ରାୟଗଡ଼ା ୟୁଜିଏମ୍ଆଇଟିରେ ଅଧ୍ୟାପକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ: ଛାତ୍ରୀଙ୍କ ଧାରଣା

youtube

ରାୟଗଡା : ରାୟଗଡ଼ାସ୍ଥିତ ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଅନୁଷ୍ଠାନ (UGMIT)ରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଆଜି ଜଣେ ଅଧ୍ୟାପକଙ୍କ ବିରୋଧରେ ଛାତ୍ରଛାତ୍ରୀମାନେ ଧାରଣାରେ ବସିଛନ୍ତି। ଅନୁଷ୍ଠାନ ସମ୍ମୁଖରେ ଧାରଣାରେ ବସି ଛାତ୍ରଛାତ୍ରୀମାନେ ‘ନ୍ୟାୟ ଦିଆଯାଉ’ ବୋଲି ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜି କରୁଥିବା ଦେଖିବାକୁ ମିଳିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ପ୍ରଥମ ସେମିଷ୍ଟାରର ଜଣେ ଛାତ୍ରୀଙ୍କୁ ଗଣିତ ବିଭାଗର ଅଧ୍ୟାପକ ପ୍ରଦୀପ ତ୍ରିପାଠୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ, ଇଣ୍ଟରନାଲ କମିଟିର ଯାଞ୍ଚ ପରେ ମଧ୍ୟ ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଗତ ୨୫ ତାରିଖରେ ଅଧ୍ୟାପକ ଜଣଙ୍କ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ପୂର୍ବରୁ ମଧ୍ୟ ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ ଅଭିଯୋଗ ହୋଇଥିବା ଜଣେ ଛାତ୍ର ପ୍ରକାଶ କରିଛନ୍ତି। ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଛାତ୍ରଛାତ୍ରୀମାନେ ଧାରଣାରେ ବସିବାକୁ ବାଧ୍ୟ ହୋଇଥିଲେ।

ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ ରାୟଗଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଛାତ୍ରଛାତ୍ରୀମାନେ ଅନୁଷ୍ଠାନର ଫାଟକ ବନ୍ଦ କରି ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ଅଟକ ରଖିଥିଲେ। ରାୟଗଡ଼ା ଏସଡିପିଓ ଗୌରହରୀ ସାହୁ ଏବଂ ଆଇଆଇସି ପ୍ରସନ୍ନ କୁମାର ବେହେରା ଉତ୍ତେଜିତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରୁଥିଲେ। ତେବେ ଛାତ୍ରଛାତ୍ରୀମାନେ ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଦ୍ ଧରି ଫାଟକ ସମ୍ମୁଖରେ ବସି ରହିଥିଲେ।

ଘଟଣା ପରେ ରାୟଗଡ଼ା ବିଧାୟକ ଆପଲାସ୍ୱାମୀ କାଡ୍ରାକା, କଂଗ୍ରେସର ବରିଷ୍ଠ ନେତା ଦୁର୍ଗା ପ୍ରସାଦ ପଣ୍ଡା, ବିଜେପିର କର୍ମକର୍ତ୍ତା ଏବଂ ବିଜେଡି ନେତାମାନେ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ସଂପୃକ୍ତ ଶିକ୍ଷକଙ୍କୁ ପୁଲିସ ଅଟକ ରଖିଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.