ସମଲିଙ୍ଗୀ ସମ୍ପର୍କ ପାଇଁ ପୁଅର ଜୀବନ ନେଲା ମା

youtube

ଚେନ୍ନାଇ: ସମଲିଙ୍ଗୀ ସମ୍ପର୍କ ପାଇଁ ଉଜୁଡ଼ିଲା ସଂସାର । ସମ୍ପର୍କରେ କଣ୍ଟା ସାଜୁଥିଲା ପୁଅ । ୫ ମାସର ପୁଅକୁ ରାସ୍ତାରୁ ହଟାଇଲା ମା’ । ମହିଳା ସାଥୀ ପାଇଁ ମା’ ଭୁଲିଗଲା ମମତା । ସ୍ବାମୀ ସୁରେଶ କାମକୁ ଗଲା ପରେ ମହିଳା ସାଥିକୁ ଭେଟୁଥିଲେ ସୁରେଶଙ୍କ ସ୍ତ୍ରୀ ଭାରତୀ । ଦୁଇ ଜଣ ମହିଳାଙ୍କ ଭିତରେ ଏମିତି ସମ୍ପର୍କ ଗଢ଼ି ଉଠିଥିଲା ଯେ ଗୋଟେ ନିରୀହ ଛୁଆର ଜୀବନ ନେବାକୁ ପଛାଇଲେନି । ମୋବାଇଲରେ କଥା ହୋଇ ପୁଅକୁ ମାରିବା ପାଇଁ ପ୍ଲାନ୍ କରିଥିଲେ ଉଭୟ । ପ୍ଲାନ୍ ଅନୁସାରେ କୁନି ପୁଅଟିକୁ ରାସ୍ତାରୁ ବି ହଟାଇଦେଲେ, କିନ୍ତୁ କଥାରେ ଅଛି ନା ସତ କେବେ ବି ଲୁଚି ରହେନି । ଭାରତୀଙ୍କ ଏ ଅମାନବୀୟ କାଣ୍ଡ ବି ଲୁଚି ରହିଲାନି । ମୋବାଇଲ ରେକର୍ଡିଂ ଓ ଚାଟରୁ ସବୁ ସତ ଜାଣି ପାରିଲେ ସୁରେଶ । ଯାହା ପରେ ଆକ୍ସନ ମୋଡକୁ ଆସିଛି ପୋଲିସ ।

ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ତାମିଲନାଡୁର କୃଷ୍ଣଗିରି ଜିଲ୍ଲାର କେଲାମଙ୍ଗଲମ୍ ଅଞ୍ଚଳରୁ ସାମ୍ନାକୁ ଆସିଛି । କେଲାମଙ୍ଗଲମ ଚିନ୍ନାଟ୍ଟି ଗାଁରେ ରହୁଥିବା ୩୮ ବର୍ଷୀୟ ସୁରେଶଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ତ୍ରୀ ତାଙ୍କ ୫ ମାସର ପୁଅର ହତ୍ୟା କରିଛି । ଘଟଣା ପରେ ପୋଲିସ ଉଭୟ ମହିଳାଙ୍କୁ ଗିରଫ କରି ତଦନ୍ତ ଚଳାଇଛି ।

ସୁରେଶ ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି । ସେ ୨୬ ବର୍ଷୀୟ ଭାରତୀଙ୍କୁ ବିବାହ କରିଥିଲେ। ଦମ୍ପତିଙ୍କର ୫ ଏବଂ ୪ ବର୍ଷର ଦୁଇଟି ଝିଅ ଏବଂ ପାଞ୍ଚ ମାସର ଗୋଟିଏ ପୁଅ ଥିଲା । ସୁରେଶ କହିଛନ୍ତି ଯେ ନଭେମ୍ବର ୫ ତାରିଖରେ ତାଙ୍କ  ପୁଅ ବେହୋସ ହେବା ନେଇ ଖବର ଆସିଥିଲା । ପୁଅକୁ ନେଇ କେଲାମଙ୍ଗଲମ୍ ର ସରକାରୀ ଡାକ୍ତରଖାନାକୁ ଯାଇଥିଲେ ସୁରେଶ । କିନ୍ତୁ ସେଠାରେ ଡାକ୍ତରମାନେ ପରୀକ୍ଷା ପରେ ତାଙ୍କ ପୁଅକୁ ମୃତ ଘୋଷଣା କରିଥିଲେ । ପରେ ପୁଅର ଦାହ ସଂସ୍କାର କରିଥିଲେ ପରିବାର ।

ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିଲେ ସୁରେଷ । କିନ୍ତୁ ଘଟଣାର କିଛି ଦିନ ପରେ ସୁରେଶଙ୍କର ଭାରତୀ ଉପରେ ସନ୍ଦେହ ହୋଇଥିଲା । ସେ ଭାରତୀଙ୍କ ଫୋନ୍ ଯାଞ୍ଚ କଲେ ଏବଂ ଅଭିଯୋଗ ଅନୁସାରେ ଫଟୋ, ଚାଟ୍ ଏବଂ ଭଏସ୍ ମେସେଜ୍ ପାଇଥିଲେ । ଏନେଇ ସେ ତୁରନ୍ତ କେଲାମଙ୍ଗଲମ୍ ପୋଲିସକୁ ସୂଚନା ଦେଇଥିଲେ।

ପୋଲିସ କହିବା ଅନୁଯାୟୀ ଭାରତୀ ଗତ ତିନି ବର୍ଷ ଧରି ସୁମିତ୍ରା ନାମକ ଜଣେ ମହିଳାଙ୍କ ସହିତ ସମ୍ପର୍କରେ ଥିଲେ । ଭାରତୀଙ୍କର ତୃତୀୟ ସନ୍ତାନ ଜନ୍ମ ହେବା ପରେ ସେମାନଙ୍କ ସାକ୍ଷାତ କମ୍ ହୋଇଗଲା । ଯାହା ପରେ ସେମାନଙ୍କ ସମ୍ପର୍କରେ ଫାଟ  ସୃଷ୍ଟି ହେଲା । ଆଉ ସମଲିଙ୍ଗୀ ସମ୍ପର୍କ ପାଇଁ ଭାରତୀ ନିଜ ୫ ମାସର ପୁଅର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଉଭୟ ମହିଳା ଫୋନ୍ କଲ୍ ରେ ଯାହା କଥା ହୋଇଥିଲେ ତାର ରେକର୍ଡିଂକୁ ପୋଲିସକୁ ଦେଇଛନ୍ତି ସୁରେଶ । ଅଭିଯୋଗ ଅନୁଯାୟୀ ଭାରତୀ କଲରେ ପିଲାର ଜୀବନ ନେଇଥିବା କଥାକୁ ସ୍ୱୀକାର କରିଛନ୍ତି । ଅଭିଯୋଗ ଏବଂ ଡିଜିଟାଲ୍ ପ୍ରମାଣ ଆଧାରରେ ପୋଲିସ ଭାରତୀ ଏବଂ ତାଙ୍କ ଅଭିଯୁକ୍ତ ସାଥୀ ସୁମିତ୍ରାଙ୍କୁ ଗିରଫ କରିଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.