
ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ୪୦ରୁ ଅଧିକ ସ୍ଥାନରେ ଏକା ସମୟରେ ଚଢାଉ କରିଛନ୍ତି । କୋଇଲା ଚୋରି ଏବଂ ଅବୈଧ ଖଣି ଖନନ ଅଭିଯୋଗରେ ଅଭିଯୁକ୍ତ ନେଟୱାର୍କ ଗୁଡ଼ିକୁ ଟାର୍ଗେଟ କରିଛି ଇଡି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶୁକ୍ରବାର ଦିନ ପ୍ରମୁଖ କୋଇଲା ଚୋରି ନେଟୱାର୍କ ଗୁଡ଼ିକୁ ଟାର୍ଗେଟ କରି ଦେଶବ୍ୟାପୀ ଏକ ଅଭିଯାନ ଆରମ୍ଭ କରିଛି । ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ୪୦ରୁ ଅଧିକ ସ୍ଥାନରେ ଏକ ସମୟରେ ସନ୍ଧାନ ସହିତ ଚଢାଉ କରିଛି । ଅଧିକାରୀଙ୍କ କହିବା ଅନୁଯାୟୀ, ଏହି କାର୍ଯ୍ୟାନୁଷ୍ଠାନ କୋଇଲାର ଅବୈଧ ଖଣି, ପରିବହନ ଏବଂ ସଂରକ୍ଷଣ ଉପରେ ଚାଲିଥିବା ତଦନ୍ତର ଏକ ଅଂଶ ଥିଲା, ଯାହା ରାଜକୋଷକୁ ଶହ ଶହ କୋଟି ଟଙ୍କା କ୍ଷତି ପହଞ୍ଚାଇଛି । ମନି ଲଣ୍ଡରିଂ ନିବାରଣ ଆଇନ (PMLA)ର ବ୍ୟବସ୍ଥା ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ।
ଚଢାଉ ସମୟରେ ବିପୁଳ ପରିମାଣର ବେନାମୀ ନଗଦ ଟଙ୍କା ଏବଂ ଅଳଙ୍କାର ଜବତ କରାଯାଇଥିଲା।
ଧନବାଦରେ କେନ୍ଦ୍ରୀୟ ତଦନ୍ତ ସଂସ୍ଥା କୋଇଲା ବ୍ୟବସାୟୀ ଏଲବି ସିଂହଙ୍କ ଉପରେ ନଜର ରଖି ତାଙ୍କ ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନରେ ସକାଳୁ ଚଢାଉ କରିଥିଲା । ତାଙ୍କ ସହିତ ଜଡିତ ୧୬ଟି ପରିସରରେ ସର୍ଚ କରାଯାଇଥିଲା । ଝାଡ଼ଖଣ୍ଡରେ ସମାନ୍ତରାଳ ଚଢାଉ କରାଯାଇଥିଲା । ଇଡିର ରାଞ୍ଚି ଜୋନାଲ ଅଫିସ ଅନିଲ ଗୋୟଲ, ସଞ୍ଜୟ ଉଦ୍ୟୋଗ, ଏଲବି ସିଂହ ଏବଂ ଅମର ମଣ୍ଡଳଙ୍କ ସହିତ ଜଡିତ ୧୮ଟି ସ୍ଥାନରେ ତଲାସ କରିଥିଲେ । କଲକାତା, ଦୁର୍ଗାପୁର, ପୁରୁଲିଆ, ହାଓଡ଼ା ଏବଂ କୋଲକାତା ଜିଲ୍ଲାରେ ବିସ୍ତାରିତ ୨୪ଟି ସ୍ଥାନରେ ତଲାସ କରିଥିଲା । ତଦନ୍ତର ଅଂଶ ଭାବରେ ନରେନ୍ଦ୍ର ଖାରକା, ଅନିଲ ଗୋୟଲ, ଯୁଧିଷ୍ଠିର ଘୋଷ, କୃଷ୍ଣ ମୁରାରୀ କୟାଲ ଏବଂ ଅନ୍ୟମାନଙ୍କ ସହିତ ଜଡିତ ସମ୍ପତ୍ତି ଯାଞ୍ଚ କରାଯାଇଥିଲା ।