ଦୁଇ ଭାଇଙ୍କୁ ଦଳିଦେଲା ହାତୀ: ଜଣେ ମୃତ, ଅନ୍ୟ ଜଣେ ଗୁରୁତର

youtube

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରେ ହାତୀ-ମଣିଷ ଲଢ଼େଇର କରୁଣ ପରିଣତି। ନିଜ ଦୁଇ ନାବାଳକ ପୁଅଙ୍କ ମଧ୍ୟରୁ ଜଣକୁ ହରାଇ ବୁକୁ ଫଟାଇ କାନ୍ଦୁଛି ଜନ୍ମଦାତ୍ରୀ ମାଆ। ଆଜି ସକାଳୁ ସକାଳୁ କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ଵନାଥପୁର ବନାଞ୍ଚଳ ତ୍ରିଲୋଚନପୂର ପଞ୍ଚାୟତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଦୁଇ ନାବାଳକ ନିଜ ଚାଷଜମିକୁ ଯାଉଥିବାବେଳେ ଜଙ୍ଗଲି ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ଜଙ୍ଗଲି ହାତୀ ଶୁଣ୍ଡରେ ଟେକି କଚାଡି ଦେବାରୁ ଘଟଣା ସ୍ଥଳରେ ହିଁ ନାବାଳକ ରବି ମାଝୀଙ୍କ ମୃତ୍ୟୁ ଘଟିଛି । ରବିର ବଡ଼ ଭାଇ ସମ୍ବରୁ ଗୁରୁତର ଆହତ ହୋଇଛି।
ମୃତ ରବି ଓ ଗୁରୁତର ସମ୍ବରୁ ଆଜି ସକାଳୁ ହରଡାପଦରରେ ଥିବା ନିଜ ଚାଷ ଜମି ପାଖରେ ଖେଳୁଥିଲେ। ଏହି ସମୟରେ ଜଙ୍ଗଲି ହାତୀ ସମରୁକୁ ଅତର୍କିତ ଭାବେ ଆକ୍ରମଣ କରିଥିଲା। ଏହା ଦେଖି ଭାଇକୁ ହାତୀ କବଳରୁ ବଞ୍ଚାଇବାକୁ ଯାଇ ରବି ହାତୀ ଆକ୍ରମଣର ଶିକାର ହୋଇଥିଲା। ଉତ୍ୟକ୍ତ ହାତୀ ରବିକୁ ଶୁଣ୍ଡରେ ଟେକି କଚାଡି ଦେବା ସହିତ ପାଦରେ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ରବିର ମୃତ୍ୟୁ ଘଟିଥିଲା। ପରେ ଖବର ପାଇ ବନ ବିଭାଗର ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିବା ସହ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି।

Leave A Reply

Your email address will not be published.