
କୋଟପାଡ଼ : କୋରାପୁଟ ଜିଲ୍ଲା କୋଟପାଡ଼ ଅବକାରୀ ଥାନା ଅଞ୍ଚଳରେ ଏବେ ବିଦେଶୀ ଓ ଦେଶୀ ମଦର ବନ୍ୟା ଦେଖିବାକୁ ମିଳିଛି। ଅଞ୍ଚଳର ପ୍ରତି ଗ୍ରାମରେ ବିଦେଶୀ ମଦ ଦୋକାନ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହା ସମାଜ ପାଇଁ ଏକ ବଡ଼ ଚିନ୍ତାର କାରଣ ପାଲଟିଛି। ଗୋଳିକଞ୍ଜିଠୁ ଆରମ୍ଭ କରି ରାଜରାସ୍ତା, କୁସୁମି, ଚାନ୍ଦିଲି, ତର୍ଗିଆ, ଏସ. ବି. ନୂଆଗାଁ, ଢାମନାହାଣ୍ଡି ଭଳି ଅନେକ ଗ୍ରାମାଞ୍ଚଳରେ ଖୁଚୁରା ମଦ ବିକ୍ରି ଜୋରସୋରରେ ଚାଲିଛି।
ଏଠାରେ ଲାଇସେନ୍ସପ୍ରାପ୍ତ ଠିପି ବନ୍ଦ ଦୋକାନୀମାନେ ପ୍ରତିଦିନ ଅଞ୍ଚଳରେ ଥିବା ଖୁଚୁରା ଦୋକାନୀମାନଙ୍କୁ ବିଦେଶୀ ମଦ ଯୋଗାଉଥିବା ବେଳେ ଲାଇସେନ୍ସ ପ୍ରାପ୍ତ ଠିପି ଖୋଲା ଠିକାଦାରମାନେ ମଧ୍ୟ ବିଭିନ୍ନ ସ୍ଥାନରେ ମଦ ଯୋଗାଣ କରୁଥିବା ଦେଖାଯାଉଛି। ଛତିଶଗଡ଼ର ବସ୍ତର ଜିଲ୍ଲା ସୀମାନ୍ତରେ ଏନ. ଏମ. ଡି. ସି. ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ପରେ ଚାନ୍ଦିଲି ପଞ୍ଚାୟତ ସଦର ଏବଂ ଆଖପାଖ ଗ୍ରାମୀଣ ଅଞ୍ଚଳରେ ବିଦେଶୀ ମଦ କାରବାର ଅତିମାତ୍ରାରେ ବୃଦ୍ଧି ପାଇଛି।
ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ବ୍ୟାପାରୀମାନେ ନିୟମ ଉଲ୍ଲଙ୍ଘନ କରି କୁଚିଆ ମାନଙ୍କୁ ମଦ ଯୋଗାଉଥିଲେ ମଧ୍ୟ, ଅବକାରୀ ବିଭାଗର ଅଧିକାରୀ/କର୍ମଚାରୀମାନେ ଏସବୁ ଜାଣିଶୁଣି ନୀରବ ରହୁଥିବା ଅଭିଯୋଗ ହେଉଛି। ଏପରିକି, ବେଆଇନ ଭାବେ ଗାଁ ଗାଁରେ ବିଦେଶୀ ମଦ ବିକ୍ରି ହେଉଥିଲେ ମଧ୍ୟ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଏହାକୁ ଅଣଦେଖା କରୁଛନ୍ତି। ଫଳରେ ବେଆଇନ କୁଚିଆ ମଦ ବେପାରୀଙ୍କ ମନୋବଳ ବୃଦ୍ଧି ପାଉଛି।
ମଦର ଏହି ବନ୍ୟା ସମାଜ ଉପରେ ଗଭୀର କୁପ୍ରଭାବ ପକାଉଛି। ଛୋଟଛୋଟ ନାବାଳକମାନେ ମାତାଲ ହୋଇ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପରେ ଛନ୍ଦି ହେଉଛନ୍ତି। ବିଭିନ୍ନ ସ୍ଥାନରେ ବିଶୃଙ୍ଖଳା ସୃଷ୍ଟି ହେବା ସହ ବାଇକ ଚୋରି, ଜୁଆଖେଳ ଭଳି ଅସାମାଜିକ କାର୍ଯ୍ୟ ଦିନକୁ ଦିନ ବଢ଼ି ଚାଲିଛି। ମଦ୍ୟପାନ କରି ଅତି ଦ୍ରୁତ ଗତିରେ ଗାଡ଼ିଚାଳନା ଯୋଗୁଁ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଛି ଏବଂ ସାଧାରଣ ଲୋକେ ରାସ୍ତାରେ ଚାଲିବାକୁ ଡରୁଛନ୍ତି।
ଏହି ସମସ୍ୟାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେଉଥିଲେ ମଧ୍ୟ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ରହିଛି। ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆଖିଦୃଶିଆ ହେଉନଥିବା ଯୋଗୁଁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ଜନସାଧାରଣ ଜିଲ୍ଲା ପ୍ରଶାସନକୁ ଶୀଘ୍ର ପଦକ୍ଷେପ ଗ୍ରହଣ କରି ଏହି ବେଆଇନ ମଦ କାରବାରକୁ ରୋକିବା ପାଇଁ ଦାବି କରିଛନ୍ତି।