
ଚେନ୍ନଇ: ସୁପରଷ୍ଟାର୍ ରଜନୀକାନ୍ତ ଓ ଅଭିନେତା ଧନୁଷଙ୍କ ଘରକୁ ବୋମାରେ ଉଡ଼ାଇ ଦେବାକୁ ଇ-ମେଲ୍ ଯୋଗେ ଧମକ ମିଳିବା ପରେ ଚେନ୍ନଇରେ ହଇଚଇ ସୃଷ୍ଟି ହୋଇଯାଇଥିଲା। ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଏକ ଅଜ୍ଞାତ ଆକାଉଣ୍ଟରୁ ତାମିଲନାଡୁ ପୁଲିସ ମହାର୍ଦେଶକଙ୍କ କାର୍ଯ୍ୟାଳୟକୁ ଏକ ଇ-ମେଲ୍ ଆସିଥିଲା। ଏଥିରେ ରଜନୀକାନ୍ତ, ଧନୁଷ ଓ ତାମିଲନାଡୁ କଂଗ୍ରେସ ସଭାପତି କେ.ସେଭାଲପର୍ଉନଥାଗାଇଙ୍କ ଘରେ ବୋମା ଖଞ୍ଜା ଯାଇଥିବା ଦର୍ଶାଯାଇଛି। ଇ-ମେଲ୍ ମିଳିବା ପରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପୁଲିସ ଦଳ ସହ ବୋମା ନିଷ୍କ୍ରିୟକାରୀ ଦଳ ରଜନୀକାନ୍ତଙ୍କ ବାସଭବନରେ ପହଞ୍ଚି ଯାଞ୍ଚ କରିଥିଲା। ତେବେ ସେଠାରୁ କୌଣସି ବିସ୍ଫୋରଣ ଦ୍ରବ୍ୟ ମିଳିନଥିଲା। ସେହିପରି ଧନୁଷ ଓ ସେଭାଲପର୍ଉନଥାଗାଇଙ୍କ ଘର ଯାଞ୍ଚ କରିଥିଲେ ମଧ୍ୟ କୌଣସି ବିସ୍ଫୋରକ ମିଳିନଥିଲା। ମିଥ୍ୟା ଇ-ମେଲ୍ ଜରିଆରେ ଭୟର ବାତାବରଣ ସୃଷ୍ଟି କରିବାକୁ ପ୍ରୟାସ କରାଯାଇଥିଲା ବୋଲି ପୁଲିସ ସ୍ପଷ୍ଟ କରିଛି।