
“ରାଷ୍ଟ୍ରୀୟ ଏକତା ଶପଥ ନେଲେ ସମସ୍ତ କର୍ମଚାରୀ “
ରାୟଗଡା : ଭାରତର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ ଲୌହ ମାନବ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ପାଳନ ଅବସରରେ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ନିର୍ଦ୍ଦେଶ କ୍ରମେ ରାୟଗଡ଼ାରେ ‘ଏକତା ପାଇଁ ଦୌଡ଼’ (Run for Unity) କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ଉପଲକ୍ଷେ ସକାଳ ୭ ଘଟିକା ସମୟରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ପଦଯାତ୍ରାକୁ ପତାକା ହଲାଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ, ସହକାରୀ ଜିଲ୍ଲାପାଳ ପ୍ରଫୁଲ କୁମାର ବେହେରା, କୈଳାଶ ଚନ୍ଦ୍ର ସ୍ୱାଇଁ, ସମାଜସେବୀ ଗୋପୀ ଆନନ୍ଦ, କାଳିଚରଣ ମାଝୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶେଖ ଆଲେନୁର, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ ପ୍ରମୁଖ ଯୋଗଦାନ କରିଥିଲେ।
ଏହି ପଦଯାତ୍ରାରେ ମହାବିଦ୍ୟାଳୟ, ବିଦ୍ୟାଳୟ, ଆରକ୍ଷୀ ବାହିନୀ ଓ କେନ୍ଦ୍ରୀୟ ପୋଲିସ ସୁରକ୍ଷା ବଳର କର୍ମଚାରୀମାନେ ଯୋଗ ଦେଇଥିଲେ। ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ବ୍ଲକ ଛକ ଦେଇ କପିଳାଶ ଛକରୁ ସ୍ଥାନୀୟ ସଦଭାବନା କ୍ରୀଡ଼ାଙ୍ଗନ ପରିସରରେ ସମାବେଶ ହୋଇଥିଲା। ସେଠାରେ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରାଯାଇଥିଲା।
ସେହିପରି, ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଚିନ୍ତନ କକ୍ଷଠାରେ ରାଷ୍ଟ୍ରୀୟ ଏକତା ଶପଥ ଗ୍ରହଣ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଶପଥ କରାଇଥିଲେ।
ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀରୁ ମାସ ବ୍ୟାପୀ ପଦଯାତ୍ରା କରାଯିବାର କାର୍ଯ୍ୟକ୍ରମ ରହିଛି। ରାୟଗଡ଼ଠାରେ ଆସନ୍ତା ୮ ତାରିଖରେ ହେବାକୁ ଥିବା ‘ଏକତା ପାଇଁ ଦୌଡ଼’ (Run for Unity) କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରାଯାଇ ସହରର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଶେଷରେ ଏହା ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଜିଲ୍ଲା ଉଚ୍ଚ ବିଦ୍ୟାଳୟଠାରେ ସମାପ୍ତ ହେବ। ଏହି କାର୍ଯ୍ୟକ୍ରମରେ ଏକ ହଜାରରୁ ଅଧିକ ଲୋକ ଯୋଗଦାନ କରିବେ ବୋଲି ଆଶା କରାଯାଉଛି। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ସେହିପରି, ଗୁଣୁପୁର ଉପଖଣ୍ଡ ସଦର ମହକୁମାରେ ଆସନ୍ତା ୧୫ ତାରିଖରେ ଏହିପରି କାର୍ଯ୍ୟକ୍ରମ ଆୟୋଜନ କରାଯିବ।