
ନୂଆପଡ଼ା : ନୂଆପଡ଼ା ଉପନିର୍ବାଚନ ପାଇଁ କାଲି ଥମିବ ପ୍ରଚାର । ଆସନ୍ତାକାଲି ଅପରାହ୍ଣ ୪ଟାରୁ ପ୍ରଚାର ବନ୍ଦ ହେବ । ଏହା୧୧ ତାରିଖ ସନ୍ଧ୍ୟା ୬ଟା ୩୦ଯାଏ ଜାରି ରହିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍. ଗୋପାଳନ୍ କହିଛନ୍ତି । ଆସନ୍ତା ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟ ନିଆଯିବ । ଏଥିପାଇଁ ଆସନ୍ତକାଲି ଅପରାହ୍ଣ ୪ଟାରୁ ୪୮ ଘଣ୍ଟିଆ ସାଇଲେନ୍ସ ପିରିୟଡ ଆରମ୍ଭ ହେବ । ଏହି ସମୟରେ ସମସ୍ତ ପ୍ରକାରର ପ୍ରଚାର, ସଭା, ସାଂସ୍କୃତିକ କିମ୍ବା ମନୋରଞ୍ଜନ କାର୍ଯ୍ୟକ୍ରମ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି ରହିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ଏଥିସହ ଯେଉଁ ରାଜନୈତିକ କର୍ମୀମାନେ ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ବାସିନ୍ଦା କିମ୍ବା ଭୋଟର ନୁହନ୍ତି ସେମାନଙ୍କୁ ପ୍ରଚାର ବନ୍ଦ ସମୟ ଆରମ୍ଭ ହେବା ପୂର୍ବରୁ ନିର୍ବାଚନମଣ୍ଡଳୀ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ମିଡିଆ କଭରେଜ୍, ଟେଲିଭିଜନ୍ ଓ ଡିଜିଟାଲ୍ ପ୍ଲାଟଫର୍ମରେ ଏବଂ ରାଜନୈତିକ ବିଜ୍ଞାପନ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । ସାଇଲେନସ ପିରିୟଡ ୪୮ ଘଣ୍ଟା ମଧ୍ୟରେ କୌଣସି ରାଜନୈତିକ ବିଷୟବସ୍ତୁ ପୋଷ୍ଟ କିମ୍ବା ସେୟାର ନକରିବା ପାଇଁ କୁହାଯାଇଛି । ଉପନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇ ଛି। ମୁକ୍ତ, ଅବାଧ ଓ ଶାନ୍ତିଶୃଙ୍ଖଳାର ସହ ଉପନିର୍ବାଚନ ପାଇଁ ପୋଲିସ୍ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ବଳ (CAPF) ମଧ୍ୟ ମୁତୟନ ଅଛନ୍ତି ।