
ନୂତନ ୩୩କେଭି ଫିଡର ଲାଇନ ସଂଯୋଗ
- ୨୦ହଜାରରୁ ଅଧିକ ଉପଭୋକ୍ତା ଉପକୃତ
- ଭରସାଯୋଗ୍ୟ ବିଜୁଳି ଯୋଗାଣ ଓ ସୁଦୃଢ଼ ବିଦ୍ୟୁତ ଭିତ୍ତିଭୂମି ଭବିଷ୍ୟତରେ ବହୁ ନିବେଶକୁ କରିବ ଆକର୍ଷିତ
ରାୟଗଡା : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏସ୍ଓଡିଏଲ୍) ତରଫରୁ ରାୟଗଡ଼ା ଜିଲ୍ଲାର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ନିଆଯାଉଛି ବହୁ ଅଭିନବ ପଦକ୍ଷେପ । ନୂତନ ୩୩ କେଭି ଫିଡର ଲାଇନ୍ ସଂଯୋଗ ହେବା ଦ୍ୱାରା ଜିଲ୍ଲାର ଘରୋଇ, ଶିଳ୍ପ ଏବଂ ଗ୍ରାମାଞ୍ଚଳର ଉପଭୋକ୍ତାଙ୍କ ପାଇଁ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଜୁଳି ଯୋଗାଣ ସୁନିଶ୍ଚିତ ହୋଇଛି । ଦକ୍ଷିଣ ଓଡ଼ିଶାର ରାୟଗଡ଼ା ଏକ ଦୃତ ବର୍ଦ୍ଧିତ ଶିଳ୍ପ ଏବଂ ବ୍ୟାବସାୟିକ କେନ୍ଦ୍ର ଭାବେ ଉଭା ହେଉଛି । କମ୍ପାନୀ ତରଫରୁ ନିଆଯାଉଥିବା ଏହି ପଦକ୍ଷେପ ଯୋଗୁଁ ବିଦ୍ୟୁତ ସେବା କ୍ଷେତ୍ରରେ ବିଶ୍ୱସନୀୟତା ବଢ଼ିବା ସହିତ ଉକ୍ତ ଅଞ୍ଚଳର ବର୍ଦ୍ଧିତ ବିଦ୍ୟୁତ ଚାହିଦାକୁ ପୂରଣ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ।
ଜିଲ୍ଲାର ଅମ୍ବାଲତାଠାରୁ ମଝିଘରିଆଣୀ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ଏଣ୍ଡ ସାଇନ୍ସ(ଏମ୍ଆଇଟିଏସ୍) ପର୍ଯ୍ୟନ୍ତ ଦୀର୍ଘ ଦୁଇ କିଲୋମିଟର ଏକ ସ୍ୱତନ୍ତ୍ର ୩୩କେଭି ଲାଇନ ତାର ସଂଯୋଗ ହୋଇଛି । ଯାହା ଦ୍ୱାରା ଗୁଣୁପୁର ଏବଂ ଆଖପାଖ ଅଞ୍ଚଳର ଉପଭୋକ୍ତାଙ୍କ ପାଇଁ ସ୍ଥିର ବିଦ୍ୟୁତ ଯୋଗାଣ ସୁନିଶ୍ଚିତ ହୋଇଛି । ପୂର୍ବେ ଏହି ଅଞ୍ଚଳରେ ଅଧିକ ଲୋଡ୍ ଯୋଗୁଁ ଭୋଲ୍ଟେଜରେ ଅସ୍ଥିରତା ଦେଖିବାକୁ ମିଳୁଥିଲା । ଫଳତଃ, ଘରୋଇ ଉପଭୋକ୍ତା, କ୍ଷୁଦ୍ର ବ୍ୟବସାୟ ଏବଂ କୃଷି କାର୍ଯ୍ୟ ପ୍ରଭାବିତ ହେଉଥିଲା । ଏବେ ଟିପିଏସ୍ଓଡିଏଲ୍ ତରଫରୁ ନୂତନ ୩୩କେଭି ଲାଇନ ତାର ସଂଯୋଗ ଫଳରେ ବିଦ୍ୟୁତ ଭିତ୍ତିଭୂମି ଉପରେ ଥିବା ଲୋଡ୍ ହ୍ରାସ ହେବା ସହିତ ଭରସାଯୋଗ୍ୟ ଏବଂ ଗୁଣାତ୍ମକ ବିଜୁଳି ଯୋଗାଣ ସୁନିଶ୍ଚିତ ହୋଇଛି ।
