ଡୁରା ପିଏମ୍ ଶ୍ରୀ ନ୍ୟାସନାଲ ହାଇସ୍କୁଲରେ ବିଦ୍ୟାଳୟସ୍ତରୀୟ ଛାୟା ବିଧାନସଭା ଅନୁଷ୍ଠିତ

kalipuja

ବ୍ରହ୍ମପୁର : ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ସଂସଦୀୟ ପ୍ରଣାଳୀ ଏବଂ ନେତୃତ୍ୱ ନେବାର ଦକ୍ଷତା ବିକାଶ କରିବା ଲକ୍ଷ୍ୟରେ ଡୁରା ସ୍ଥିତ ପିଏମ୍ ଶ୍ରୀ ନ୍ୟାସନାଲ ହାଇସ୍କୁଲ ପରିସରରେ ଏକ ବିଦ୍ୟାଳୟ ସ୍ତରୀୟ ଛାୟା ବିଧାନସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଭାରତୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାଲିଆଗଡ଼ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଣତି ପାଣିଗ୍ରାହୀ ମୁଖ୍ୟ ଅତିଥି ଏବଂ ବରିଷ୍ଠ ସାମ୍ବାଦିକ ତଥା କଣ୍ଠଶିଳ୍ପୀ ସୁଦୀପ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ଗଣତନ୍ତ୍ରରେ ବିଧାନସଭାର ଗୁରୁତ୍ୱ ଏବଂ ଯୁବପିଢ଼ିଙ୍କ ଭୂମିକା ସମ୍ପର୍କରେ ମାର୍ଗଦର୍ଶନ ଦେଇଥିଲେ।

ଏହି ଛାୟା ବିଧାନସଭାରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶାସକ ଓ ବିରୋଧୀ ଦଳର ଭୂମିକାରେ ଅବତୀର୍ଣ୍ଣ ହୋଇ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯଥା— ଶିକ୍ଷା, ସ୍ୱାସ୍ଥ୍ୟ ଏବଂ କୃଷି ଆଦି ବିଷୟରେ ଜୋରଦାର ତର୍କ ବିତର୍କ କରିଥିଲେ। ଗୃହ କାର୍ଯ୍ୟ ପରିଚାଳନାଠାରୁ ଆରମ୍ଭ କରି ପ୍ରଶ୍ନୋତ୍ତର କାଳ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କର ଜୀବନ୍ତ ଅଭିନୟ ଓ ଉପସ୍ଥାପନା ଶୈଳୀ ଉପସ୍ଥିତ ଅତିଥି ଏବଂ ଦର୍ଶକଙ୍କ ପାଇଁ ବେଶ୍ ଚିତ୍ତାକର୍ଷକ ହୋଇଥିଲା।

ଏହି ଅବସରରେ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ପ୍ରଜ୍ଞା ପାରମିତା ରଥ ରାଜ୍ୟ ସ୍ତରୀୟ ଛାୟା ଜାତିସଂଘ (ମଡେଲ୍ ୟୁନାଇଟେଡ୍ ନେସନ୍ସ – MUN)ରେ ଘାନା ଦେଶର ପ୍ରତିନିଧିତ୍ୱ କରିବା ପାଇଁ ମନୋନୀତ ହୋଇଥିବାରୁ ତାଙ୍କୁ ବିଶେଷ ଭାବେ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା। ଏଥିସହ ଛାୟା ବିଧାନସଭାରେ ଅଂଶଗ୍ରହଣ କରିଥିବା ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।

ଛାୟା ବିଧାନସଭାର ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ନୀତିବେଦା ପାଢ଼ୀ ଏବଂ ଦୀପ୍ତିମୟୀ ପଟ୍ଟନାୟକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପଣ୍ଡା ମଞ୍ଚ ସଞ୍ଚାଳନ କରିଥିଲେ। ବିଷ୍ଣୁପ୍ରିୟା ସାହୁ ଓ ନିର୍ମଳା ଦାସଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମକୁ ସଫଳ କରିବାରେ ସକ୍ରିୟ ସହଯୋଗ କରିଥିଲେ। ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଅନିତା କୁମାରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.