବନ୍ୟା ଓ ବାତ୍ୟା ପ୍ରବଣ ଅଞ୍ଚଳ ଭାବେ ପରିଚିତ ମାଲକାନଗିରି ଜିଲ୍ଲା ପ୍ରତିବର୍ଷ ବନ୍ୟାର ଶିକାର ହୋଇଥାଏ। ନିକଟରେ ଡଙ୍ଗା ବୁଡ଼ି ଅନେକ ଧନଜୀବନ ନଷ୍ଟ ହୋଇଥିବା ଖବର ପ୍ରକାଶ ପାଇଥିବା ବେଳେ ଏହାକୁ ଲକ୍ଷ୍ୟ କରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ସରକାରୀ UGHS RSC-06 ସ୍କୁଲର ନବମ ଶ୍ରେଣୀ ଛାତ୍ରୀ କୁମାରୀ ଲଳିତା ଖିଲ ଏକ ଅଭିନବ ‘ନିରାପଦ ଡଙ୍ଗା’ ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି। ଏହି ପ୍ରକଳ୍ପ ମାଲକାନଗିରି ଜିଲ୍ଲା ପାଇଁ ଗୌରବ ଆଣିଦେଇଛି।

ଲଳିତାଙ୍କ ଏହି ପ୍ରକଳ୍ପରେ ସାଧାରଣ ଡଙ୍ଗାର ଭିତର ଅଂଶରେ ବାୟୁ ପୂର୍ଣ୍ଣ ଥଳି ରଖାଯାଇଛି। ଡଙ୍ଗା ବୁଡ଼ି ସମୟରେ ଲୋକେ ଜୀବନ ବଞ୍ଚାଇବା ପାଇଁ ଡଙ୍ଗାର ଗୋଟିଏ ପାର୍ଶ୍ୱକୁ ଚାଲି ଆସିବା ଯୋଗୁଁ ଡଙ୍ଗା ଓଲଟି ପଡ଼ିବାର ସମ୍ଭାବନା ଥାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ଲଳିତା ‘ବାଲାନ୍ସ ଟ୍ୟୁବ୍’ ନାମକ ଏକ ବ୍ୟବସ୍ଥା ଡଙ୍ଗାରେ ଲଗାଇଛନ୍ତି, ଯାହା ପାସ୍କାଲଙ୍କ ନିୟମ ଅନୁଯାୟୀ ତିଆରି କରାଯାଇଛି।

ପାସ୍କାଲଙ୍କ ନିୟମ (P=F/A) ଅନୁଯାୟୀ, କ୍ଷେତ୍ରଫଳ ବଢ଼ିଲେ ଚାପ କମିଥାଏ। ଏହି ସିଦ୍ଧାନ୍ତକୁ ପ୍ରୟୋଗ କରି ଲଳିତା ଡଙ୍ଗାର କ୍ଷେତ୍ରଫଳକୁ ଏପରି ବଢ଼ାଇଛନ୍ତି ଯେ, ଚାପ ଗୋଟିଏ ପଟରେ ନ ପଡ଼ି ସବୁ ଦିଗରେ ସମାନ ଭାବେ ବିତରିତ ହେବ, ଫଳରେ ଡଙ୍ଗା ଓଲଟିବ ନାହିଁ।

ଏହା ବ୍ୟତୀତ, ଡଙ୍ଗାରେ ଅଧିକ ଲୋକ ହୋଇଗଲେ ଏହା ସାଇରନ ଦେଇ ସତର୍କ କରାଇଦେବ: “ଆଉ ଅଧିକ ଲୋକ ହେଲେ ବିପଦ!” ଏହା ଦ୍ୱାରା ଲୋକମାନେ ସଚେତନ ହୋଇଯିବେ ଏବଂ ଅଧିକ ଲୋକ ଚଢ଼ିବାକୁ ଚେଷ୍ଟା କରିବେ ନାହିଁ।

ଯଦି ସାଇରନକୁ ଅମାନ୍ୟ କରି କିଛି ଲୋକ ଚଢ଼ି ଆସନ୍ତି ଏବଂ ଡଙ୍ଗା ଉପରେ ଚାପ ପଡ଼େ, ତେବେ ଡଙ୍ଗାର ତଳେ ଥିବା ବାୟୁ ପୂର୍ଣ୍ଣ ଥଳିର ବାୟୁ ଉପରେ ଥିବା ଟ୍ୟୁବ୍ କୁ ଚାଲିଆସିବ। ଏହି ବ୍ୟବସ୍ଥା ଡଙ୍ଗାକୁ ସମ୍ପୂର୍ଣ୍ଣ ବୁଡ଼ିବାରୁ ରକ୍ଷା କରିବ।

ଲଳିତାଙ୍କ ଏହି ‘ମେଡ୍ ଇନ୍ ଓଡ଼ିଶା Titanic 2.0’ ପ୍ରକଳ୍ପ ମାଲକାନଗିରିର ବନ୍ୟା ପ୍ରଭାବିତ ଅଞ୍ଚଳ ବା ‘ସ୍ୱାଭିମାନ ଅଞ୍ଚଳ’ର ଲୋକମାନଙ୍କ ପାଇଁ ଏକ ବଡ଼ ସାହାରା ହେବ। ଏହି ପ୍ରକଳ୍ପ ଦ୍ୱାରା ଲଳିତା କୋଲକାତା ଇଷ୍ଟ ରିଜିଅନରୁ ଚୟନ ହୋଇ ବର୍ତ୍ତମାନ ଭୋପାଳଠାରେ ହେବାକୁ ଥିବା ଜାତୀୟ ବିଜ୍ଞାନ ପ୍ରଦର୍ଶନୀରେ ନଭେମ୍ବର ୧୮, ୨୦୨୫ ରେ ଭାଗ ନେବେ, ଯାହାକି ସମଗ୍ର ଜିଲ୍ଲା ପାଇଁ ଏକ ଗୌରବର ବିଷୟ।

Leave A Reply

Your email address will not be published.