
ମଧ୍ୟପ୍ରଦେଶ: ବିବାହ ପୂର୍ବରୁ ଭିଣେଇ ସହ ଅବୈଧ ସମ୍ପର୍କ ରଖିଥିଲା ଶାଳୀ । ବାହା ହୋଇଗଲା ପରେ ଆରମ୍ଭ ହେଲା ସମସ୍ୟା । ଭିଡିଓ ରଖି ବାରମ୍ବାର ଶାଳୀକୁ ବ୍ଲାକମେଲ୍ କରୁଥିଲା ଭିଣେଇ । ଏଥିରେ ଅତିଷ୍ଠ ହୋଇଗଲା ଶାଳୀ ଆଉ ସବୁଦିନ ପାଇଁ ଭିଣେଇକୁ ରାସ୍ତାରୁ ହଟାଇବା ପାଇଁ ଚିନ୍ତା କଲା । ଠିକ୍ କଲା କଣ୍ଟ୍ରାକ୍ଟ କିଲର । ପଚାଶ ହଜାର ସୁପାରୀ ଦେଇ ନେଇ ଗଲା ଭିଣେଇର ଜୀବନ । ତେବେ ଭିଣେଇ ହତ୍ୟା ପାଇଁ କରିଥିଲା ବଡ଼ ଷଡ଼ଯନ୍ତ୍ର । ଗାଡ଼ି ଶିଖାଇବା ବାହାନା କରି ଜଙ୍ଗଲକୁ ନେଇଗଲା ଆଉ ସେଇଠି ସବୁ ସାରି ଦେଲା । ହଁ ଦର୍ଶକ ବନ୍ଧୁ, ଶାଳୀ ଭିଣେଇର ଅବୈଧ ସମ୍ପର୍କର ଶେଷ ପରିଣତି ହୋଇଛି ଏମିତି । ମଧ୍ୟପ୍ରଦେଶ ନରସିଂହପୁର ଜିଲ୍ଲାର ପୋଲିସ ଏହି ହତ୍ୟା ରହସ୍ୟକୁ ଉନ୍ମୋଚନ କରିଛି । ହତ୍ୟାକାଣ୍ଡ ଏକ ଅବୈଧ ସମ୍ପର୍କ ଆଉ ବ୍ଲାକମେଲିଂରୁ ହୋଇଥିଲା । ପୋଲିସ ମୃତକଙ୍କ ଶାଳୀ ସମେତ ତିନି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି । ଏ ଶାଳୀଟି ତା’ ଭିଣେଇକୁ ମାରିବା ପାଇଁ ମୋବାଇଲରେ ରିଲ ଦେଖିଥିଲା ଓ ପରେ ହତ୍ୟା ଷଡ଼ଯନ୍ତ୍ର ରଚିଥିଲା ।
ପୋଲିସର କହିବା ଅନୁଯାୟୀ ଅକ୍ଟୋବର୨୫ ତାରିଖର ଘଟଣା । ଜଲସା ହୋଟେଲ ନିକଟରୁ ସୃଜନ ସାହୁ ନାମକ ଜଣେ ବ୍ୟକ୍ତି ରହସ୍ୟମୟ ଭାବରେ ନିଖୋଜ ହୋଇ ଯାଇଥିଲେ। ତଦନ୍ତ ସମୟରେ, ସିସିଟିଭି ଫୁଟେଜ୍ ପୋଲିସକୁ ସୁରାକ ଦେଇଥିଲା । ପୋଲିସ ତିନିଟି ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ଯାହା ପରେ ଦୁଇ ଜଣ ସନ୍ଦିଗ୍ଧ ବ୍ୟକ୍ତି ଓ ଜଣେ ନାବାଳକକୁ ଅଟକ ରଖା ଯାଇଥିଲା । ପଚରା ଉଚରାରୁ ଜଣାପଡ଼ିଥିଲା ଯେ ଅଭିଯୁକ୍ତ ଶ୍ରୀଜନଙ୍କୁ ଜଙ୍ଗଲକୁ ନେଇ ଯାଇଥିଲେ, ତାଙ୍କୁ ଛୁରୀ ମାରି ହତ୍ୟା କରିବା ପରେ ମୃତଦେହକୁ ପଥର ତଳେ ପୋତି ଦେଇଥିଲେ ।
ପୋଲିସ୍ ଆଗରେ ଅଭିଯୁକ୍ତ ଶାଳୀ ନିଧି ସାହୁ ସବୁ ମାନି ଯାଇଛି । କହିଛି ଯେ ଭିଣେଇ ସୃଜନ ସାହୁଙ୍କ ସହିତ ତାର ଅବୈଧ ସମ୍ପର୍କ ଥିଲା । ବିବାହ ପୂର୍ବରୁ ତାଙ୍କ ଭିଣେଇ ସେମାନଙ୍କର ଭିଡିଓ ଭାଇରାଲ କରିବାକୁ ଧମକ ଦେଇ ବ୍ଲାକମେଲ୍ କରୁଥିଲା । ନିଧି ମାତ୍ର ପାଞ୍ଚ ମାସ ପୂର୍ବରୁ ବିବାହ କରିଥିଲା । ବିବାହ ପରେ ଏହି ସମ୍ପର୍କରୁ ମୁକ୍ତ ହେବାକୁ ଚାହୁଁଥିଲା । ପୋଲିସର କହିବା ଅନୁଯାୟୀ, ସୋସିଆଲ ମିଡିଆରେ ରିଲ୍ ଏବଂ ଧାରଣା ଦେଖିବା ପରେ ନିଧି ହତ୍ୟା ଷଡଯନ୍ତ୍ର ରଚିଥିଲା। ସେ ଦୁଇଟି ଛୁରୀ କିଣି ତା ବିଛଣା ତଳେ ଲୁଚାଇ ରଖିଥିଲା । ନିଧି ତାର ଜଣେ ପରିଚିତ ସାହିଲକୁ ୫୦ ହଜାର ଟଙ୍କା ଦେଇ ହତ୍ୟା କରିବା ପାଇଁ ଲୋଭ ଦେଖାଇ ଥିଲା । ପ୍ରଥମେ ୧୦ ହଜାର ଟଙ୍କା ଦେଇ ପରେ ହଳେ ସୁନା କାନଫୁଲ ଦେଇଥିଲା ନିଧି । ଆଉ କହିଥିଲା ଭିଣେଇକୁ ରାସ୍ତାରୁ ହଟାଇ ଦେବା ପାଇଁ । ଅକ୍ଟୋବର ୨୫ ଅପରାହ୍ନରେ, ନିଧି ତା ଭିଣେଇ ସୃଜନଙ୍କୁ ଗାଡି ଡ୍ରାଇଭିଂ ଶିଖାଇବାକୁ ଡାକିଥିଲା । ସାଙ୍ଗରେ ସାହିଲ ଥିଲା । ସେମାନେ ଏକ କାରରେ ଜଙ୍ଗଲ ଆଡକୁ ଯାଇଥିଲେ । ଯେତେବେଳେ ସୃଜନ ପଚାରିଲେ ଯେ ସେମାନେ କେଉଁଠାକୁ ଯାଉଛନ୍ତି, ସାହିଲ କହିଲା ତୁମେ ଆଗ ସିଟରେ ବସ । କରଣ ଅନ୍ୟ ଜଣେ ସାଥୀଙ୍କୁ ଗାଡ଼ିରେ ନେବାକୁ ପଡିବ । ତେବେ ସୃଜନ ଗାଡ଼ି ଚଳାଇବା ସମୟରେ ନିଧି ତାଙ୍କ ବେକରେ ତିନିଥର ଛୁରୀ ମାରିଥିଲା । ତାପରେ ସାହିଲ ମଧ୍ୟ ଛୁରୀରେ ଆକ୍ରମଣ କରିଥିଲା। ହତ୍ୟା କରିବା ପରେ, ଅଭିଯୁକ୍ତମାନେ ମୃତଦେହକୁ ଜଙ୍ଗଲ ଭିତରେ ପଥର ତଳେ ପୋତି ଦେଇଥିଲେ ।
ପୋଲିସ ଅଧୀକ୍ଷକ ଡକ୍ଟର ଋଷିକେଶ ମୀନା କହିଛନ୍ତି ଯେ ମୁଗୱାନି ପୋଲିସ ଷ୍ଟେସନକୁ ଏକ ନିଖୋଜ ରିପୋର୍ଟ ଆସିଥିଲା । ତଦନ୍ତ ସମୟରେ, ମୃତକଙ୍କ ମୋବାଇଲ ଫୋନ ଲୋକେସନ୍ ଜଙ୍ଗଲରୁ ମିଳିଥିଲା । ସିସିଟିଭି ଫୁଟେଜରେ ଏକ କାରରେ ଜଣେ ମୁଖାପିନ୍ଧା ମହିଳା ଦେଖା ଯାଇଥିଲା, ଯାହାଙ୍କୁ ପରେ ନିଧି ଏବଂ ସାହିଲ ଭାବରେ ଚିହ୍ନଟ କରାଯାଇଥିଲା । ଜଙ୍ଗଲରେ ମୃତଦେହ ଖୋଜିବା ପାଇଁ ତିନିଟି ସ୍ୱତନ୍ତ୍ର ଟିମ ଦିନରାତି ଏକ କରି ଖୋଜି ଥିଲେ । ସନ୍ଧାନୀ କୁକୁର ମଧ୍ୟ ଛୁରୀଗୁଡ଼ିକୁ ଖୋଜିବାରେ ସାହାଯ୍ୟ କରିଥିଲେ । ପୋଲିସ ଅଧୀକ୍ଷକ ଡକ୍ଟର ମୀନା ଏହି ସୂଚନା ଦେଇଥିବା ଟିମକୁ ୧୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି । ଏବେ ଠୋସ୍ ପ୍ରମାଣ ଯୋଗାଡ଼ ଚାଲିଛି ଦୋଷୀମାନଙ୍କୁ ଦଣ୍ଡ ଦେବା ପାଇଁ । ତେବେ ଅବୈଧ ସମ୍ପର୍କର କିଭଳି ଅନ୍ତ ସେକଥା ଏହି ଘଟଣାରୁ ସ୍ପଷ୍ଟ ।