ଗୋପାଳଜୀୟୁ ମନ୍ଦିରରୁ ଚୋରି, ଲୁଟି ନେଲେ ୧୨ଟି ରୂପା ମୁକୁଟ

youtube

ପାରାଦ୍ଵୀପ : ଗତକାଲି ବିଳମ୍ବିତ ରାତିରେ ପାରାଦ୍ଵୀପ ବୃନ୍ଦାବନ କଲୋନୀ ଗୋପାଳଜୀୟୁ ଶିବ ମନ୍ଦିରରୁ ଚୋରି ହୋଇଥିବା ଦେଖିବାକୁ ମିଳିଛି ।  ଦୁବୃର୍ତ୍ତମାନେ ମନ୍ଦିରର ତିନୋଟି ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍ କରିବା ସହିତ ୮ ଟି ବଡ଼ ରୂପା ମୁକୁଟ, ରୂପାର ୪ ଟି ଛୋଟ ମୁକୁଟ, ହାର ଓ ସୁନା ଗହଣା ନେଇଯାଇଛନ୍ତି ।  ସକାଳେ ପୂଜାରୀ ଆସି ଦେଖିବା ପରେ ସଙ୍ଗେ ସଙ୍ଗେ କମିଟି ପକ୍ଷରୁ ପାରାଦ୍ଵୀପ ଆଦର୍ଶ ଥାନାରେ ଏତଲା ଦିଆଯାଇଛି ।

ପାରାଦ୍ଵୀପ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ସନ୍ଧାନୀ କୁକୁରର  ସାହାଯ୍ୟ ଲୋଡିଛି ।  ସନ୍ଧାନୀ କୁକୁର ପହଞ୍ଚିବା ପରେ ପରବର୍ତ୍ତୀ ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଦର୍ଶ ଥାନା ଆଇଆଇସି ପ୍ରକାଶ କରିଛନ୍ତି ।  ପାରାଦ୍ଵୀପର ଏହି ଶିବ ମନ୍ଦିର ସର୍ବ ପୁରାତନ ଏବଂ ଏଠାକୁ ବହୁ ଦୂର ଦୂରାନ୍ତରୁ ଲୋକମାନେ ଦର୍ଶନ ଓ ପୂଜା ପାଠ କରିବା ପାଇଁ ଆସିଥାନ୍ତି ।

ତେବେ ଚୋରୀ ଗହଣା ଓ ପିତ୍ତଳ ବାସନର ମୂଲ୍ୟ ପାଖାପାଖି ୮ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି  ।   ଏହି ଘଟଣା ରେ ସମ୍ପୃକ୍ତ ଦୁବୃର୍ତ୍ତମାନଙ୍କୁ ତୁରନ୍ତ ଗିରଫ କରିବା ସହିତ, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଦାବି କରାଯାଇଛି ।

Leave A Reply

Your email address will not be published.