ଗ୍ରାମବାସୀଙ୍କ ଦାବି ଆଗରେ ମୁଣ୍ଡ ନୁଆଇଁଲା ଠିକାସଂସ୍ଥା

youtube

ନୟାଗଡ଼: ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ପଞ୍ଚାୟତ ଦଣ୍ଡୋର ଗ୍ରାମର ଖଳିପଡ଼ିଆରେ ଏକ ଠିକାସଂସ୍ଥା କେଇସି ଇଣ୍ଟରନ୍ୟାସୀନାଲ ପାଇପ୍ ଜମା କରିବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା।ଗତ ୩ ବର୍ଷ ଧରି ଠିକାସଂସ୍ଥା ଗ୍ରାମରେ ପାଇପ୍ ଗଦାଇ ରଖୁଥିବାବେଳେ ଗ୍ରାମବାସୀମାନେ ନାନା ସମସ୍ୟା ଭୋଗୁଛନ୍ତି,ବାରମ୍ବାର କହିବା ସତ୍ତ୍ବେ କମ୍ପାନୀ ଏହାକୁ ଭ୍ରୁକ୍ଷେପ ନ କରି ପାଇପ୍ ଖାଲି କରୁନଥିଲା।ଏହାକୁ ଗ୍ରାମବାସୀମାନେ ବିରୋଧ କରିବା ସହ ଚଳିତ ମାସ ୧୯ ତାରିଖ ଶନିବାର ଦିନ ପ୍ରବେଶ ଦ୍ୱାରରେ ତାଲା ପକାଇ ଥିଲେ।ଆଜି ତହସିଲଦାରଙ୍କ ଉପସ୍ଥିତିରେ ତହସିଲ ପରିସରରେ ଦଣ୍ଡୋର ଗ୍ରାମବାସୀ,ଓଡ଼ଗାଁ ବିଜେପି ପ୍ରତିନିଧି ଦଳ ଓ ଠିକାସଂସ୍ଥା କମ୍ପାନୀର କର୍ମଚାରୀଙ୍କ ଉପସ୍ଥିତିରେ ବିଷଦ ଭାବରେ ଆଲୋଚନା ହୋଇଥିଲା।ପରିଶେଷରେ ଠିକାସଂସ୍ଥା ଅକ୍ତିଆର କରିଥିବା ୪ ଏକର ୮୮ ଡ଼ିସିମିଲ ଜାଗା ମଧ୍ୟରୁ ୧ ଏକର ଜାଗା ଭିତରେ ପାଇପ ଜମା ରଖିବା ପାଇଁ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ।ଠିକ ସେହିପରି ୧୫ ଦିନ ମଧ୍ୟରେ କମ୍ପାନୀ ପକ୍ଷରୁ ୫ ଜଣିଆ ପ୍ରତନିଧି ଦଳ ଗ୍ରାମବାସୀଙ୍କ ସହ ଆଲୋଚନା କରିବେ ବୋଲି ମଧ୍ୟ ସ୍ଥିରୀକୃତ ହୋଇଥିବା ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡିଛି।ସୁଚନାଯୋଗ୍ୟ ଯେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଉକ୍ତସ୍ଥାନକୁ ଏକ ଅସ୍ଥାୟୀ ପାଇପ୍ ଜମା କରିବା ପାଇଁ ଚିହ୍ନଟ କରିଥିବାବେଳେ ଏହାର କୌଣସି କାଗଜପତ୍ର ନ ଥିବାରୁ ଏହା ସମ୍ପୂର୍ଣ୍ଣ ବେଆଇନ ଥିବା ନେଇ ରାଜସ୍ୱ ନିରୀକ୍ଷକ ନିଜ ତଦନ୍ତ ରିପୋର୍ଟରେ ତହସିଲଦାରଙ୍କୁ ଜଣାଇଥିଲେ।

Leave A Reply

Your email address will not be published.