
କଟକ: ହାଇକୋର୍ଟରେ କଟକ ସହର ସମସ୍ୟା ମାମଲାର ଶୁଣାଣି ବେଳେ ବାଲିଯାତ୍ରା ଶେଷ ହେବା ପରେ ପଡ଼ିଆ ସଫେଇ ହୋଇ ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅଦାଲତ । ୩୫ ଲକ୍ଷ ଟଙ୍କା ବ୍ୟୟ କରାଯାଇ ଘରୋଇ ଏଜେନ୍ସିକୁ ସଫେଇ ଦାୟିତ୍ବ ଦିଆଯାଇଥିଲେ ମଧ୍ୟ ସଫେଇ ଏକପ୍ରକାର ପ୍ରହସନ ହୋଇଥିବା ଆଡଭୋକେଟ୍ କମିଟି ସଦସ୍ୟ ଖଣ୍ଡପୀଠଙ୍କୁ ଏ ସଂକ୍ରାନ୍ତରେ ଅବଗତ କରିଥିଲେ । ବିଚାରପତି ସଙ୍ଗମ କୁମାର ସାହୁ ଏବଂ ବିଚାରପତି ଭି. ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ବାଲିଯାତ୍ରା ଉପର ଓ ତଳ ପଡ଼ିଆକୁ ତୁରନ୍ତ ସଫେଇ କରି ୭ ଦିନ ମଧ୍ୟରେ ସଫେଇ କାର୍ଯ୍ୟ ଶେଷ କରିବାକୁ କଟକ ମହାନଗର ନିଗମ (ସିଏମ୍ସି)କୁ ନିର୍ଦେଶ ଦେଇଛନ୍ତି ।
ନଭେମ୍ବର ୨୭ ସୁଦ୍ଧା ବାଲିଯାତ୍ରା ପଡ଼ିଆ ସଫେଇ ଶେଷ କରିବାକୁ ନିର୍ଦ୍ଦେଶ ଥିବା ବେଳେ ଆଡଭୋକେଟ୍ କମିଟି ଡିସେମ୍ବର ୨ରେ ଉପର ଓ ତଳ ବାଲିଯାତ୍ରା ପଡ଼ିଆ ସହ ନିକଟ ନଦୀ ପାର୍ଶ୍ବ ପରିଦର୍ଶନ କରି ଡିସେମ୍ବର ୪ ସୁଦ୍ଧା ସଫେଇ ସଂକ୍ରାନ୍ତ ରିପୋର୍ଟ ଅଦାଲତରେ ଦାଖଲ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । କଟକ ସହରରେ ମୋଟ ୨୨୧ଟି କୋଠା ଅସୁରକ୍ଷିତ ଚିହ୍ନଟ କରାଯାଇଛି । ହେଲେ ଏହାକୁ ଭାଙ୍ଗିବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିଥିଲେ । ନିକଟରେ ମଣିସାହୁଛକଠାରେ ଏକ ବାଲକୋନି ଭାଙ୍ଗି ଛୋଟ ଛୁଆ ସମେତ ତିନିଜଣଙ୍କ ମୃତ୍ୟୁ ଦୁର୍ଭାଗ୍ୟଜନକ ବୋଲି ଅଦାଲତ କହିଥିଲେ। ଯେଉଁ କୋଠାଗୁଡ଼ିକ ଅସୁରକ୍ଷିତ ଅଛି ତାହାକୁ ଭାଙ୍ଗିବା ପାଇଁ କାହିଁକି ପଦକ୍ଷେପ ନିଆଯାଉ ନାହିଁ ବୋଲି ଏଡିଏମଙ୍କୁ ଅଦାଲତ ପ୍ରଶ୍ନ କରିଥିଲେ। ଅସୁରକ୍ଷିତ କୋଠାକୁ ଖାଲି କରି ଭାଙ୍ଗିବା ପାଇଁ ରାସ୍ତା ଓ ପୂର୍ତ୍ତ ବିଭାଗକୁ ନିର୍ଦେଶ ଦିଆଯାଇଛି ବୋଲି ଏଡିଏମ ଅଦାଲତଙ୍କୁ ଅବଗତ କରିଥିଲେ।
