
ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଧାୟକ ଶ୍ରୀଯୁକ୍ତ ମଙ୍ଗୁ ଖିଲଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟକଙ୍କ ଜିଲ୍ଲା ପ୍ରତିନିଧି ଶ୍ରୀ ଗୋବିନ୍ଦ ପାତ୍ର । ଚିତ୍ରକୋଣ୍ଡା ଠାରେ ଆୟୋଜିତ ଏକ ପ୍ରେସମିଟ ଜରିଆରେ ସେ ଏହି ସୂଚନା ଦେଇଛନ୍ତି ।
ଗତ ଅକ୍ଟୋବର ୩୦ ତାରିଖରେ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା, ସମସ୍ତ ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ମିଳିତ ଭାବେ ବିଧାୟକ ଶ୍ରୀ ଖିଲଙ୍କ ନାମରେ ବିଡିଓଙ୍କ ନିକଟରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ । ଅଭିଯୋଗ ଅନୁସାରେ, ବ୍ଲକ ଅଧ୍ୟକ୍ଷା କହିଥିଲେ ଯେ “ଆମ ଗାଆଁ ଆମ ବିକାଶ” ଯୋଜନାରେ ଥିବା ସମସ୍ତ କାମର ୪୦% ଭାଗ ବିଧାୟକ କଂଗ୍ରେସ କର୍ମୀଙ୍କୁ ବାଣ୍ଟିବା ପାଇଁ ବିଡିଓ ଓ ଜେଇମାନଙ୍କୁ ବାଧ୍ୟ କରୁଛନ୍ତି ।
ଏହି ଅଭିଯୋଗକୁ ଦୃଢ଼ ଭାବରେ ଖଣ୍ଡନ କରି ଗୋବିନ୍ଦ ପାତ୍ର କହିଛନ୍ତି ଯେ, ବ୍ଲକ ଅଧ୍ୟକ୍ଷା ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଏକ ହୀନ ରାଜନୀତିର ନମୁନା ମାତ୍ର । ତାଙ୍କ ମତରେ, ଏହା କେବଳ ବିଧାୟକଙ୍କ ନିର୍ମଳ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବା ପାଇଁ ଏକ ପ୍ରଚେଷ୍ଟା ।
ଗୋବିନ୍ଦ ପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ବିଜେଡି ଦଳ ପକ୍ଷରୁ ଥିବା ଓ ବର୍ତ୍ତମାନ ବିଜେପି ସରକାରରେ ଥିବା ବେଳେ ବିଧାୟକ କଂଗ୍ରେସ ଦଳରୁ ଥିବା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି । ତାଙ୍କ ଅନୁସାରେ, ପୂର୍ବରୁ କରିଥିବା ଭୁଲ କାମ ଏବଂ ମିଛ ବିଲ୍ କରିଥିବା କାମଗୁଡ଼ିକର ତଦନ୍ତକୁ ରୋକିବା ପାଇଁ ଏହି ପ୍ରୟାସ କରାଯାଉଛି ।
ଆଗାମୀ ଦିନରେ ସମସ୍ତ ପଞ୍ଚାୟତରେ ହୋଇଥିବା କାମଗୁଡ଼ିକର ତଦନ୍ତ କରାଯାଇ ଦୋଷୀ ସାବ୍ୟସ୍ତ ହେଉଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ପ୍ରତିନିଧି ଗୋବିନ୍ଦ ପାତ୍ର ଚେତାବନୀ ଦେଇଛନ୍ତି । ସେ ପ୍ରଶ୍ନ କରିଛନ୍ତି ଯେ ଯଦି ଜନ ପ୍ରତିନିଧିମାନେ ଠିକାଦାର ହେବେ, ତାହେଲେ ସେବା କିପରି କରିବେ ଏବଂ ସାଧାରଣ ଜନତା କିପରି ଗୁଜୁରାଣ ମେଣ୍ଟାଇବେ? ଯଦି ଏହି କାର୍ଯ୍ୟରୁ ଜନ ପ୍ରତିନିଧିମାନେ ନିବୃତ୍ତ ନ ରୁହନ୍ତି, ତେବେ ଆଗାମୀ ଦିନରେ ତୀବ୍ର ଜନ ଆନ୍ଦୋଳନ ହେବ ବୋଲି ସେ କହିଛନ୍ତି ।