ଭିଜିଲାନ୍ସ ଜାଲରେ ବୀରମିତ୍ରପୁର ପୌରପାଳିକା କର୍ମଚାରୀ : ୩୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ଇନଫ୍ରାଷ୍ଟ୍ରକଚର ଏକ୍ସପର୍ଟ

ବୀରମିତ୍ରପୁର (ନିସର୍ତ୍ତ ନ୍ୟୁଜ୍) : ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରପାଳିକାର ଜଣେ କର୍ମଚାରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ପୌରପାଳିକାରେ କାର୍ଯ୍ୟରତ ଇନଫ୍ରାଷ୍ଟ୍ରକଚର ଏକ୍ସପର୍ଟ ବୈବସ୍ୱତ ମନୁ ରାଉତ ଜଣେ ହିତାଧିକାରୀଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ରାଉରକେଲା ଭିଜିଲାନ୍ସ ଟିମ୍ ତାଙ୍କୁ ରଙ୍ଗେହାତ ମାଡ଼ିବସିଛି।
ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ଅଧୀନରେ ଘର ନିର୍ମାଣ ସମ୍ପର୍କିତ କାର୍ଯ୍ୟ ଏବଂ ବିଲ୍ କରାଇଦେବା ପାଇଁ ବୈବସ୍ୱତ ମନୁ ରାଉତ ସମ୍ପୃକ୍ତ ହିତାଧିକାରୀଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏତେ ପରିମାଣର ଲାଞ୍ଚ ଦେବାକୁ ଅସମର୍ଥ ହେବାରୁ ହିତାଧିକାରୀ ଜଣକ ଏନେଇ ରାଉରକେଲା ଭିଜିଲାନ୍ସ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଭିତ୍ତି କରି ରାଉରକେଲା ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ପୂର୍ବ ଯୋଜନା ମୁତାବକ ଜାଲ ବିଛାଯାଇଥିଲା। ଶନିବାର ଦିନ ଅଭିଯୋଗକାରୀଙ୍କଠାରୁ ବୈବସ୍ୱତ ମନୁ ରାଉତ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଛପି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ। ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯିବା ସହ ରାସାୟନିକ ପରୀକ୍ଷଣରେ ମଧ୍ୟ ଲାଞ୍ଚ ଗ୍ରହଣ କରିଥିବା ପ୍ରମାଣିତ ହୋଇଛି।
ଏହି ଘଟଣା ପରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଅଭିଯୁକ୍ତ କର୍ମଚାରୀଙ୍କ ସରକାରୀ କାର୍ଯ୍ୟାଳୟ ସମେତ ବିଭିନ୍ନ ଠିକଣାରେ ଚଢ଼ଉ କରାଯାଇ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦିଗରେ ମଧ୍ୟ ଖୋଳତାଡ଼ ଆରମ୍ଭ ହୋଇଛି। ଏ ସଂକ୍ରାନ୍ତରେ ରାଉରକେଲା ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଅଧିକ ତଦନ୍ତ ଜାରି ରହିଛି।
