ବ୍ରହ୍ମାକୁମାରୀ ଶିବାନୀ ଦିଦିଙ୍କ ବ୍ରହ୍ମପୁର ଗସ୍ତ ପୂର୍ବରୁ ଶାନ୍ତିକୁଣ୍ଡରେ ସାମ୍ବାଦିକ ସମ୍ମିଳନୀ

youtube


ବ୍ରହ୍ମପୁର :
 ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଶାନ୍ତିକୁଣ୍ଡ, ଗିରିରୋଡ଼ ପ୍ରାଙ୍ଗଣରେ ଆଜି ପୂର୍ବାହ୍ନ ୧୧ଟାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଖ୍ୟାତନାମା ଆଧ୍ୟାତ୍ମିକ ମାର୍ଗଦର୍ଶିକା, ଜୀବନ ପରିଚାଳନା ବିଶେଷଜ୍ଞା, ଅନ୍ତରାଷ୍ଟ୍ରୀୟ ପ୍ରେରଣାଦାୟକ ଅଭିଭାଷିକା ତଥା ବରିଷ୍ଠ ରାଜଯୋଗ ଶିକ୍ଷିକା ବ୍ରହ୍ମାକୁମାରୀ ଶିବାନୀ ଦିଦିଙ୍କ ପ୍ରଥମ ଥର ପାଇଁ ବ୍ରହ୍ମପୁର ସହରକୁ ପଦାର୍ପଣ ଉପଲକ୍ଷେ ଏହି ସମ୍ମିଳନୀର ଆୟୋଜନ କରାଯାଇଥିଲା।

ସମ୍ମିଳନୀରେ ବ୍ରହ୍ମପୁର ସବଜୋନ୍ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଭଗ୍ନୀ ମାଳା, ଭଗ୍ନୀ ଶିବାନୀ ଦିଦିଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ବର୍ଣ୍ଣନା କରି କହିଥିଲେ ଯେ, ଭଗ୍ନୀ ଶିବାନୀ ହେଉଛନ୍ତି ଏକାଧାରରେ ଜଣେ ଲେଖିକା, ଦାର୍ଶନିକା ତଥା ଅନେକ ସିନେମା ଏବଂ କ୍ରୀଡ଼ା ଜଗତର ଅଭିନେତା ତଥା ସାଧାରଣ ଜନତାଙ୍କ ଆଧ୍ୟାତ୍ମିକ ଗୁରୁ। ସେ ନିଜର ଧାରଣାମୟ ଜୀବନର ଅନୁଭବ, ରାଜଯୋଗ ଧ୍ୟାନ ଏବଂ ସୁପ୍ରବନ୍ଧନ ନେତୃତ୍ୱ ଦ୍ୱାରା ବାହ୍ୟଚାପ ବା ଅତ୍ୟଧିକ ନକରାତ୍ମକ ମାନସିକ ଚିନ୍ତା ବା ଚାପ କିପରି ଶରୀରକୁ ରୋଗାକ୍ରାନ୍ତ ତଥା ଭାରାକ୍ରାନ୍ତ କରିଥାଏ ଏବଂ ଏଥିରୁ ମୁକ୍ତି ପ୍ରାପ୍ତ କରି କିପରି ବର୍ତ୍ତମାନର ଜଟିଳ ଦୁଃଖମୟ ସମାଜରେ ରହି ମଧ୍ୟ ସୁଖ, ଶାନ୍ତି, ଆନନ୍ଦମୟ ଜୀବନଯାପନ କରିପାରିବେ, ସେ ସମ୍ପର୍କରେ ବିଶେଷ ବିବରଣୀ ପ୍ରଦାନ କରିଥା’ନ୍ତି।

ଭଗ୍ନୀ ଶିବାନୀ ବ୍ରହ୍ମାକୁମାରୀଙ୍କ ଦ୍ୱାରା ପ୍ରସ୍ତୁତ “Awakening with Brahmakumari’s” ତଥା “Happiness Unlimited serial” ମାଧ୍ୟମରେ ଅନେକ ଦର୍ଶକଙ୍କ ପ୍ରଶ୍ନର ଉତ୍ତର ସମ୍ପର୍କିତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଦ୍ୱାରା ଦର୍ଶକମାନଙ୍କର ହୃଦୟକୁ ଜିତି ପାରିଛନ୍ତି। ଭଗ୍ନୀ ଶିବାନୀ ଭାରତ ତଥା ସମଗ୍ର ବିଶ୍ୱର ବିଶାଳ ଜନସମୁଦ୍ରକୁ ନିଜ ମନସ୍ତାତ୍ୱିକ, ଦାର୍ଶନିକ, ସାମାଜିକ ତଥା ଆଧ୍ୟାତ୍ମିକ ଚିନ୍ତାଧାରାର ପ୍ରତିଫଳନ ପ୍ରଦର୍ଶିତ କରି ଆସୁଛନ୍ତି। ୨୦୧୪ ମସିହାରେ Assocham Ladies League ଦ୍ୱାରା ”Women of the Decade Achievers”, ୨୦୧୭ ମସିହାରେ World Psychiatric Association ଦ୍ୱାରା ”Goodwill Ambassador” ଏବଂ ୨୦୧୯ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ନାରୀଶକ୍ତି ପୁରସ୍କାର ଆଦି ଶିବାନୀ ଦିଦି ପ୍ରାପ୍ତ କରିଛନ୍ତି।

