ବାପକୁ କାନ୍ଧ ଦେଲାନି ପୁଅ, ୨୨ ଘଣ୍ଟା ପଡ଼ି ରହିଲା ମରଶରୀର

youtube

ଜଳେଶ୍ବର: ଭାଗ୍ୟର ଏ କି ବିଡ଼ମ୍ବନା । ନା ପୁଅ ବାପାର ଦାହ ସଂସ୍କାର କଲା ନା ସାହି ଭାଇ ସାହାଯ୍ୟ କଲେ । ୨୨ ଘଣ୍ଟା ଧରି ଘରେ ପଡ଼ି ରହିଲା ମରଶରୀର । ଏକୁଟିଆ ସ୍ତ୍ରୀ ଲୋକ ହୋଇ କେମିତି ବା ସ୍ବାମୀକୁ ନେଇ ଦାହ ସଂସ୍କାର କରିଥାନ୍ତେ । ସେମିତି ସ୍ବାମୀର ମରଶରୀର ପାଖେ ଜଗି ରହିଥାନ୍ତି ।

ବୋଧହୁଏ ସ୍ବାମୀ ମୃତ୍ୟୁରେ ପାଗେଳୀ ପ୍ରାୟ ହୋଇଯାଇଛନ୍ତି ସ୍ତ୍ରୀ । କିଛି ବୁଝି ପାରୁ ନଥାନ୍ତି । ପୁଅକୁ ଫୋନ କଲେ ପୁଅ ବି ଉତ୍ତର ଦେଉ ନଥାଏ । ସ୍ବାମୀର ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁନଥାନ୍ତି । ସ୍ତବ୍ଧ ହୋଇ ସ୍ବାମୀ ମୁହଁକୁ ଅନେଇ ବସିଥାନ୍ତି ସ୍ତ୍ରୀ । ଘଟଣା ବିଷୟରେ ଜାଣିଲେ ଆପଣଙ୍କ ଆଖିରୁ ବି ଲୁହ ଜକେଇ ଆସିବ । କାହିଁକି ନା ଆଜିର ଏ ଆଧୁନିକ ଯୁଗରେ ଏବେ ବି ବଞ୍ଚି ରହିଛି ଅନ୍ଧ ବିଶ୍ୱାସ , ଜାତି ପ୍ରଥା ଭେଦଭାବ । ଯାହାର କରୁଣ ପରିଣତି ଆଜିର ସମାଜରେ ପ୍ରତିଫଳିତ ହେଉଛି । ଛୁଆଁ ଅଛୁଆଁ ଭେଦଭାବ ପାଇଁ ୨୨ ଘଣ୍ଟା ଧରି ଘରେ ପଡ଼ି ରହିଲା ସ୍ବାମୀର ମରଶରୀର । ଗୋଟିଏ ପଟେ ଗ୍ରାମବାସୀ ଜାତିପ୍ରଥା ଭେଦଭାବ ଯୋଗୁଁ ଅନ୍ତିମ ସତ୍କାର କରିବାକୁ ଆସିନଥିବା ବେଳେ ଏକମାତ୍ର ପୁଅ ବି ବାପାର ମୃତ୍ୟୁ ପରେ ସତ୍କାର କରିବାକୁ ଆସିଲାନି । ଯେଉଁ ବାପ କୋଳେଇ କାଖେଇ ପୁଅକୁ ଛୋଟରୁ ବଡ଼ କରିଥିଲା, ଆଜି ସେଇ ପୁଅ ବାପ ମୁହଁରେ ଟିକେ ନିଆଁ ଦେବାକୁ ଆସିଲାନି । ଶେଷରେ ସାହାଯ୍ୟର ହାତ ବଢ଼ାଇଲେ ସ୍ବେଚ୍ଛାସେବୀ ସଂଗଠନ ।

ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଧାନ ସିମୁଳିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏହି ଗାଁର ବିଶ୍ୱନାଥ ଦେହୁରୀଙ୍କ ମୃତ୍ୟୁ ପରେ ଛୁଆଁ ଅଛୁଆଁ ଭେଦଭାବ ପାଇଁ ମରଶରୀରକୁ କେହି କାନ୍ଧ ଦେବାକୁ ଆସିଲେନି । ତେଣୁ ପାଖାପାଖି ଦୁଇ ଦିନ ବିଶ୍ୱନାଥଙ୍କ ମରଶରୀରକୁ ଜଗିରହିଲେ ସ୍ତ୍ରୀ । ସୂଚନା ଅନୁଯାୟୀ ଗାଁର ବିଶ୍ବନାଥ ଦେହୁରୀ ବିଲରେ କାମ କରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ତଳେ ପଡି ଯାଇଥିଲେ । ପରେ ଗତ ନଭେମ୍ବର ୧୪ ତାରିଖ ଅପରାହ୍ନ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ବାପାର ମୃତ୍ୟୁ ପରେ ଏକମାତ୍ର ପୁଅ ଅନ୍ତିମ ସତ୍କାର କରିବା ପରିବର୍ତ୍ତେ ଘର ଛାଡି ପଳାଇଲା । ବିଶ୍ବନାଥଙ୍କ ମରଶରୀରକୁ ଦୀର୍ଘ ୨୨ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଜଗି ବସିଥିଲେ ସ୍ତ୍ରୀ । ଗୋଟିଏ ପଟେ ପୁଅ ଘର ଛାଡି ପଳାଇଲା ଅନ୍ୟପଟେ ଗାଁ ଲୋକଙ୍କ ଛୁଆଁ ଅଛୁଆଁ ଭେଦଭାବ ପାଇଁ ଅନ୍ତିମ ସତ୍କାର ହୋଇ ପାରୁନଥିଲା । ଖବର ପାଇ ଜଳେଶ୍ୱରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ହେଲ୍ପ ଫର ୟୁ ଫାଉଣ୍ତେସନର କର୍ମକର୍ତ୍ତାମାନେ ପହଞ୍ଚି ଦାହ ସଂସ୍କାର କରିଥିଲେ । ଆଜି ବି ଲୋକଙ୍କ ମନରେ ଏମିତି ହାନ ମାନସିକତା ଭରି ରହିଛି । ମଣିଷ ଚନ୍ଦ୍ରରେ ଯାଇ ପହଞ୍ଚିଲାଣି କିନ୍ତୁ ଆମ ସମାଜରେ ଥିବା ଏ ଘୃଣ୍ୟ ପ୍ରଥା କେବେ ଦୂର ହେବ ?

Leave A Reply

Your email address will not be published.