ସରିଲା ପ୍ରଚାର, ଦିନକ ପରେ ନୂଆପଡ଼ାବାସୀ ବାଛିବେ ନିଜ ନୂଆ ବିଧାୟକ

youtube

ନୂଆପଡ଼ା : ସରିଲା ନୂଆପଡ଼ା ଉପନିର୍ବାଚନର ପ୍ରଚାର। ଦିନକ ପରେ ଭୋଟ୍ ଦେବେ ନୂଆପଡ଼ାବାସୀ । ବାଛିବେ ନିଜର ନୂଆ ବିଧାୟକ । ଏହି ଉପନିର୍ବାଚନରେ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଘମାଘୋଟ ପ୍ରଚାର ହୋଇଥିଲା । ଗୋଟିଏ ଉପନିର୍ବାଚନରେ ଏପରି ପ୍ରଚାର ଓ ପ୍ରତିଯୋଗିତା ଗତ ୧୦ ବର୍ଷ ମଧ୍ୟରେ ଦେଖିବାକୁ ମିଳିନି କହିଲେ ଭୁଲ ହେବ ନାହିଁ।

ଅକ୍ଟୋବର ୬ରେ ନିର୍ବାଚନ ତାରିଖ ଘୋଷଣା ହେଲା। ନୂଆପଡ଼ାର ବିକାଶ କଥା କହି, ବିଜେପି ପାଇଁ ପ୍ରଚାର ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କିନ୍ତୁ ନଭେମ୍ବର ୩ରେ ବିଜେଡି ପାଇଁ ବିରୋଧୀ ଦଳ ନେତା ନବୀନଙ୍କ ପ୍ରଚାର ପରେ ନୂଆପଡ଼ା ବ୍ୟାଟଲରେ ଘନେଇଲା ବେଇମାନ ବିବାଦ। ନିର୍ବାଚନ ତାରିଖ ଘୋଷଣା ପରଠୁ, ପ୍ରଚାର ଶେଷ ମଧ୍ୟରେ ନୂଆପଡ଼ରେ ଚାଲିଲା ବିଜେପି ଓ ବିଜେଡି ମଧ୍ୟରେ ଆକ୍ଷେପ ପ୍ରତିଆକ୍ଷେପ । ଏବେ ସ୍ଥିତି ଏମିତି ଯେ କିଏ ଆଗରେ କିଏ ପଛରେ ସହଜରେ ଆକଳନ କରି ହେଉ ନାହିଁ ।

ଯେଉଁଦିନ ତାରିଖ ଘୋଷଣା ହେଲା ସେହିଦିନ ନୂଆପଡ଼ା ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତାରିଖ ଘୋଷଣାର ଠିକ୍ ପୂର୍ବରୁ ନୂଆପଡ଼ା ପାଇଁ ୧୧୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ । ବିକଶିତ ନୂଆପଡ଼ାରୁ ଆରମ୍ଭ ହୋଇଯାଇଥିଲା ବିଜେପିର କ୍ୟାମ୍ପେନ୍।

ତାରିଖ ଘୋଷଣା ପରେ ପ୍ରାର୍ଥୀ ଘୋଷଣାରେ ଆଗରେ ଥିଲା କଂଗ୍ରେସ। ମାଟିର ପୁଅ, ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କଲା ଦଳ। ୨୦୧୯ ଓ ୨୦୨୪ରେ ଲଢି ଦ୍ବିତୀୟ ସ୍ଥାନରେ ରହିଥିଲେ ଘାସିରାମ। ୨୦୨୪ରେ ଘାସିରାମ ସ୍ବାଧୀନ ଭାବେ ଲଢ଼ି ପ୍ରାୟ ୫୦ ହଜାର ଭୋଟ୍ ପାଇଥିଲେ। ସେତେବେଳେ କଂଗ୍ରେସ ପ୍ରାର୍ଥୀ ଶରତ ପଟ୍ଟନାୟକ ପାଇଥିଲେ ମାତ୍ର ୧୫ ହଜାର ଭୋଟ୍। ତେଣୁ କଂଗ୍ରେସ ସହଜରେ ୬୦ ହଜାର ଭୋଟ୍ ପାଇବ ଏବଂ କଂଗ୍ରେସ ନିଶ୍ଚୟ ଜିତିବ ବୋଲି ଦଳ ଦୃଢ଼ୋକ୍ତି ପ୍ରକାଶ କଲା।

