
ବ୍ରହ୍ମପୁର : ରାଜ୍ୟ ସମବାୟ ବିଭାଗ ଦ୍ୱାରା ପରିଚାଳିତ ପ୍ରାଥମିକ କୃଷି ସେବା ସମବାୟ ସମିତି ( ପାକ୍ସ ) କୃଷକ ମାନଙ୍କ ଅର୍ଥନୈତିକ ବିକାଶ ଦିଗରେ ଗୁରୁତ୍ୱପୂର୍ଣ ଭୂମିକା ନିଭାଇ ଥାନ୍ତି । କୃଷି ଉତ୍ପାଦିତ ସାମଗ୍ରୀର କ୍ରୟ, ବିକ୍ରୟ, ସହ ବିଭିନ୍ନ ପ୍ରକାର ସାର ରିହାତି ଦରରେ ଯୋଗାଇ କୃଷକ ମାନଙ୍କୁ ଲାଭନ୍ୱିତ କରିଥାନ୍ତି। କହିବାକୁ ଗଲେ ସମବାୟ ସମିତି କୃଷକ ମାନଙ୍କ ନିଜସ୍ବ ଅନୁଷ୍ଠାନ । କିନ୍ତୁ ରାଜନୈତିକ ଇଛାଶକ୍ତି ଓ ପ୍ରଶାସନିକ ଉଦାସୀନତା ଯୋଗୁଁ ଏହି ଅନୁଷ୍ଠାନ ଆଜି ବିଭିନ୍ନ ଦିଗରୁ ଅବହେଳିତ।କେନ୍ଦ୍ର ଓ ରାଜ୍ୟ ସରକାର ସମବାୟ ଅନୁଷ୍ଠାନ ଗୁଡିକର ଭିତିଭୂମି ବିକାଶ ପାଇଁ ଆର୍ଥିକ ଅନୁଦାନ ଯୋଗାଇବା ସହ କୃଷକ ମାନଙ୍କ ବିକାଶ ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ଏହି ସଂସ୍ଥା ସାମ୍ପ୍ରତିକ ସମୟରେ ସଙ୍କଟ ଜନକ ସ୍ଥିତିରେ ରହିଛି।
ଏହାର ସ୍ଥାୟୀ ସମାଧାନ ପାଇଁ ଆଜି କୁକୁଡାଖଣ୍ଡି ଓ ଦିଗପହଣ୍ଡି ବ୍ଲକ ଶାଖା ଅଧୀନରେ ଥିବା ସମସ୍ତ ପ୍ରାଥମିକ କୃଷି ସେବା ସମବାୟ ସମିତି ସମ୍ପାଦକ, ସଭାପତି ଓ ନିର୍ଦ୍ଦେଶକ ମାନଙ୍କ ଏକ ବନ୍ଧୁମିଳନ ବୈଠକ ଗଡ଼ ଗୋବିନ୍ଦପୁର ପାକ୍ସର ସଭାପତି ତଥା କେ. ହରିବନ୍ଧୁ ରେଡ୍ଡିଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇଥିଲା। ଦିଗପହଣ୍ଡି ବ୍ଲକର ଖେମୁଣ୍ଡି କାଳୁଆ ଠାରେ ଆୟୋଜିତ ବନ୍ଧୁମିଳନ ଉତ୍ସବରେ ମୁଖ୍ୟ ଅତିଥିଭାବେ ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତି ଶିବରାମ ପାତ୍ର, ସମ୍ମାନିତ ଅତିଥିଭାବେ ବିସିସି ବ୍ୟାଙ୍କ ଦିଗପହଣ୍ଡି ଜୋନ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ନାଏକ, ବିସିସି ବ୍ୟାଙ୍କ ନିର୍ଦ୍ଦେଶକ ଭବାନୀ ଶଙ୍କର ବିଶ୍ୱାଳ ଓ ସମବାୟ ସଂଘ ନିର୍ଦ୍ଦେଶକ ବୃନ୍ଦାବନ ଖଟେଇ ଓ ଅନ୍ୟତମ ଅତିଥିଭାବେ ଦିଗପହଣ୍ଡି ପାକ୍ସ ସଭାପତି ପ୍ରମୋଦ କୁମାର ପାଣିଗ୍ରାହୀ, ଆମ୍ବଗଡ଼ ପାକ୍ସ ସଭାପତି କାହ୍ନୁ ଚରଣ ପାତ୍ର, ଦକ୍ଷିଣପୁର ପାକ୍ସ ସଭାପତି ସନ୍ତୋଷ କୁମାର ଚୌଧୁରୀ ପ୍ରମୁଖ ଆୟୋଜିତ ସଭାରେ ମଞ୍ଚାସୀନ ଥିଲେ। ସଭାକାର୍ଯ୍ୟ ଅବ୍ୟବହିତ ପୂର୍ବରୁ କେ. ହରିବନ୍ଧୁ ରେଡ୍ଡି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ରଖିଥିଲେ। ପରେ ଆଲୋଚନା ସଭା ଆରମ୍ଭ ହୋଇଥିଲା। ଉପସ୍ଥିତ ସମିତି ସମ୍ପାଦକ ଓ ସଭାପତି ମାନେ ସମିତି ପରିଚାଳନା ରେ ଉପୁଜି ଥିବା ବିଭିନ୍ନ ସମସ୍ୟା ଉପରେ ନିଜ, ନିଜର ମତ ଉପସ୍ଥାପନା କରିଥିଲେ। କୃଷକ ମାନଙ୍କ ଅଧିକାର ଓ ସମିତି ର ବିକାଶ ପାଇଁ ସମସ୍ତ ନିର୍ବାଚିତ କର୍ମକର୍ତ୍ତା ଏକଜୁଟ ହେବା ପାଇଁ ବକ୍ତା ମାନେ ଆହ୍ୱାନ ଜଣାଇ ଥିଲେ। ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ରେ ସମିତିର ଋଣଗ୍ରହୀତା ମାନଙ୍କ ଜମା ଥିବା ଅଂଶ ଧନକୁ ଆଜି ସୁଦ୍ଧା ଫେରସ୍ତ କରି ନାହାନ୍ତି।
ଏ ସମ୍ପର୍କରେ ବହୁବାର ଦାବୀ ହୋଇଛି। ଡି.ଆର.ସି.ଏସ ଓ ଏ.ଆର.ସି.ଏସ ବ୍ରହ୍ମପୁର ଓ ଆସିକା କେନ୍ଦ୍ରୀୟ ସମବାୟ ଓ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ ମଧ୍ୟ ଏ ଦିଗରେ ସମୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷ କାଳ କ୍ଷେପଣ ନୀତି ଯୋଗୁଁ ଅନେକ ସମିତି ବିପର୍ଯ୍ୟୟ ସ୍ଥିତିରେ ପହଞ୍ଚିଲାଣି।କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତି ସମିତି ର ଗୋଦାମ ଗୃହ ନିର୍ମାଣ ପାଇଁ ରାଜସ୍ୱ ବିଭାଗକୁ ଚିଠି ଲେଖିଥିଲେ ମଧ୍ୟ ସମ୍ପୃକ୍ତ ଅଧିକାରୀ ମାନେ ଏ ଦିଗରେ ଧ୍ୟାନ ନଦେବା ଅତ୍ୟନ୍ତ ପରିତାପର ବିଷୟ ହୋଇଛି। ଏବଂ ଧାନ କିଣାବିକା ସମୟରେ ସରକାରୀ ସ୍ତରରେ ଯେଉଁ ନିଷ୍ପତି ନିଆଯାଉଛି ସେଥିରେ ସମବାୟ ସମବାୟ ସଭାପତି ମାନଙ୍କୁ ସମ୍ପୃକ୍ତି କରାଯାଉ ନଥିବା ଯୋଗୁଁ ଧାନ କିଣାବିକା ସମୟରେ ଚାଷୀଙ୍କୁ ବହୁତ ଅସୁବିଧା ର ସମୁଖୀନ ହେବାକୁ ପଡୁଛି। ଏଣୁ ଦିଗରେ ସମ୍ପୃକ୍ତ ବିଭାଗୀୟ ପ୍ରଶାସନ ପ୍ରମୁଖ ଦାବି ଗୁଡିକ ପୂରଣ ପାଇଁ ସମସ୍ତ କର୍ମକର୍ତ୍ତା ଏକାଠି ହେବା ପାଇଁ ଆଜିର ବୈଠକରେ ସଂକଳ୍ପ ନେଇଥିଲେ।ଆଜିର ସଭାରେ ଉଭୟ ବ୍ଲକର ସମସ୍ତ ସମ୍ପାଦକ ଓ ନିର୍ବାଚିତ କର୍ମକର୍ତ୍ତା ମାନଙ୍କ ସକ୍ରିୟ ଯୋଗଦାନ କରି ସଭାକୁ ସଫଳ କରିଥିବା ଯୋଗୁଁ ଆମ୍ବଗଡ ସମବାୟ ସମିତିର ସଭାପତି କାହ୍ନୁ ଚରଣ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।