
ଭୁବନେଶ୍ବର: ଇ-କେୱାଇସି କରି ନ ଥିଲେ ନଭେମ୍ବରରୁ ଆଉ ମିଳିବନି ଚାଉଳ । କିଛି ଦିନ ତଳେ ରାସନ କାର୍ଡଧାରୀଙ୍କୁ ଏଭଳି ଚେତାବନୀ ଦେଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ଯାତ୍ରା ଆଜି ଅକ୍ଟୋବର ମାସ ଶେଷ ହେଉଛି । ତଥାପି ରାଜ୍ୟରେ ୧୫ଲକ୍ଷରୁ ଅଧିକ ହିତାଧିକାରୀ ଇ-କେୱାଇସି କରି ନାହାନ୍ତି । ତେଣୁ ଲକ୍ଷାଧିକ ହିତାଧିକାରୀଙ୍କୁ ରାଜ୍ୟ ସରକାର ଚାଉଳ ବନ୍ଦ କରିଦେବେ ନା ବିକଳ୍ପ ବ୍ୟବସ୍ଥା କରିବେ ତାହା ଉପରେ ନଜର ରହିଛି । ରାସନ କାର୍ଡରୁ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବା ପାଇଁ ସରକାର ଇ-କେୱାଇସି ପ୍ରକିୟା ଆରମ୍ଭ କରିଥିଲେ । ଏହାରି ଭିତରେ କେନ୍ଦ୍ର ସରକାର ଇ-କେୱାଇସି ପ୍ରକିୟା ଅବଧିକୁ ବନ୍ଦ କରିଦେଇଛନ୍ତି । ତେଣୁ ନଭେମ୍ବର ପହିଲାରୁ ଇ-କେୱାଇସି କରିନଥିବା ହିତାଧିକାରୀଙ୍କୁ ଆଉ ଚାଉଳ ମିଳିବ ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ।
ଚଳିତ ମାସ ୨୯ ତାରିଖ ସୁଦ୍ଧା ୧୫ ଲକ୍ଷ ୫୭ହଜାର ୨୬୫ ହିତାଧିକାରୀ ଇ-କେୱାଇସି କରି ନାହାନ୍ତି ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ହିତାଧିକାରୀ ଏହି ପ୍ରକ୍ରିୟାରେ ସାମିଲ ହୋଇନାହାନ୍ତି । ସେହିପରି ଅଯୋଗ୍ୟ ହିତାଧିକାରୀ ଧରାପଡ଼ିବା ଭୟରେ ଇ-କେୱାଇସି କରୁନାହାନ୍ତି । ଉପାନ୍ତ ଅଞ୍ଚଳରେ ନେଟୱାର୍କ ସମସ୍ୟା ପାଇଁ ବହୁ ହିତାଧିକାରୀ ଅପ୍ଡେଟ୍ କରିପାରିନାହାନ୍ତି ।