ରୁଷିଆରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୫ ମୃତ, ୨ ଆହତ

youtube

ରୁଷିଆ : ରୁଷିଆର ଦାଗେସ୍ତାନରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାରେ ୫ ଜଣଙ୍କ ଜୀବନ ଚାଲିଯାଇଛି । ଏହି ଘଟଣା ଅଚି ସୁ ଗାଁ ନିକଟ କାସ୍ପିଆନ ସାଗରରେ ହୋଇଛି । ହେଲିକପ୍ଟର ଅନିୟନ୍ତ୍ରିତ ହୋଇ ତଳେ ମାଡ଼ ହୋଇ ପୁଣି ଉଠିବା ପରେ ଦୁର୍ଘଟଣାର ଶିକାର ହୋଇଛି । ମୃତକଙ୍କ ମଧ୍ୟରେ ଇଲେକ୍ଟ୍ରୋ ମେକାନିକାଲ ପ୍ଲାଣ୍ଟର ୪ ଜଣ କର୍ମଚାରୀ ସାମିଲ ରହିଛନ୍ତି । କମ୍ପାନୀ ପକ୍ଷରୁ ଗତକାଲି ଏହି ଦୁଃଖଦ ଘଟଣା ବିଷୟରେ ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ପ୍ଲାଣ୍ଟର ଡେପୁଟି ଜେନେରାଲ ଡାଇରେକ୍ଟର ଏବଂ ହେଲିକପ୍ଟରର ମେକାନିକ ସାମିଲ ରହିଛନ୍ତି । ଘଟଣାରେ ୨ ଜଣ ଆହତ ହୋଇଛନ୍ତି ।

ହେଲିକପ୍ଟର ଦୁର୍ଘଟଣା ହେବାର କାରଣ ଏଯାଏଁ ଜଣାପଡିନାହିଁ । ହେଲିକପ୍ଟର ପର୍ଯ୍ୟଟକଙ୍କୁ ନେଇ ଯାଉଥିଲା ବୋଲି କୁହାଯାଉଥିଲା କିନ୍ତୁ, ପରେ ଇଲେକ୍ଟ୍ରୋ ମେକାନିକାଲ ପ୍ଲାଣ୍ଟର କର୍ମଚାରୀ ଥିବା ଜଣାପଡିଥିଲା । ଏହି କମ୍ପାନୀ ରକ୍ଷା ଉପକରଣ ତିଆରି କରେ । ଏହା ଉପରେ ଆମେରିକା ପ୍ରତିବନ୍ଧ ଲଗାଇଥିଲା ।

KA-226 ଏକ ଟ୍ବିନ ଇଂଜିନ ହେଲିକପ୍ଟର, ଏଥିରେ ୭ ଜଣ ଯାତ୍ରୀ ବସିପାରିବେ । ଏହି ହେଲିକପ୍ଟର ସାଧାରଣତଃ ଉଚ୍ଚ ସ୍ଥାନ ଏବଂ କଠିନ ପରିସ୍ଥିତିରେ ପରିଚାଳିତ ହୋଇଥାଏ ।

Leave A Reply

Your email address will not be published.