ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ପାଳିତ: ଗଣଦୌଡରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

youtube

ଭୁବନେଶ୍ୱର: ଆଜି ସାରା ଦେଶ ପାଳୁଛି ଲୌହମାନବ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ । ଏହି ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଗଣଦୌଡ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକତା ଏବଂ ଆତ୍ମନିର୍ଭର ଭାରତର ଭାବନାକୁ ଜାଗ୍ରତ କରିବା ପାଇଁ ଏହି ଗଣଦୌଡ ଆୟୋଜନ କରାଯାଇଛି । ଗଣଦୌଡ ପରେ ସମସ୍ତଙ୍କୁ ଏକତା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ଶପଥ ପାଠ କରାଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏକତା ଦୌଡ କାର୍ଯ୍ୟକ୍ରମରେ ସାମିଲ ହୋଇ ଯୁବପିଢି ଓ ଜନସାଧାରଣଙ୍କ ମଧ୍ୟରେ ରାଷ୍ଟ୍ରୀୟ ଭାବନାକୁ ଜାଗ୍ରତ କରିବାର ସୁଯୋଗ ମିଳିଥିବାରୁ ବହୁତ ଭଲ ଲାଗିଲା । ମୁଁ ଆଶା କରୁଛି ସର୍ଦ୍ଦାର ପଟେଲଙ୍କ ଆଦର୍ଶ ଅମେ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବ । ସେ ଆହୁରି କହିଥିଲେ ଯେ ଏହି ଦୌଡ଼ ଆମକୁ ମନେପକାଇ ଦେଉଛି ଯେ ଏକଜୁଟ ରହିବା ହେଉଛି ଆମର ସାମୂହିକ ଇଚ୍ଛା ଓ ଆମର ଶକ୍ତି। ସର୍ଦ୍ଦାର ପଟେଲଙ୍କ ଜୀବନରୁ ପ୍ରେରିତ ହୋଇ ଆମେ ଭାଇଚାରା, ଶାନ୍ତି ଓ ସମୃଦ୍ଧିର ବନ୍ଧନକୁ ସୁଦୃଢ଼ କରିବା ଓ ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଭାରତ ଗଢିବା ପାଇଁ ଏକଜୁଟ ହେବା ଆବଶ୍ୟକ।

ଏହି ଅବସରରେ କ୍ରୀଡା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ଏହି ଦୌଡ଼ ମାଧ୍ୟମରେ ଆମେ ଏକତା, ସମନ୍ୱୟ ଓ ଦେଶପ୍ରେମର ଭାବନାକୁ ଜାଗ୍ରତ କରିବା ଓ ଏକ ସଶକ୍ତ ଭାରତ ଗଢିବାରେ ନିରନ୍ତର ଅଗ୍ରସର ହେବା ଆମ ସମସ୍ତଙ୍କ ଦାୟିତ୍ୱ। ପରିଶେଷରେ ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଦବ ଧନ୍ୟବାଦ ଦେଇଥିଲେ।

ସୂଚନା ଯୋଗ୍ୟଯେ ଏହି ଗଣଦୌଡ଼, କଳିଙ୍ଗ ଷ୍ଟାଡିଅମରୁ ଆରମ୍ଭ ହୋଇ ପାୱାର ହାଉସ ଛକ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ରନ ଫର ୟୁନିଟି କାର୍ଯ୍ୟକ୍ରମରେ ବରିଷ୍ଠ ଅଧିକାରୀ, ଛାତ୍ରଛାତ୍ରୀ, ଖେଳାଳି ଓ ସାହସ୍ରାଧିକ ନାଗରିକ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.