ପିଟି ପିଟି ମହିଳାଙ୍କୁ ହତ୍ୟା ଅଭିଯୋଗ

youtube

ବାରଙ୍ଗ: ରାଜଧାନୀରେ ଚାଞ୍ଚଲ୍ୟ । ମହିଳାଙ୍କୁ ମାଡ଼ ମାରି ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର ଲୋକ । ସେପଟେ ଫେରାର ହୋଇଯାଇଛନ୍ତି ଶାଶୁଘର ଲୋକେ । ଝିଅ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ପରିବାର । ନ୍ୟାୟ ପାଇଁ ନେହୁରା ହେଉଛନ୍ତି । ପିଟି ପିଟି ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ  ଅଭିଯୋଗ କରିଛନ୍ତି ପରିବାର ଲୋକେ।

ଘଟଣା ଘଟିଛି ନନ୍ଦନକାନନ ଥାନା ରଘୁନାଥପୁର ଗ୍ରାମ ସୋମନାଥ ନଗରରେ । ତେବେ ମୃତ ମହିଳା ଜଣକ ହେଲେ ରାଜନନ୍ଦିନୀ ସ୍ୱାଇଁ, ବୟସ ୨୮ ବର୍ଷ । ଝିଅର ନିଜ ଘର ନନ୍ଦନକାନନ ଥାନା କଲ୍ୟାଣପୁର ଗାଁରେ । ୧୦ ବର୍ଷ ତଳେ ବୈଦିକ ରିତିରେ ରଘୁନାଥପୁର ଗାଁର ଶ୍ରୀଧର ରାଉତଙ୍କୁ ବିବାହ କରିଥିଲେ ରାଜନନ୍ଦିନୀ । ତାଙ୍କର ଗୋଟିଏ ପୁଅ ଅଛି । ମହିଳାଙ୍କୁ ତାଙ୍କ ଶାଶୁ ଘର ଲୋକେ ମାଡ଼ ମାରି ହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ସେପଟେ ଘଟଣା ପରେ ଫେରାର ହୋଇଯାଇଛନ୍ତି ଶାଶୁଘର ଲୋକେ । ମୃତ ମହିଳାଙ୍କ ସ୍ବାମୀ ମଧ୍ୟ ଫେରାର ଅଛନ୍ତି । ମହିଳାଙ୍କ ଶରୀରରେ ମାଡ଼ ମରାଯାଇଥିବା ଚିହ୍ନ ରହିଛି । ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି ।

ଖବର ପାଇ ନନ୍ଦନକାନନ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ତଦନ୍ତ । ସେପଟେ ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଥାନା ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଂଚିଥିଲେ । ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରିବା ସହ ମୃତ ମହିଳାଙ୍କ ଶରୀରରେ ବିଭିନ୍ନ କ୍ଷତ ଚିହ୍ନ ଯାଞ୍ଚ କରିଥିବା ସୂଚନା ରହିଛି । ଯାଞ୍ଚ ପ୍ରକ୍ରିୟା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଘଟଣାରେ ମୃତକ ରାଜନନ୍ଦିନୀଙ୍କ ଶାଶୁ ଓ ଜଣେ ସମ୍ପର୍କୀୟଙ୍କୁ ପୋଲିସ ଅଟକ ରଖିଥିବା ନେଇ ସୂଚନା ମିଳିଛି  ।

କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ମହିଳାଙ୍କ ମୃତ୍ୟ କେମିତି ହେଲା ? ସତରେ ଘଟଣାରେ ଶାଶୂଘର ଲୋକେ ସାମିଲ ଅଛନ୍ତି ନା ରାଜନନ୍ଦିନୀଙ୍କ ମୃତ୍ୟୁ ପଛରେ ଆଉ କିଛି କାରଣ ରହିଛି ? ଏସବୁ ପ୍ରଶ୍ନର ଉତ୍ତର ତଦନ୍ତ ପରେ ହିଁ ସ୍ପଷ୍ଟ ହବ ।

Leave A Reply

Your email address will not be published.