ପିନ ଗିଳି ଆଦର୍ଶ ବିଦ୍ୟାଳୟ ଛାତ୍ରଙ୍କ ମୃତ୍ୟୁ

add-all

ଫୁଲବାଣୀ : ଫୁଲବାଣୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଜଣେ ୭ମ ଶ୍ରେଣୀ ଛାତ୍ର ନୋଟିସ୍‌ ବୋର୍ଡରେ ଲାଗିଥିବା ପିନ୍‌ ଗିଳି ଦେବାରୁ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ମୃତକଙ୍କ ବାପା ଦାରିଙ୍ଗବାଡି ଥାନାରେ ଏତଲା ଦେଇଛନ୍ତି। ଛାତ୍ର ଜଣଙ୍କ ତୁଷାର ମିଶ୍ର ବୋଲି ଜଣାପଡିଛି । ପୁଅର ମୃତ୍ୟୁ ପାଇଁ ଶିକ୍ଷୟିତ୍ରୀ ଶିକ୍ଷକ ଏବଂ ପ୍ରିନ୍ସିପାଲ ଦାୟୀ ବୋଲି ତୁଷାରଙ୍କ ବାପା କାଳୀପ୍ରସାଦ ମିଶ୍ର ଅଭିଯୋଗ କରିଛନ୍ତି। ତୁଷାରଙ୍କ ଘର ଦାରିଙ୍ଗବାଡ଼ିରେ ହୋଇଥିବାବେଳେ ସେ ମାମୁଘର କଣ୍ଟ୍ରାକ୍ଟରପଡ଼ାରେ ରହି ଆଦର୍ଶ ବିଦ୍ୟାଳୟରେ ପଢ଼ୁଥିଲେ।
ଗତ ୧୫ ତାରିଖରେ ତୁଷାର ସ୍କୁଲ ଯାଇଥିଲେ। ସ୍କୁଲ ନୋଟିସ ବୋର୍ଡରୁ ଏକ ପିନ୍‌ ଆଣି ସେ ପାଟିରେ ଧରିଥିବା ବେଳେ ଅସାବଧାନତାବଶତଃ ତାହାକୁ ଗିଳି ଦେଇଥିଲେ। ପରେ ତୁଷାରଙ୍କ କିଛି ସାଙ୍ଗ ଏ ନେଇ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ପ୍ରିନ୍ସପାଲଙ୍କୁ ଜଣାଇଥିଲେ। ହେଲେ ସେମାନେ ଏହାକୁ ଗୁରୁତ୍ୱ ନ ଦେଇ ପାଣି ପିଇଦେ ଚାଲିଯିବ ବୋଲି କହିଥିଲେ। ଘରକୁ ଆସିବା ବାଟରେ ତୁଷାର ନିଃଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ଫୁଲବାଣୀସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।
ବ୍ରହ୍ମପୁର ମେଡିକାଲରେ ଡାକ୍ତର ପରୀକ୍ଷା କରିବାରୁ ପିନ୍‌ଟି ଫୁସ୍‌ଫୁସ ପାଖରେ ଅଟକି ଥିବା ଜଣାପଡିଥିଲା। ସେଠାରୁ ତୁଷାରଙ୍କୁ କଟକ ଶିଶୁଭବନ ପଠାଇ ଦିଆଯାଇଥିଲା। ଡାକ୍ତର ଅସ୍ତ୍ରୋପଚାର କରି ପିନ୍‌ଟି କାଢ଼ିଥିଲେ। ଚିକିତ୍ସାରେ ବିଳମ୍ବ ହେବାରୁ ତୁଷାର ପ୍ରଥମେ ପକ୍ଷାଘାତର ଶିକାର ହୋଇ କୋମାକୁ ଚାଲି ଯାଇଥିଲେ। ଡାକ୍ତରମାନଙ୍କର ସମସ୍ତ ଚେଷ୍ଟା ସତ୍ତ୍ୱେ ଗତ ୨୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଅ ପିନ୍‌ ଖାଇ ଦେଲା ପରେ ଶିକ୍ଷକମାନଙ୍କୁ ଜଣାଇଥିଲା। ହେଲେ ଏହାକୁ କେହି ଗୁରୁତ୍ୱର ସହ ନେଇ ନ ଥିଲେ। ତେଣୁ ମୋ ପୁଅ ଚାଲିଗଲା। ତେଣୁ ସରକାର ଏ ଦିଗରେ କଡ଼ା ପଦକ୍ଷେପ ନେଇ ତୁରନ୍ତ ସେମାନଙ୍କୁ ବହିଷ୍କାର କରନ୍ତୁ ବୋଲି ତୁଷାରଙ୍କ ବାପା କହଛନ୍ତି।

ad-week
Leave A Reply

Your email address will not be published.