
କୋରାପୁଟ : କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ରଜକ ସମାଜ ଗୃହଠାରେ ୭୭ତମ ସମ୍ବିଧାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସୁରେଶ ଡଙ୍ଗରୀ ଓ ବାସୁ ନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୂଳନିବାସୀ ବିକାଶ ପରିଷଦର ଅଧ୍ୟକ୍ଷ ଚନ୍ଦ୍ରଧ୍ୱଜ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଆର୍. ଶ୍ରୀନିବାସ ରାଓ ଯୋଗଦେଇ ଭାରତୀୟ ସମ୍ବିଧାନର ମହତ୍ତ୍ୱ, ଏହାର ମୌଳିକ ଅଧିକାର ତଥା ନାଗରିକଙ୍କ କର୍ତ୍ତବ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ‘ଦେଶିଆ’ ପତ୍ରିକାର ସମ୍ପାଦକ ରଞ୍ଜନ ମହୁରିଆ, ପ୍ରକାଶ ନାଗ, ମନସ୍ୱିନୀ ଟାକିରୀ ଏବଂ ବୀଣା ମାମୁଦୁଲି ପ୍ରମୁଖ ମଞ୍ଚାସୀନ ହୋଇ ସମ୍ବିଧାନର ବିଭିନ୍ନ ଦିଗ ଉପରେ ଗଭୀର ଆଲୋଚନା କରିଥିଲେ।
ଏହି ଅବସରରେ ଅତିଥିମାନେ ଉପସ୍ଥିତ ଜନସାଧାରଣ ତଥା ଛାତ୍ରଛାତ୍ରୀମାନଙ୍କୁ ସାମ୍ବିଧାନିକ ଅଧିକାର ଓ ନ୍ୟାୟ ବ୍ୟବସ୍ଥା ସମ୍ପର୍କରେ ସଚେତନ କରାଇବା ସହ ସମ୍ବିଧାନର ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ଗଠନରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ସମାଜସେବୀ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପରିଶେଷରେ ଚୈତନ୍ୟ ପରଜା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ ହୋଇଥିଲା।
