
ନୂଆଦିଲ୍ଲୀ : ସୁ ବମ୍ବର’ ଉମର ନବୀ । ୧୦/୧୧ ଦିଲ୍ଲୀ ବ୍ଲାଷ୍ଟକୁ ନେଇ ସାମ୍ନାକୁ ଆସିଛି ସୁ ବମ୍ବର ଥିଓରୀ । ନିଜ ଜୋତା ଭିତରେ ପ୍ରଚଣ୍ଡ ବିସ୍ଫୋରକ ଟ୍ରାଇଏସିଟୋନ୍ ଟ୍ରାଇପେରକ୍ସାଇଡ୍ -TATP ନେଇଥିଲା ଆତ୍ମଘାତୀ ବସ୍ଫୋରଣକାରୀ ଡାକ୍ତର ଉମର ନବୀ । ବିନା ଡେଟୋନେଟରରେ ଏହା ନିମିଷକେ IED କୁ ଟ୍ରିଗର କରିପାରେ । ଗାଡ଼ିର ଟାୟାର ସହ TATPର ସଂଘର୍ଷ କରାଇ ବିସ୍ଫୋରଣ ଘଟାଇଥିଲା ଆତଙ୍କୀ ଡାକ୍ତର । ସେପଟେ ବ୍ଲାଷ୍ଟରେ ବ୍ୟବହାର ହୋଇଥିବା i20 ଗାଡ଼ିର ମାଲିକ ରସିଲ ଅଲି ଖୋଲିବ ବିସ୍ଫୋରଣର ରହସ୍ୟ । ତାକୁ ୧୦ ଦିନିଆ ରିମାଣ୍ଡରେ ନେଇଛି NIA ।
ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣର ରହସ୍ୟ ଭେଦୁଛି NIA । ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ବିସ୍ଫୋରଣ ପାଇଁ ନୂଆ କୌଶଳ ଆପଣାଇଥିଲା ଡାକ୍ତର ଉମର ନବୀ । ସୁ ବମ୍ବର ଥିଲା ଏହି ଆତ୍ମଘାତୀ ବିସ୍ଫୋରଣକାରୀ ଆତଙ୍କବାଦୀ ଡାକ୍ତର । ବିସ୍ଫୋରଣ ପାଇଁ ନିଜର ଜୋତା ବ୍ୟବହାର କରିଥିଲା । ଜୋତା ଭିତରେ ରଖିଥିଲା ପେରକ୍ସାଇଡ୍ ବିସ୍ଫୋରକ ଟ୍ରାଇଏସିଟୋନ୍ ଟ୍ରାଇପେରକ୍ସାଇଡ୍- TATP । ଯାହାକୁ ସୈତାନର ଜନନୀ କୁହାଯାଏ । ଏହା IED କୁ ଆଖି ପିଛୁଳାକେ ବିସ୍ଫୋରଣ କରାଇପାରେ । ଏଥିପାଇଁ କୌଣସି ଡିଟୋନେଟରର ଆବଶ୍ୟକ ହୋଇ ନଥାଏ । ଲାଲ କିଲ୍ଲା ବିସ୍ଫୋରଣ ପାଇଁ ନିଜ ଜୋତା ଭିତରେ TATP ରଖିଥିଲା ଉମର ନବୀ । ଅନୁସନ୍ଧାନ ବେଳେ ବିସ୍ଫୋରଣରେ ବ୍ୟବହାର ହୋଇଥିବା i 20 କାର୍ ରୁ ଉମର ନବୀର ଜୋତା ମିଳିଛି । ଡ୍ରାଇଭର ସିଟ୍ ତଳୁ ଡାହାଣ ପଟେ ଆଗ ଟାୟାର ନିକଟରୁ ଏହି ଜୋତା ମିଳିଛି । ଜୋତା ଭିତରୁ ମିଳିଛି ମେଟାଲ ଭଳି କିଛି ପଦାର୍ଥ । ବିସ୍ଫୋରଣ ପୂର୍ବରୁ ସିସିଟିଭି ଭିଜୁଆଲରେ ଠାବ ହୋଇଥିବା ଉମର ନବୀର ଜୋତା ସହ ଏହି ଜୋତା ମ୍ୟାଚ୍ କରୁଛି । ଟିଏଟିପି ବିସ୍ଫୋରକକୁ ସେ ନିଜର ଜୋତା ଭିତରେ ଲୁଚାଇ ରଖିଥିଲା । ଯାହାକୁ ବିସ୍ଫୋରଣ ସମୟରେ ବ୍ୟବହାର କରିଥିଲା । ଟାୟାର ସହ ଘର୍ଷଣ ଦ୍ବାରା ଏହା IEDକୁ ଟ୍ରିଗର କରିପାରେ । ଷ୍ଟାଟିକ୍ ବିଦ୍ୟୁତ ବା ଉତ୍ତାପ ଦ୍ବାରା ଆଇଇଡିର ବିସ୍ଫୋରଣ କରାଇଥାଏ ଟିଏଟିପି । ପୂର୍ବରୁ କିଛି ଆତଙ୍କବାଦୀ ଆକ୍ରମଣରେ TATP ବ୍ୟବହାର ହୋଇଛି । ୨୦୦୧ରେ ବିମାନରେ ପ୍ୟାରିସରୁ ମିଆମି ଯିବା ବେଳେ ସୁ ବମ୍ବର ରିଚାର୍ଡ ରିଡ୍ ନିଜର ଜୋତା ଭିତରେ ଟିଏଟିପି ଲୁଚାଇ ରଖିଥିଲା । ଯାହା ଦ୍ବାରା ସେ ବିମାନରେ ବିସ୍ଫୋରଣ ଉଦ୍ୟମ କରିଥିଲା । ୨୦୦୫ରେ ୫୨ ଜଣ ନିହତ ହୋଇଥିବା ଲଣ୍ଡନ ବିସ୍ଫୋରଣରେ ବ୍ୟବହାର ହୋଇଥିଲା TATP । ୧୩୦ ଜଣ ନିହତ ହୋଇଥିବା ୨୦୧୫ ପ୍ୟାରିସ ଆକ୍ରମଣରେ ମଧ୍ୟ TATP ବ୍ୟବହାର ହୋଇଥିଲା । ସେହିପରି ୨୨ ଜଣ ନିହତ ହୋଇଥିବା ୨୦୧୭ ମାଞ୍ଚେଷ୍ଟର ଆରୋନା ବିସ୍ଫୋରଣରେ ମଧ୍ୟ TATP ବ୍ୟବହାର ହୋଇଥିଲା । ଏହି TATPକୁ ଦିଲ୍ଲୀ ବିସ୍ଫୋରଣରେ ବ୍ୟବହାର କରିଥିଲା ଡାକ୍ତର ଉମର ନବୀ ।