ଟିପିଏସ୍ଓଡିଏଲ୍ ତରଫରୁ ଚାରୋଟି ନୂତନ ୩୩କେଭି ଫିଡର ଲାଇନ୍ ଗୁଣୁପୁର ଗ୍ରୀଡ ସବଷ୍ଟେସନରୁ ସଂଯୋଗ ହୋଇଛି । ପୂର୍ବରୁ ସାତଟି ପାୱାର ସବଷ୍ଟେସନ ଆଖୁସିଂହ ଗ୍ରୀଡ ସବଷ୍ଟେସନରୁ ସଂଯୋଗ ହୋଇଥିବା ଗୋଟିଏ ଲାଇନ ଉପରେ ନିର୍ଭରଶୀଳ ଥିଲା । ଯାହାଦ୍ୱାରା ବିଦ୍ୟୁତ ସେବା ବାଧାପ୍ରାପ୍ତ ହେବା ସହିତ ଆବଶ୍ୟକ ସମୟରେ ଜରୁରୀକାଳୀନ ରକ୍ଷଣାବେକ୍ଷଣ ଏବଂ ମରାମତିରେ ଅସୁବିଧା ହେଉଥିଲା । ନୂଆ ଲାଇନ୍ଗୁଡ଼ିକ ସଂଯୋଗ ହେବା ପରେ ବର୍ତ୍ତମାନ ଗୁଣୁପୁର ଗ୍ରୀଡ ସବଷ୍ଟେସନରୁ ଗୁଣୁପୁର ପାୱାର ସବଷ୍ଟେସନ, ଜଲତାର, ବିକ୍ରମପୁର ଏବଂ ଡମ୍ବସରା ପର୍ଯ୍ୟନ୍ତ ଏହା ବିସ୍ତୀର୍ଣ୍ଣ ହୋଇଛି । ଏହାଦ୍ୱାରା ପୂର୍ବ ଫିଡରଗୁଡ଼ିକର ଲୋଡ୍ ହ୍ରାସ ହେବା ସହିତ ଭୋଲ୍ଟେଜ କ୍ଷେତ୍ରରେ ସ୍ଥିରତା ଆସିପାରିଛି ।
କମ୍ପାନୀ ତରଫରୁ ନିଆଯାଇଥିବା ଏହି ପଦକ୍ଷେପ ଯୋଗୁଁ ଶିଳ୍ପାଞ୍ଚଳ, ଜନଜାତି ବସତି, କୃଷି ଭୂମି ଏବଂ ଅର୍ଦ୍ଧ ସହରାଞ୍ଚଳରେ ପ୍ରାୟ ୨୦ହଜାରରୁ ଉର୍ଦ୍ଧ୍ୱ ଉପଭୋକ୍ତା ଉପକୃତ ହୋଇ ପାରିଛନ୍ତି । ଟିପିଏସ୍ଓଡିଏଲ୍ ତରଫରୁ ହୋଇଥିବା ଏହି ଉନ୍ନତିକରଣ ଯୋଗୁଁ ବିଦ୍ୟୁତ ସେବା ବାଧାପ୍ରାପ୍ତ ହେବାର ସମୟରେ ହ୍ରାସ ହୋଇ ପାରିଛି, ଏଥିସହିତ ଶୀଘ୍ର ବିଦ୍ୟୁତ ସେବା ପୁନଃସ୍ଥାପନ ହେବା ସମ୍ଭବପର ହୋଇପାରିଛି । ଯାହାଦ୍ୱାରା ସ୍ଥାନୀୟ ଉଦ୍ୟୋଗୀ, କୃଷି ଆଧାରିତ ବ୍ୟବସାୟ, କ୍ଷୁଦ୍ର ଉତ୍ପାଦନ କ୍ଲଷ୍ଟର ଏବଂ ସେବା ପ୍ରତିଷ୍ଠାନଗୁଡ଼ିକରେ ବିଦ୍ୟୁତ ପରିଚାଳନା ଉନ୍ନତମାନର ହୋଇଛି ଏବଂ ଉତ୍ପାଦକ ବଢ଼ାଇବାରେ ବିଶେଷ ଭାବରେ ସହାୟକ ହୋଇ ପାରିଛି ।
ରାୟଗଡ଼ାର ଅର୍ଥନୈତିକ ବିକାଶ ପାଇଁ କୃଷି ପ୍ରକ୍ରିୟାକରଣ ଏକକ, ଆଲୁମିନିୟମ୍ ଶିଳ୍ପ, ହସ୍ତଶିଳ୍ପ ଆଧାରିତ ଉଦ୍ୟୋଗ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକ ଅନ୍ତର୍ଭୁକ୍ତ ହୋଇଛି । ଏସବୁର ସୁପରିଚାଳନା ପାଇଁ ତଥା ଯନ୍ତ୍ରପାତି ଚଳାଇବା, ଶୀତଳ ଭଣ୍ଡାରର ପରିଚାଳନା, ସିଞ୍ଚନ ସହିତ ଭବିଷ୍ୟତରେ ଅଧିକ ନିବେଶକୁ ଆକର୍ଷିତ କରିବା ପାଇଁ ଭରସାଯୋଗ୍ୟ ଓ ଗୁଣାତ୍ମକ ବିଜୁଳି ଯୋଗାଣ ଅପରିହାର୍ଯ୍ୟ । ଟିପିଏସ୍ଓଡିଏଲର ନୂତନ ପଦକ୍ଷେପ ଯୋଗୁଁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ ହେବା ସହିତ ଭୋଲ୍ଟେଜ କ୍ଷେତ୍ରରେ ସ୍ଥିରତା ଆସିପାରିଛି ଯାହା ଉଭୟ କମର୍ସିଆଲ ଏବଂ ଘରୋଇ ଉପଭୋକ୍ତାଙ୍କ ପାଇଁ ବିଶେଷ ଭାବରେ ସହାୟକ ହୋଇଛି ।
ଏ ସମ୍ପର୍କରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ରାୟଗଡା ଦକ୍ଷିଣ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ଓ ବାଣିଜ୍ୟିକ କେନ୍ଦ୍ର ଭାବେ ଉଭା ହେଉଛି । ଏଥିପାଇଁ ଆମର ପ୍ରାଥମିକତା ହେଉଛି ଏ କ୍ଷେତ୍ରରେ ବିଦ୍ୟୁତ ସେବା ମଧ୍ୟ ଜିଲ୍ଲାର ଚାହିଦା ଏବଂ ଆବଶ୍ୟକତା ଅନୁସାରେ ତାଳ ଦେଇ ଚାଲୁ । ନୂତନ ୩୩କେଭି ବିଦ୍ୟୁତ ଲାଇନ ତାର ସଂଯୋଗ ହେବା ଫଳରେ କେବଳ ଯେ ୨୦ହଜାରରୁ ଅଧିକ ଉପଭୋକ୍ତାଙ୍କ ପାଇଁ ଭରସାଯୋଗ୍ୟ ବିଦ୍ୟୁତ ସେବା ସୁନିଶ୍ଚିତ କରିଛୁ ତାହା ନୁହେଁ, ବରଂ ଆମେ ଭବିଷ୍ୟତ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସୃଷ୍ଟି କରିପାରିଛୁ । ସମାଜର ସବୁ ବର୍ଗକୁ ସ୍ଥିର, ଦକ୍ଷ ଏବଂ ଗ୍ରାହକ କୈନ୍ଦ୍ରିକ ବିଦ୍ୟୁତ ସେବା ଯୋଗାଇବା ପାଇଁ ଆମେ ପ୍ରତିବଦ୍ଧ ।”
ଟିପିଏସ୍ଓଡିଏଲ୍ ତରଫରୁ ହୋଇଥିବା ଏହି ଉନ୍ନତିକରଣ ବିଦ୍ୟୁତ ବଣ୍ଟନ ନେଟୱର୍କଗୁଡ଼ିକୁ ଆଧୁନିକୀକରଣ କରିବା, ସେବା ପ୍ରଦାନରେ ଉନ୍ନତି ଆଣିବା ଏଥିସହିତ ଉଭୟ ଆର୍ଥନୀତିକ ପ୍ରଗତି ଏବଂ ସମୁଦାୟର ମଙ୍ଗଳ ପ୍ରତି ଥିବା ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ବିଦ୍ୟୁତ ଭିତ୍ତିଭୂମି ସୁଦୃଢ଼ ହେବା ଫଳରେ ରାୟଗଡ଼ା ଜିଲ୍ଲା ଏବେ ଶିଳ୍ପ କ୍ଷେତ୍ରରେ ଏକ ସ୍ଥାୟୀ ବିକାଶ ଦିଗରେ ଅଗ୍ରସର ହେଉଛି । ଏଥିସହିତ ଭରସାଯୋଗ୍ୟ ବିଜୁଳି ଯୋଗାଣ ଯୋଗୁଁ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବା ଏବଂ ଗ୍ରାମାଞ୍ଚଳର ବିକାଶକୁ ସମର୍ଥନ କରୁଛି ଟିପିଏସ୍ଓଡିଏଲ୍ ।