ଦିଲ୍ଲୀ ବିସ୍ଫୋରଣ: ଗୃହମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

add-all

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ। ବିସ୍ଫୋରଣ ପରେ ସ୍ଥିତି ସମୀକ୍ଷା ପାଇଁ ଶାହଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଗୃହ ସଚିବ, ଗୁଇନ୍ଦା ନିର୍ଦ୍ଦେଶକ, ଏନ୍‌ଆଇଏ ଡିଜି, ଦିଲ୍ଲୀ ପୋଲିସ କମିଶନର ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଅଛନ୍ତି। ଏବଂ ଭର୍ଚୁଆଲରେ ଉପସ୍ଥିତ ଅଛନ୍ତି ଜାମ୍ମୁ-କାଶ୍ମୀର ପୁଲିସ୍‌ ଡିଜି।
ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଦିଲ୍ଲୀ ଲାଲକିଲ୍ଲା ନିକଟସ୍ଥ ସୁଭାଷ ମାର୍ଗ ଟ୍ରାଫିକ୍‌ ସିଗନାଲ ନିକଟରେ ଏକ ହୁଣ୍ଡାଇ ଆଇ୨୦ କାର୍‌ରେ ବିସ୍ଫୋରଣ ହୋଇଛି। ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ଏଥିରେ ୨୪ ଜଣ ଆହତ ହୋଇଥିବାବେଳେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପୁରୁଣା ଦିଲ୍ଲୀର ଲାଲ୍‌ କିଲ୍ଲା ନିକଟ ମେଟ୍ରୋ ଷ୍ଟେସନ ୧ ନମ୍ବର ଗେଟ ପାଖରେ ଏକ କାରରେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ବିସ୍ଫୋରଣର କାରଣ ଜଣାପଡ଼ି ନାହିଁ। ବିସ୍ଫୋରଣ ପରେ ଅନ୍ୟ ୩ଟି କାରରେ ନିଆଁ ଲାଗିଯାଇଥିଲା। ମାତ୍ର ବିସ୍ଫୋରଣ ଯୋଗୁ ପ୍ରାୟ ଆଖପାଖରେ ଥିବା ୨୦ରୁ ଅଧିକ ଯାନବାହନ କ୍ଷତିଗ୍ରସ୍ତ ହୋଇଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି।

ad-week
Leave A Reply

Your email address will not be published.