
ବ୍ରହ୍ମପୁର : ମହାରାଷ୍ଟ୍ରର ପୁଣେଠାରେ ଗତ ନଭେମ୍ବର ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ‘ଭାରତ ଆନ୍ତର୍ଜାତୀୟ ପର୍ଯ୍ୟଟନ ମେଳା’ (ଆଇଆଇଟିଏମ୍) ୨୦୨୬ରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ଜାତୀୟ ସ୍ତରରେ ଦୁଇଟି ସମ୍ମାନଜନକ ପୁରସ୍କାର ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛି। ଏହି ଆନ୍ତର୍ଜାତୀୟ ମଞ୍ଚରେ ଓଡ଼ିଶାକୁ ‘ଶ୍ରେଷ୍ଠ ଉପକୂଳ ପର୍ଯ୍ୟଟନସ୍ଥଳୀ’ (ବେଷ୍ଟ କୋଷ୍ଟାଲ ଡେଷ୍ଟିନେସନ୍) ଏବଂ ‘ଶ୍ରେଷ୍ଠ ବନ୍ୟପ୍ରାଣୀ ପର୍ଯ୍ୟଟନସ୍ଥଳୀ’ (ବେଷ୍ଟ ୱାଇଲ୍ଡଲାଇଫ୍ ଡେଷ୍ଟିନେସନ୍) ଭାବେ ସମ୍ମାନିତ କରାଯାଇଛି।
ତିନି ଦିନ ଧରି ଚାଲିଥିବା ଏହି ମେଳାରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଜନକ କୁମାର ତରେଇ ଏବଂ ଗଜପତି ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଏଚ୍. ସଂଗ୍ରାମ ଯୋଗଦେଇ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରର ସଫଳ ଉପସ୍ଥାପନା କରିବା ସହ ଆୟୋଜକଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ।
ଓଡ଼ିଶାର ସୁଦୀର୍ଘ ଓ ବିସ୍ତୃତ ବେଳାଭୂମି, ମନୋରମ ଉପକୂଳ, ଚିଲିକା ଭଳି ପ୍ରାକୃତିକ ହ୍ରଦ, ଘଞ୍ଚ ଜଙ୍ଗଲ, ଅଭୟାରଣ୍ୟ ଏବଂ ସମୃଦ୍ଧ ଜୈବ ବିବିଧତାକୁ ବିଶେଷ ସ୍ୱୀକୃତି ଦେଇ ରାଜ୍ୟକୁ ଏହି ଦୁଇଟି ବର୍ଗରେ ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଜାତୀୟ ସମ୍ମାନ ଉପକୂଳ, ବନ୍ୟପ୍ରାଣୀ ତଥା ପ୍ରକୃତିଭିତ୍ତିକ ପର୍ଯ୍ୟଟନ (ଇକୋ-ଟୁରିଜିମ୍) କ୍ଷେତ୍ରରେ ଓଡ଼ିଶାର ବଢ଼ୁଥିବା ଲୋକପ୍ରିୟତା ଓ ଗୁରୁତ୍ୱକୁ ପୁଣି ଥରେ ପ୍ରତିପାଦିତ କରିଛି।
ଏହି ଆନ୍ତର୍ଜାତୀୟ ପର୍ଯ୍ୟଟନ ମେଳାରେ ଓଡ଼ିଶାର ବିଭିନ୍ନ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ, ସମୃଦ୍ଧ କଳା, ଐତିହ୍ୟ, ସଂସ୍କୃତି ଓ ପ୍ରାକୃତିକ ସମ୍ପଦର ବ୍ୟାପକ ପ୍ରଚାର ପ୍ରସାର କରାଯାଇଥିଲା। ଏଥିସହ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରମୁଖ ପର୍ଯ୍ୟଟନ ସଂସ୍ଥା ଏବଂ ଟୁର୍ ଅପରେଟରମାନଙ୍କ ସହ ପ୍ରତ୍ୟକ୍ଷ ଯୋଗାଯୋଗ ଓ ବ୍ୟବସାୟିକ ସହଭାଗିତା ବୃଦ୍ଧି ପାଇଁ ବିଶେଷ ସୁଯୋଗ ସୃଷ୍ଟି ହୋଇଥିଲା। ଏହି ସଫଳତା ଓଡ଼ିଶାକୁ ଦେଶର ଏକ ପ୍ରମୁଖ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ପ୍ରତିଷ୍ଠିତ କରିବା ଦିଗରେ ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସକୁ ଆହୁରି ସୁଦୃଢ଼ ଓ ଉତ୍ସାହିତ କରିଛି।