ଅକ୍ଟୋବର ୧୧ରେ ଆସିଲା ପ୍ରଥମ ବଡ଼ ରୋଚକ ମୋଡ଼। ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେଡିରୁ ପ୍ରାର୍ଥୀ ହେବାର ଥିଲା। କିନ୍ତୁ ନୂଆ ଚାଲ୍ ଚଳାଇଲେ ଜୟ ଢୋଲକିଆ। ପଦ୍ମ ଧରି ବିଜେପି ପ୍ରାର୍ଥୀ ହେଲେ। ଏହାପରେ ବିଜେଡ଼ିକୁ ପ୍ରାର୍ଥୀ ଖୋଜିବା ପାଇଁ କସରତ କରିବାକୁ ପଡିଲା। ଅତାବିରାର ପୂର୍ବତନ ବିଧାୟିକା ତଥା ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କା ପ୍ରାର୍ଥୀ କଲା ବିଜେଡି।

ନଭେମ୍ବର ୩। ନୂଆପଡ଼ା ନିର୍ବାଚନ ପ୍ରଚାରରେ ଆସିଲା ବଡ଼ ପରିବର୍ତ୍ତନ। କୋମନାରେ ପ୍ରଚାର କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଜେପି ସରକାରରେ ବିକାଶ କାମ ଠପ୍ ହୋଇଛି କହିଲେ। ଏହାସହ ଭୋଟ୍ ଚୋରି ଓ ପ୍ରାର୍ଥୀ ଚୋରି କଥା ଉଠାଇଲେ ନବୀନ। ଜୟ ଢୋଲକିଆଙ୍କୁ ଆକ୍ଷେପ କରି ବିଜେଡି ଓ ମୋ ପ୍ରତି ବେଇମାନୀ ହୋଇଥିବା କହିଲେ। ଲୋକେ ନଭେମ୍ବର ୧୧ରେ ବିଶ୍ୱାସଘାତର ଜବାବ ଦେବେ ବୋଲି କହିଥିଲେ ନବୀନ।

ନବୀନଙ୍କ ଏହି ଭାଷଣ, ନୂଆପଡ଼ା ଉପନିର୍ବାଚନ ପ୍ରଚାର ଗଣିତର ସମୀକରଣ ଓଲଟ ପାଲଟ ହୋଇଗଲା। ନଭେମ୍ୱର ୬ରେ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୋହନ କହିଥିଲେ, ଜୟ ଢୋଲକିଆ ବିଜେପିରେ ମିଶିବାକୁ ନେଇ ନବୀନଙ୍କ ମୁହଁରେ ବେଇମାନୀ ଶବ୍ଦ ଶୋଭା ପାଏ ନାହିଁ। ଏହାସହ ପୂର୍ବ ବର୍ଷ ଗୁଡିକରେ ବିଜେଡି ବିରୋଧୀ ପାର୍ଟିର ନେତାଙ୍କୁ ଆଣି ଦଳରେ ମିଶାଇଥିବା କଥା ମନେ ପକାଇ ଦେଲେ ମୋହନ ମାଝୀ। ବିଜେପୁର, କାକଟପୁର ଓ ନର୍ଲାର ଉଦାହରଣ ଦେଇଥିଲେ ମୋହନ।

ନଭେମ୍ୱର ୭ରେ ଖରିଆର ରୋଡ୍ ଓ ନୂଆପଡ଼ାରେ ରୋଡ୍ ଶୋ କଲେ ନବୀନ। ପାରକୋଡ ଜନସଭାରୁ ପୁଣି ଉଠାଇଲେ ବେଇମାନ ପ୍ରସଙ୍ଗ। ବିଜେଡି ସହ ଓ ତାଙ୍କ ସହ କିଭଳି ବେଇମାନୀ କରାଗଲା ତାକୁ ନେଇ ପୁଣି କଡ଼ା ଆକ୍ଷେପ କରିଥିଲେ। ନଭେମ୍ବର ୮ରେ ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜୟ ଢୋଲକିଆଙ୍କ ପାଇଁ ନୂଆପଡ଼ାରୁ ଖରିଆର ରୋଡ ପର୍ଯ୍ୟନ୍ତ ରୋଡ ସୋ କରିଥିଲେ। ପ୍ରଚାର ଶେଷ ବେଳକୁ ନବୀନ ଭିଡିଓ ବାର୍ତ୍ତାରେ ବିଜେପିକୁ ବିକାଶ ବିରୋଧୀ କହି, ବିଜେପିର ପରାଜୟ ନୂଆପଡ଼ାରୁ ଆରମ୍ଭ ହେବ ବୋଲି କହିଥିଲେ।

Leave A Reply

Your email address will not be published.