ଯଥାଶୀଘ୍ର ଭାଙ୍ଗିବା ଓ ଆଗକୁ କ’ଣ ଯୋଜନା ରହିଛି ଜଣାଇବାକୁ ଅଦାଲତ ଏଡିଏମଙ୍କୁ ନିର୍ଦେଶ ଦେଇଛନ୍ତି । ସେହିପରି କଟକ ସହରରେ ଥିବା ଶ୍ମଶାନ ଗୁଡିକରେ ମୌଳିକ ସୁବିଧା ଯୋଗାଇବାକୁ ନିର୍ଦେଶ ଦେଇଛନ୍ତି ଅଦାଲତ। ଶବଦାହ ପାଇଁ ପରିଜନ ସେଠାକୁ ଗଲେ ପାନୀୟ ଜଳ, ଶୌଚାଳୟ କିମ୍ବା ଅନ୍ୟାନ୍ୟ ମୌଳିକ ସୁବିଧା ମିଳୁ ନ ଥିବା ନେଇ ଆଡଭୋକେଟ କମିଟି ଗତ ଶୁଣାଣିରେ ଅଭିଯୋଗ କରିଥିଲେ। ଏହାକୁ ନେଇ ଅଦାଲତ ଜିଲା ପ୍ରଶାସନ ଏବଂ ସିଏମସିକୁ ରିପୋର୍ଟ ତଲବ କରିଥିଲେ। କଟକ ସହରରେ ୫ଟି ଶ୍ମଶାନ ଥିବା ସିଏମସି ପକ୍ଷରୁ ଦର୍ଶାଯାଇଥିଲା । ସଦର ତହସିଲ ପକ୍ଷରୁ ୨୪ଟି ଶ୍ମଶାନ ଥିବା ଦର୍ଶାଯାଇଥିଲା । ଶ୍ମଶାନରେ ମୌଳିକ ସୁବିଧା ଉପଲବ୍ଧ ହେଉ ନ ଥିବା ବେଳେ ବୁଲାପଶୁଙ୍କ ଚରାଭୂଇଁ ପାଲଟିଥିବା କମିଟି ସଦସ୍ୟମାନେ କହିଥିଲେ । ପାଣି ଆସୁ ନ ଥିବା ବେଳେ ଆଶ୍ରୟ ନେବା ପାଇଁ ସେଡ୍ ନାହିଁ ।
ସଫେଇ ହେଉ ନ ଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ତୁରନ୍ତ ମୌଳିକ ସୁବିଧା ଯୋଗାଇଦେବାକୁ ଅଦାଲତ ନିର୍ଦେଶ ଦେଇଛନ୍ତି । କଟକ ସହରରେ ୫ଟି ବିଏସଡବ୍ଲ୍ୟସି ବକ୍ସଡ୍ରେନ୍ ନିର୍ମାଣ କାର୍ଯ୍ୟକୁ ନେଇ ଅଦାଲତରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ରଖାଯାଇଥିଲା । ୫୦୦ କୋଟିର ଏହି ବଡ଼ କାର୍ଯ୍ୟ ବିଳମ୍ବକୁ ନେଇ ପ୍ରଶ୍ନ କରିଥିଲେ । ଏହି ବଡ଼ ଜନସ୍ବାର୍ଥ କାର୍ଯ୍ୟରେ ଯେଭଳି କୌଣସି ତ୍ରୁଟି ନ ରହେ ସେଥିପାଇଁ ଏହାର କାର୍ଯ୍ୟ ୱାଟ୍କୋ କରିବାକୁ କହିଛନ୍ତି । ଏହାର ଡିପିଆର ଆଇଆଇଟି ଭୁବନେଶ୍ବର ଦୁଇ ସପ୍ତାହ ମଧ୍ୟରେ ଯାଞ୍ଚ କରିବାକୁ ନିର୍ଦେଶ ଦେଇଛନ୍ତି ।