ଏହି ବିଶ୍ୱପ୍ରଖ୍ୟାତ ରାଜଯୋଗ ପ୍ରଶିକ୍ଷକା ଶିବାନୀ ଦିଦି ଆସନ୍ତା ବୁଧବାର, ୧୯.୧୧.୨୦୨୫ ରିଖ ସନ୍ଧ୍ୟା ୫ଟାରେ ସ୍ଥାନୀୟ ଖଲ୍ଲିକୋଟ କଲେଜ ଷ୍ଟାଡିୟମଠାରେ ”ଆଧୁନିକ ଜଗତରେ ଭାବନାତ୍ମକ ବ୍ୟକ୍ତିତ୍ୱ” ସମ୍ପର୍କିତ ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନ କରିବେ। ତତ୍ପୂର୍ବରୁ ବରିଷ୍ଠ ପ୍ଲେବ୍ୟାକ୍ ସିଙ୍ଗର ଭ୍ରାତା ହରିଶ ମୋୟାଲ ଏକ ଅଦ୍ଭୁତ ସଙ୍ଗୀତମୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ତତ୍ପରେ ନଭେମ୍ବର ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ମାଇଣ୍ଡ ଟ୍ରେନର ମାଉଣ୍ଟ ଆବୁସ୍ଥିତ ଭ୍ରାତା ରାଜଯୋଗୀ ବ୍ରହ୍ମାକୁମାର ଶକ୍ତିରାଜ ରାଜଯୋଗ ମେଡିଟେସନ୍ ଶିବିର କାର୍ଯ୍ୟକ୍ରମରେ ଯୋଗଦେବେ।

ଭଗ୍ନୀ ମାଳା ବ୍ରହ୍ମପୁର ସହରର ଆଧ୍ୟାତ୍ମିକ ପ୍ରେମୀ ଜନସାଧାରଣଙ୍କୁ ପଞ୍ଜୀକରଣ ମାଧ୍ୟମରେ ଉକ୍ତ କାର୍ଯ୍ୟକ୍ରମ ଦ୍ୱାରା ଲାଭାନ୍ୱିତ ହେବା ପାଇଁ ଆହ୍ୱାନ ଦେଇଥିଲେ। ତତ୍ପରେ ଭଗ୍ନୀ ମାଳା ଉପସ୍ଥିତ ସାମ୍ବାଦିକମାନଙ୍କୁ ରାଜଯୋଗ ଦ୍ୱାରା ସୁଖ, ଶାନ୍ତି, ପବିତ୍ରତାର ଅନୁଭବ କରାଇଥିଲେ।

ରାଜଯୋଗ ଶିକ୍ଷିକା ବ୍ରହ୍ମାକୁମାରୀ ଲକ୍ଷ୍ମୀ କାର୍ଯ୍ୟକ୍ରମ ପରିଚାଳନା ପୂର୍ବକ କହିଥିଲେ ଯେ, ବର୍ତ୍ତମାନ ସମଗ୍ର ବିଶ୍ୱରେ ଅଶାନ୍ତି, କଳହ, ଈର୍ଷା, ଦ୍ୱେଷ, ଦ୍ୱନ୍ଦ୍ୱ ତଥା ଯୁଦ୍ଧମୟ ପରିସ୍ଥିତି ସମୟରେ ବ୍ରହ୍ମାକୁମାରୀ ସଂଗଠନ ଦ୍ୱାରା ଏହି କାର୍ଯ୍ୟକ୍ରମ ଅନେକ ଆତ୍ମାଙ୍କୁ ନିଶ୍ଚିତ ଭାବେ ଅନୁପ୍ରାଣିତ କରିପାରିବ। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁରର ସମସ୍ତ ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ ଏବଂ ସୋସିଆଲ ମିଡିଆର ସାମ୍ବାଦିକମାନେ ଯୋଗ ଦେଇ ଏପରି ଏକ ଆଧ୍ୟାତ୍ମିକ ଚେତନାର ଜାଗରଣ ରୂପି ଜନକଲ୍ୟାଣ କାର୍ଯ୍ୟକ୍ରମ ଆୟୋଜନ ସକାଶେ ଶୁଭକାମନା ଜ୍ଞାପନ କରିଥିଲେ।

Leave A Reply

Your email address will not be published.