
ବଣାଇଁ : ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ବ୍ଲକ ନରେନ୍ଦ୍ର ପଞ୍ଚାୟତ ନିକଟବର୍ତ୍ତୀ ରୁକୁଡା ଡ୍ୟାମ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ଇକୋ ଟୁରିଜିମ ଉପରେ ଗୁରୁତ୍ୱ ଦେଇ ପଦକ୍ଷେପ ହାତକୁ ନେଇଛନ୍ତି। ବିଗତ ବର୍ଷ ଗୁଡ଼ିକରେ ଖଣ୍ଡାଧାର ଜଳପ୍ରପାତ ସହ ଟେନସା ନେଚର କ୍ୟାମ୍ପରେ ପରିଦର୍ଶକଙ୍କ ସଂଖ୍ୟାରେ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବଣାଇ ଅଞ୍ଚଳରେ ପର୍ଯ୍ୟଟନ ସ୍ଥଳର ବିକାଶକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଶେଷ ସୁଦ୍ଧା ରୁକୁଡା ଡ଼୍ୟାମ ରେ ବୋଟିଂ ବ୍ୟବସ୍ଥା କରାଯିବା ପାଇଁ ବନ ବିଭାଗ ପକ୍ଷରୁ ସମସ୍ତ ଯୋଜନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ବନଖଣ୍ଡ ଅଧିକାରୀ ଲଳିତ କୁମାର ପାତ୍ରଙ୍କ ନିର୍ଦ୍ଦେଶନା ଅନୁସାରେ ସହକାରୀ ବନ ସଂରକ୍ଷକ ରବିକାନ୍ତ ମୀନା, ରେଞ୍ଜ ଅଧିକାରୀ ଦେବାଶିଷ ନାୟକ, ନରେନ୍ଦ୍ର ଗ୍ରାମ ପଞ୍ଚାୟତ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ ରୁକୁଡା ଡ଼୍ୟାମ ପରିଦର୍ଶନ କରିଛନ୍ତି। ପାହାଡ଼ ଜଙ୍ଗଲ ଘେରା ମଧ୍ୟରେ ଥିବା ଏହି ଡ଼୍ୟାମ ଟି ତାର ସୌନ୍ଦର୍ଯ୍ୟ ପାଇଁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ବିଭିନ୍ନ ସମୟରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଏଠାରେ ବଣ ଭୋଜିର ମଜା ନେଇଥାନ୍ତି। ତେଣୁ ଆଗକୁ ଏଠାରେ କଟେଜ ର ବ୍ୟବସ୍ଥା ସହ ବଣ ଭୋଜି ପାଇଁ ସ୍ଥାନ ନିରୂପଣ କରି ପିଣ୍ଡି ର ବ୍ୟବସ୍ଥା ମଧ୍ୟ କରାଯିବ ବୋଲିି ବନ ବିଭାଗ ପକ୍ଷରୁ କୁହାଯାଇଛି। ପ୍ରଥମ ଥର ବୋଟିଂ ର ବ୍ୟବସ୍ଥାକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଦେଖା ଦେଇଛି ଉତ୍ସାହ। ତେଣୁ ନୂତନ ବର୍ଷ ଆଗମନ ପୂର୍ବରୁ ଏସମସ୍ତ ବ୍ୟବସ୍ଥା ସମ୍ପୂର୍ଣ୍ଣ କରାଯାଇ ବଣାଇଁ ରେ ପର୍ଯ୍ୟଟନସ୍ଥଳୀ ଗୁଡିକୁ ନୁଆ ଦିଗ ଦିଆଯିବ ବୋଲି ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି।