
କୋରାପୁଟ/କୋଟପାଡ଼ : କୋରାପୁଟ ଜିଲ୍ଲାରେ ଜାତୀୟସ୍ତରୀୟ ଲୋକ ମହୋତ୍ସବ ‘ପରବ-୨୦୨୫’ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଯାଇଛି। ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କୁଟୁଣିପଦର ସ୍ଥିତ ସହସ୍ର ଶିବଲିଙ୍ଗ ମନ୍ଦିରରୁ ପୂଜାର୍ଚ୍ଚନା ପରେ ‘ପରବ ମଶାଲ’ ପ୍ରଜ୍ୱଳିତ କରାଯାଇଥିଲା। ଏହି ମଶାଲ ଏକ ବିରାଟ ଶୋଭାଯାତ୍ରାରେ ମନ୍ଦିରରୁ ବାହାରି ଉଦ୍ଘାଟନୀ ଉତ୍ସବ ମଞ୍ଚ ନିକଟକୁ ଆସିଥିଲା।
ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇ ଆନୁଷ୍ଠାନିକ ଭାବେ ଏହି ମହୋତ୍ସବକୁ ଉଦ୍ଘାଟନ କରାଯାଇଥିଲା। କୋରାପୁଟ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ କୋରାପୁଟ ବିଧାୟକ ରଘୁରାମ ମାଛ, ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ାମ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା, କୋଟପାଡ଼ ବିଧାୟକ ରୂପୁ ଭତ୍ରା, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ଜିଲ୍ଲାପାଳ ‘ପରବ ଶପଥ’ ପାଠ କରାଇଥିଲେ ଏବଂ ଅତିଥିମାନଙ୍କ ଦ୍ୱାରା ‘ପରବ ପୋଷ୍ଟର’ ଓ ‘ଷ୍ଟିକର’ ଉନ୍ମୋଚିତ ହୋଇଥିଲା। ମଞ୍ଚାସୀନ ଅତିଥିମାନେ ‘ପରବ’ର ଗୌରବ ଗାଥା ସମ୍ପର୍କରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା ଓ ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା କହିଥିଲେ ଯେ, ଜିଲ୍ଲାର ଲୁକ୍କାୟିତ ପ୍ରତିଭାକୁ ଏକ ମଞ୍ଚ ଯୋଗାଇ ଦେବା ଏବଂ ସେମାନଙ୍କୁ ଉଚିତ ମାର୍ଗଦର୍ଶନ କରିବା ଉଦ୍ଦେଶ୍ୟରେ ୧୯୯୬ ମସିହାରେ ଆରମ୍ଭ ହୋଇଥିବା ‘ପରବ’ ଆଜି ଅନେକ ଦିଗରେ ସଫଳତା ଆଣିଦେଇଛି।
ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀପୁର ଅଧ୍ୟକ୍ଷା ଶୁଆଇ କୁଲେସିକା, ଉପାଧ୍ୟକ୍ଷ ଆରତୀ କୁଲଦୀପ, କୁସୁମଗୁଡ଼ା ସରପଞ୍ଚ ଇନ୍ଦ୍ର ପାଞ୍ଜିଆ, ପୂର୍ବତନ ସାଂସଦ ଜୟରାମ ପାଙ୍ଗି ଓ ଝିନ୍ ହିକକା ଏବଂ କୋରାପୁଟ ଓ ନବରଙ୍ଗପୁର ସାଂସଦଙ୍କ ପ୍ରତିନିଧିମାନେ ଉପସ୍ଥିତ ଥିଲେ। କୋରାପୁଟ ଉପ ଜିଲ୍ଲାପାଳ ପ୍ରେମଲାଲ ହିଆଲ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ସୂର୍ଯ୍ୟକାନ୍ତ ବେହେରା, ଲକ୍ଷ୍ମୀପୁର ବିଡିଓ ସବ୍ୟସାଚୀ ବେହେରା ଏବଂ ବ୍ଲକ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଦିବାସୀ ସଙ୍ଗୀତର ତାଳେ ତାଳେ ପ୍ରଶାସନିକ ଅଧିକାରୀ ଏବଂ ବିଧାୟକମାନେ ନାଚୁଥିବାର ଦେଖିବାକୁ ମିଳିଥିଲା। ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ପ୍ରଦର୍ଶନୀ ମେଳା ମଧ୍ୟ ଉଦ୍ଘାଟନ କରାଯାଇଥିଲା।
ଏହା ପୂର୍ବରୁ ଆଜି ସକାଳେ କୋରାପୁଟ ନିଶାଣୀମୁଣ୍ଡା ଠାରେ ଗ୍ରାମଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା। ‘ପରବ’ ଆୟୋଜନ କମିଟିର ସଦସ୍ୟମାନେ ମାଆଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏହି ଅବସରରେ କୋରାପୁଟ ବିଧାୟକ ରଘୁରାମ ମାଛ, ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, କୋରାପୁଟ ଉପ ଜିଲ୍ଲାପାଳ ପ୍ରେମଲାଲ ହିଆଲ, ଜିଲ୍ଲା ସଂସ୍କୃତି ଅଧିକାରୀ ସୂର୍ଯ୍ୟକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।