ବ୍ରହ୍ମପୁରରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ମନ୍ଥନ ଯାତ୍ରା

kalipuja

ବ୍ରହ୍ମପୁର : ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ବ୍ରହ୍ମପୁରର ଜଗନ୍ନାଥପୁର ହାଇୱେ ନିକଟସ୍ଥ ଜେଏନଟିଟିଇସି ଠାରେ ‘ମନ୍ଥନ ଯାତ୍ରା ୨୦୨୬’ ଆୟୋଜିତ ହୋଇଛି। ଅନ୍ତର୍ଜାତୀୟ ଯୁବ ଦିବସ ୨୦୨୬ର “ଭିନ୍ନ ପରିସ୍ଥିତି, ସମାନ ଆକାଂକ୍ଷା” ବିଷୟବସ୍ତୁ ଆଧାରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ବିଭିନ୍ନ ବର୍ଗର ଯୁବକଯୁବତୀଙ୍କୁ ସ୍ଥାନୀୟ ସମସ୍ୟା ଉପରେ ଆଲୋଚନା କରିବା, ମତ ବିନିମୟ କରିବା ଏବଂ ମିଳିତ ସମାଧାନ ଖୋଜିବା ପାଇଁ ଏକ ପ୍ରମୁଖ ମଞ୍ଚ ପ୍ରଦାନ କରିଥିଲା।

ଏହି କାର୍ଯ୍ୟକ୍ରମ ରିସ୍ତା (ରିଜିଓନାଲ ଇନିସିଏଟିଭ ଫର ସେଫ୍ ସେକ୍ସୁଆଲ ହେଲଥ ବାଏ ଟୁଡେଜ ଆଡୋଲସେଣ୍ଟସ୍) ପ୍ରକଳ୍ପ ଅଧୀନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ପଦକ୍ଷେପ ମାଧ୍ୟମରେ କିଶୋରକିଶୋରୀ ଓ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି, ସଠିକ୍ ନିଷ୍ପତ୍ତି ନେବା, ନିରାପଦ ଅଭ୍ୟାସ ଏବଂ ସକାରାତ୍ମକ ସ୍ୱାସ୍ଥ୍ୟ ଆଚରଣକୁ ପ୍ରୋତ୍ସାହିତ କରାଯାଉଛି।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଡକ୍ଟର ଦୀପକ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଶିଶୁ ମଙ୍ଗଳ ସମିତିର ସଦସ୍ୟ ହରିହର ପାଢ଼ୀ, ଟାଟା ଷ୍ଟିଲ୍ ଏସଇଜେଡ୍ କର୍ପୋରେଟ୍ ସର୍ଭିସେସ୍ ହେଡ୍ ରାକେଶ ପାତ୍ର ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନ ଗୋପାଳପୁର ୟୁନିଟ୍ ହେଡ୍ ଡକ୍ଟର ଜୟନ୍ତ ତ୍ରିପାଠୀ ଉପସ୍ଥିତ ଥିଲେ। ବ୍ରହ୍ମପୁର ଫିଜିକାଲ ଏକାଡେମୀର ପ୍ରତିଷ୍ଠାତା ସୀମାଞ୍ଚଳ ବାରିକ ଯୁବପିଢ଼ିଙ୍କୁ ବାର୍ତ୍ତା ଦେଇ ନିଜର ଦକ୍ଷତାକୁ ଚିହ୍ନିବା ସହ ସମାଜ ଗଠନରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ।

ଆଲୋଚନା ଚକ୍ରରେ ଆନ୍ତର୍ଜାତୀୟ ଯୁବ ଦିବସ ବିଷୟବସ୍ତୁର ତିନୋଟି ପ୍ରମୁଖ ଦିଗ ଯଥା- ବିଶ୍ୱସ୍ତରୀୟ ଏକତା (ଗ୍ଲୋବାଲ ସଲିଡାରିଟୀ), ମିଳିତ ଆହ୍ୱାନ (ସେୟାରଡ ଚ୍ୟାଲେଞ୍ଜସ୍) ଏବଂ ଯୁବ ନବସୃଜନ (ୟୁଥ ଇନୋଭେସନ) ଉପରେ ବିଶେଷ ଭାବେ ଆଲୋକପାତ କରାଯାଇଥିଲା। ଅଂଶଗ୍ରହଣକାରୀମାନେ ଶିକ୍ଷା, ନିଯୁକ୍ତି, ସ୍ୱାସ୍ଥ୍ୟ, ସୁରକ୍ଷା, ଡିଜିଟାଲ୍ ସୁବିଧା ଏବଂ ପରିବେଶ ସୁରକ୍ଷା ଭଳି ବିଭିନ୍ନ ପ୍ରସଙ୍ଗରେ ନିଜର ମତ ରଖିଥିଲେ।
କେବଳ ସମସ୍ୟା ଚିହ୍ନଟ କରିବାରେ ସୀମିତ ନରହି ଚଳିତ ବର୍ଷର କାର୍ଯ୍ୟକ୍ରମରେ ଆଲୋଚନାକୁ କାର୍ଯ୍ୟରେ ପରିଣତ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଯୁବ ଅଂଶଗ୍ରହଣକାରୀମାନଙ୍କୁ ସମସ୍ୟାଗୁଡ଼ିକୁ ପ୍ରାଥମିକତା ଦେବା, ସମ୍ଭାବ୍ୟ ସମାଧାନ ଖୋଜିବା, ଦାୟିତ୍ୱ ବଣ୍ଟନ କରିବା ଏବଂ ଗୋଷ୍ଠୀସ୍ତରୀୟ ପଦକ୍ଷେପ ପାଇଁ ସମୟସୀମା ନିର୍ଦ୍ଧାରଣ କରିବାକୁ ଉତ୍ସାହିତ କରାଯାଇଥିଲା।

‘ମନ୍ଥନ ଯାତ୍ରା’ରୁ ମିଳିଥିବା ସୁଚିନ୍ତିତ ମତାମତ ଏବଂ ସୁପାରିଶଗୁଡ଼ିକ ଆସନ୍ତା ଡିସେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ଟାଟା ଷ୍ଟିଲ୍ ଫାଉଣ୍ଡେସନର ପ୍ରମୁଖ ଯୁବ ମଞ୍ଚ ‘ଧ୍ୱନି- ଏ ୟୁଥ୍ କନକ୍ଲେଭ୍ ୨୦୨୬’ରେ ଉପସ୍ଥାପିତ ହେବ।

ଏହି ପଦକ୍ଷେପ ମାଧ୍ୟମରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ଯୁବପିଢ଼ିଙ୍କୁ ପରିବର୍ତ୍ତନର ସକ୍ରିୟ ବାହକ ଭାବେ ଗଢ଼ି ତୋଳିବା ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି।

ad-week
Leave A Reply

Your email address will not be published.