
ବରଗଡ଼ : ସରିଲା କଂସ ଭୂମିକା ସମେତ ବିଭିନ୍ନ କଳାକାର ମାନଙ୍କ ଆବେଦନର ଯାଞ୍ଚ ପ୍ରକ୍ରିୟା। ବିଶ୍ଵର ସର୍ବବୃହତ ଖୋଳା ରଙ୍ଗମଞ୍ଚ ଭାବେ ପରିଚିତ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ଆବେଦନ କରିଥିବା କଳାକାର ମାନଙ୍କ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । ଆସନ୍ତା ୧୫ , ୧୬ ଏବଂ ୧୭ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଚାଲିବ କଳାକାରଙ୍କ ଅଡିସନ ବା ଚୟନ ପ୍ରକ୍ରିୟା । ଯାହାକୁ ନେଇ କଳାକାର ମାନଙ୍କ ମଧ୍ୟରେ ଉତ୍ସାହର ମାହୋଲ ।
ବିଶ୍ଵର ସର୍ବବୃହତ ଖୋଳା ରଙ୍ଗମଞ୍ଚ ଭାବେ ପରିଚିତ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଅଭିନୟ କରିବା ପାଇଁ କଳାକାର ମାନେ ଚଲାଇଛନ୍ତି ନିଜ ନିଜର ପ୍ରସ୍ତୁତି । ଗୋପାଳ ପଣ୍ତା , ସୁଶୀଲ ମେହେର , ଜଗଦାନନ୍ଦ ମିଶ୍ର , ଗୋଳାପ ଦାଶ , ମନୋରଞ୍ଜନ ଚିରଗୁଣ ଭଳି ୨୯୧ ଜଣ କଳାକାର ଚୟନ ବା ଅଡିସନ ପାଇଁ ମନୋନୀତ ହୋଇଛନ୍ତି ।
ଆସନ୍ତା ୨୪ ଡ଼ିସେମ୍ବର ୨୦୨୫ ରୁ ୩ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ମହୋତ୍ସବ । ଚଳିତ ବର୍ଷ ଧନୁଯାତ୍ରା ମହୋତ୍ସବ ପାଇଁ କଂସ ଭୂମିକାରେ ୪୪ ଜଣ , ଦେବକୀ , ବସୁଦେବ , ନାରଦ , ଚାଣ୍ଟୁର , ମୁଷ୍ଟିକ, ସାତ୍ତ୍ୱିକ , ଅକ୍ରୁର ଏବଂ ଉଗ୍ରସେନ ଭୂମିକା ପାଇଁ ୧୪୦ ଜଣ , ମହାମନ୍ତ୍ରୀ ଓ ସେନାପତି ପାଇଁ ୧୦୭ ଜଣ କଳାକାର ଅଡିସନରେ ଭାଗ ନେବେ । ପଶ୍ଚିମ ଓଡ଼ିଶାର ଜଣାଶୁଣା ଓ ଅଭିଜ୍ଞ କଳାକାର ଭାବେ ପରିଚିତ ୫ ଜଣ ବ୍ୟକ୍ତି ବିଚାରକ ଭାବେ ଦାୟିତ୍ଵ ତୁଲାଇବେ ।
ବିବାଦୀୟ ହୋଇଥିବା କଳାକାର ହୃଷିକେଶ ଭୋଇ ନିଜ ସରକାରୀ ଚାକିରିରୁ ଦୋଷମୁକ୍ତ ହୋଇ ନ ଥିବାରୁ ଯାଞ୍ଚ ପ୍ରକ୍ରିୟାରୁ ବାଦ୍ ପଡିଛନ୍ତି । ସେହିପରି ୬୦ ବର୍ଷରୁ ଅଧିକ ବର୍ଷ ହେଉଥିବା କାରଣରୁ କଳାକାର ଆର୍ତ୍ତତ୍ରାଣ ସୁନାନୀ ଯାଞ୍ଚ ପ୍ରକ୍ରିୟାରୁ ବାଦ ପଡିଛନ୍ତି । ଆସନ୍ତା ୧୫ , ୧୬ ଓ ୧୭ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ସକାଳ ୯ ଟା ୩୦ ମିନିଟ୍ ସମୟରୁ ବରଗଡ଼ ସହର ସ୍ଥିତ ବିଜୁ ପଟ୍ଟନାୟକ ଟାଉନ୍ ହଲ୍ ଠାରେ ଅଡିସନ ବା ଚୟନ ହେବ ବୋଲି ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ କୁହାଯାଇଛି ।