
ବିରମିତ୍ରପୁର (ନିସର୍ତ୍ତ ନ୍ୟୁଜ୍): ସୁନ୍ଦରଗଡ଼ ଜିଲ୍ଲାରେ ବଢ଼ିଚାଲିଥିବା ମୋଟରସାଇକେଲ ଚୋରି ଘଟଣା ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାଉରକେଲା ପୁଲିସ ସହରରେ ସକ୍ରିୟ ଥିବା ଏକ ବାଇକ୍ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି। ଏହି ମାମଲାରେ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ମୋଟ ୯ଟି ଚୋରି ମୋଟରସାଇକେଲ ଓ ସ୍କୁଟି ଉଦ୍ଧାର କରିବାରେ ସଫଳ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ରାଉରକେଲା ସହରର ବିଭିନ୍ନ ଅଞ୍ଚଳରୁ ବାରମ୍ବାର ଦୁଇଚକିଆ ଯାନ ଚୋରି ହେଉଥିବା ନେଇ ଥାନାରେ ଅଭିଯୋଗ ହୋଇଆସୁଥିଲା। ଏହାକୁ ଗୁରୁତର ସହ ନେଇ ପୁଲିସ ପକ୍ଷରୁ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରାଯାଇଥିଲା। ତଦନ୍ତ ସମୟରେ ପୁଲିସ ଏହି ଗ୍ୟାଙ୍ଗର ୩ ଜଣ ସଦସ୍ୟଙ୍କୁ କାବୁ କରିବା ସହ ପ୍ରାଥମିକ ପର୍ଯ୍ୟାୟରେ ସେମାନଙ୍କ କବଜାରୁ ୩ଟି ଚୋରି ମୋଟରସାଇକେଲ ଜବତ କରିଥିଲା।
ପରବର୍ତ୍ତୀ ସମୟରେ ଥାନାରେ ଅଭିଯୁକ୍ତମାନଙ୍କୁ ଘନଘନ ପଚରାଉଚରା କରାଯିବା ବେଳେ ସେମାନେ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ହୋଇଥିବା ଏକାଧିକ ମୋଟରସାଇକେଲ ଚୋରି ଘଟଣାରେ ନିଜର ସମ୍ପୃକ୍ତି ଥିବା ସ୍ୱୀକାର କରିଥିଲେ। ଅଭିଯୁକ୍ତମାନଙ୍କଠାରୁ ମିଳିଥିବା ସୂଚନା ଆଧାରରେ ପୁଲିସ ଟିମ୍ ସ୍ୱାଧୀନ ସାକ୍ଷୀମାନଙ୍କ ଉପସ୍ଥିତିରେ ମାଲଗୋଦାମ ନିକଟସ୍ଥ ଏକ ବୁଦାଘେରା ଗୁପ୍ତ ସ୍ଥାନରେ ଚଢ଼ଉ କରିଥିଲା। ସେଠାରେ ଲୁଚାଇ ରଖାଯାଇଥିବା ଆଉ ୬ଟି ଚୋରି ମୋଟରସାଇକେଲ ଓ ସ୍କୁଟିକୁ ପୁଲିସ ଉଦ୍ଧାର କରିଥିଲା। ଏହିପରି ଭାବେ ପୁଲିସ ମୋଟ ୯ଟି ଚୋରି ହୋଇଥିବା ଦୁଇଚକିଆ ଯାନ ଉଦ୍ଧାର କରିଛି।
ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ଗ୍ୟାଙ୍ଗରେ ଆଉ କେଉଁମାନେ ସାମିଲ ଅଛନ୍ତି ଏବଂ ଚୋରି ଗାଡ଼ିଗୁଡ଼ିକୁ କେଉଁଠାରେ ବିକ୍ରି କରାଯାଉଥିଲା, ସେନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ଯାନବାହନ ଚୋରି ରୋକିବା ଏବଂ ଅପରାଧୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବା ଦିଗରେ ରାଉରକେଲା ପୁଲିସର ଏହା ଏକ ଉଲ୍ଲେଖନୀୟ ସଫଳତା ବୋଲି ସାଧାରଣରେ ପ୍ରଶଂସା କରାଯାଉଛି।
