ବାଲିଯାତ୍ରାରେ ସମସ୍ତ ମନୋରଞ୍ଜନ ଦୋଳି ପାଇଁ ଲାଗୁ ହେଲା ନୂଆ ସୁରକ୍ଷା ନିୟମାବଳୀ

kalipuja

କଟକ: ବାଲିଯାତ୍ରା ତଳ ପଡ଼ିଆରେ ଗୁରୁବାର ରାତିରେ ରାମଦୋଳିରୁ ଖସି ଜଣେ ଯୁବକଙ୍କ ମୃତ୍ୟୁ ଏବଂ ଅନ୍ୟ ଜଣେ ଗୁରୁତର ହେବା ଘଟଣା ପରେ, କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ମନୋରଞ୍ଜନ ରାଇଡ୍ (ଦୋଳି) ପାଇଁ କଡ଼ା ସୁରକ୍ଷା ନିୟମାବଳୀ (SOP) ଲାଗୁ କରାଯାଇଛି। ନୂଆ ନିୟମ ଅନୁସାରେ ଛୋଟ ପିଲା, ଦିବ୍ୟାଙ୍ଗ ଏବଂ ମଦ୍ୟପାନ କରିଥିବା ବା ନିଶାସକ୍ତ ବ୍ୟକ୍ତିଙ୍କୁ ବଡ଼ ଦୋଳିରେ ଚଢ଼ିବାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।

ଦୋଳି ଚାଲୁଥିବା ସମୟରେ ମୋବାଇଲ୍ ଫୋନରେ ସେଲଫି ନେବା କିମ୍ବା ସୋସିଆଲ ମିଡିଆ ରିଲ୍ସ (Reels) ରେକର୍ଡିଂ କରିବା ଉପରେ ରୋକ ଲଗାଯାଇଛି। ପ୍ରତିଦିନ ଅପରାହ୍ନରେ ଦୋଳି ଚାଲିବା ପୂର୍ବରୁ ସ୍ୱତନ୍ତ୍ର ଟିମ୍ ଦ୍ୱାରା ଯାନ୍ତ୍ରିକ (Mechanical), ଅଗ୍ନି ନିରାପତ୍ତା (Fire), ଢାଞ୍ଚାଗତ ସ୍ଥିରତା (Structural) ଏବଂ ବିଦ୍ୟୁତ୍ ବ୍ୟବସ୍ଥାର (Electrical) ଯାଞ୍ଚ କରାଯାଇ ସାର୍ଟିଫିକେଟ୍ ପ୍ରଦାନ କରାଯିବ।

କୌଣସି ବି ଦୋଳିରେ ନିର୍ଦ୍ଧାରିତ କ୍ଷମତାଠାରୁ ଅଧିକ ଲୋକଙ୍କୁ ବସାଇବାକୁ ଅନୁମତି ଦିଆଯିବ ନାହିଁ। ଯାତ୍ରୀମାନଙ୍କ ସୁରକ୍ଷା ତଦାରଖ କରିବା ଏବଂ ଦୋଳିରେ ଚଢ଼ିବା ପୂର୍ବରୁ ସେମାନେ ସମସ୍ତ ନିୟମ ମାନୁଛନ୍ତି କି ନାହିଁ ତାହା ନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ରାଇଡ୍ ନିକଟରେ ଜଣେ ନିର୍ଦ୍ଦିଷ୍ଟ କର୍ମଚାରୀ ବା ନୋଡାଲ ଅଫିସର ରହିବେ। ଏଥିସହ ଭିଡ଼ ନିୟନ୍ତ୍ରଣ ଓ ନିୟମ ପାଳନ ପାଇଁ ଦୋଳି ଅଞ୍ଚଳରେ ପୋଲିସ ମୁତୟନ କରାଯାଇଛି। ଦୁର୍ଘଟଣା ପରେ ଶୁକ୍ରବାର ସକାଳୁ ସମସ୍ତ ଦୋଳି ଚଳାଚଳ ବନ୍ଦ ରଖାଯାଇ କାଗଜପତ୍ର ଓ ଯାନ୍ତ୍ରିକ ସ୍ଥିତିର ପୁନଃଯାଞ୍ଚ କରାଯାଇଥିଲା। ବୈଷୟିକ ଟିମର ଯାଞ୍ଚ ପରେ ଏହି ନୂତନ ସର୍ତ୍ତାବଳୀ ସହିତ ପୁନର୍ବାର ଦୋଳି ଚଳାଇବାକୁ ପ୍ରଶାସନ ଅନୁମତି ଦେଇଛି।

ad-week
Leave A Reply

Your email address will not be published.