ଜାନୁଆରୀ ୯ରୁ ୧୩ତମ ବ୍ରହ୍ମପୁର ମହାନଗର ମହୋତ୍ସବ : ଲୋଗୋ ଉନ୍ମୋଚନ କଲେ ବିଧାୟକ

youtube

ବ୍ରହ୍ମପୁର, ୨୨/୧୧: ରେଶମ ସହର ବ୍ରହ୍ମପୁରର କଳା, ସାହିତ୍ୟ ଓ ସଂସ୍କୃତିର ମହାକୁମ୍ଭ କୁହାଯାଉଥିବା ‘ବ୍ରହ୍ମପୁର ମହାନଗର ମହୋତ୍ସବ’ ଆସନ୍ତା ଜାନୁଆରୀ ମାସରେ ଅନୁଷ୍ଠିତ ହେବ। ଜାନୁଆରୀ ୯ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୦ ଦିନ ବ୍ୟାପୀ ସ୍ଥାନୀୟ ଟାଉନ୍ ହଲ୍ ରୋଡ ସ୍ଥିତ ସେଣ୍ଟ ଷ୍ଟିଫେନ୍ ଚର୍ଚ୍ଚ ପଡିଆରେ ଏହି ୧୩ତମ ମହୋତ୍ସବର ଆୟୋଜନ କରାଯିବ। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଷ୍ଟେସନ୍ ରୋଡ ସ୍ଥିତ ସର୍କିଟ୍ ହାଉସ୍ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବା ସହ ମହୋତ୍ସବର ‘ଲୋଗୋ’ ଉନ୍ମୋଚିତ ହୋଇଯାଇଛି।

ମହୋତ୍ସବ କମିଟି ସଭାପତି ଗୋପାଳ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋଗୋ ଉନ୍ମୋଚନ କରିଥିଲେ। ବିଧାୟକ ଶ୍ରୀ କୁମାର ଏହି ମହୋତ୍ସବକୁ ଏକ ଐତିହାସିକ ଉତ୍ସବରେ ପରିଣତ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଅନ୍ୟତମ ଅତିଥି ଭାବେ ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ କାହ୍ନୁ ଚରଣ ପତି ଯୋଗଦେଇ କହିଥିଲେ ଯେ, ଏଠାରେ କଳା ଓ ସଂସ୍କୃତି ସହ ସାହିତ୍ୟ ଚର୍ଚ୍ଚା ହେଉଥିବାରୁ ଏହା ସମସ୍ତ ବର୍ଗର ଲୋକଙ୍କ ଦ୍ୱାରା ଆଦୃତ ହେବ। ଅନ୍ୟମାନଙ୍କ ମଧ୍ୟରେ ୟୁନିୟନ୍ କ୍ଳବ୍ ସଭାପତି ଭି.ସନ୍ତୋଷ କୁମାର, ସମ୍ପାଦକ ପାର୍ଥ ପାଢ଼ୀ ଏବଂ ପ୍ରେସ୍ କ୍ଳବ୍ ସଭାପତି ଅଶୋକ କୁମାର ବ୍ରହ୍ମା ପ୍ରମୁଖ ମଞ୍ଚାସୀନ ଥିଲେ।

ମହୋତ୍ସବର ମୁଖ୍ୟ ଆକର୍ଷଣ:

  • ସାହିତ୍ୟ ଚର୍ଚ୍ଚା ଓ ପୁସ୍ତକ ଉନ୍ମୋଚନ: ବିଶିଷ୍ଟ ସାହିତ୍ୟିକ ମିହିର ରଞ୍ଜନ ତ୍ରିପାଠୀଙ୍କ ତତ୍ତ୍ଵାବଧାନରେ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହେବ। ଓଡ଼ିଆ ଅସ୍ମିତା ସମ୍ପର୍କରେ ଆଲୋଚନା ସହ ୧୦ ଦିନ ମଧ୍ୟରେ ୧୦୦ଟି ନୂତନ ପୁସ୍ତକ ଉନ୍ମୋଚନ କରିବାକୁ ଲକ୍ଷ୍ୟ ରଖାଯାଇଛି।
  • କଳା ଓ ସଂସ୍କୃତି: ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶାର ପାରମ୍ପରିକ ଲୋକକଳାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଏହି ମଞ୍ଚ ଉଦ୍ୟମ କରିବ। ସାଂସ୍କୃତିକ କାର୍ଯ୍ୟକ୍ରମ ଦାୟିତ୍ୱ ସୁଦୀପ ସାହୁ ଓ ଚିକୁ ତୁଲାଇବେ।
  • ବାଣିଜ୍ୟ ମେଳା: ମହୋତ୍ସବରେ ୧୦୦ରୁ ଉର୍ଦ୍ଧ୍ବ ଷ୍ଟଲ୍ ପଡିବ। ଏଥିରେ ହସ୍ତତନ୍ତ, କୁଟୀର ଶିଳ୍ପ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରି କରାଯିବ, ଯାହା ରାଜ୍ୟ ତଥା ରାଜ୍ୟ ବାହାରର ବ୍ୟବସାୟୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ।

କମିଟିର ସମ୍ପାଦକ ନାରାୟଣ ମହାଙ୍କୁଡ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ, ଆବାହକ ଇଂ ଉମା ଚରଣ ପାଣିଗ୍ରହୀ ମହୋତ୍ସବର ସୁପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ, ପୋଲିସ, ଓ ବିଭିନ୍ନ ବିଭାଗର ସହଯୋଗ ଲୋଡିଥିଲେ।

ଏହି ବୈଠକରେ ଉପ ସଭାପତି ଅନୀଲ କୁମାର ପାତ୍ର, ରାମ ସାମଲ, ରଶ୍ମିତା ପାଣିଗ୍ରାହୀ, ମଧୁସ୍ମିତା ରଥ, ଶକ୍ତିଧର ରାଜଗୁରୁ, ସମୀର ଆଚାର୍ଯ୍ୟ, ଦେବହରି ବେହେରା, ସ୍ଵାଧୀନ ପାତ୍ର, ବାବୁଲା ପାଣିଗ୍ରାହୀ, ସୁଦର୍ଶନ ପରିଡ଼ା, ଅଭିରାମ ପାତ୍ର, ଅନନ୍ତ ନାରାୟଣ ପ୍ରଧାନ, ସୂର୍ଯ୍ୟ ନାରାୟଣ ଦାସ, ମୃତ୍ୟୁଞ୍ଜୟ ସାହୁ, ରାଜେଶ ସାହୁ, ଅରୁଣ ସ୍ବାଇଁ, ଗୋକୁଳାନନ୍ଦ ତ୍ରିପାଠୀ, ନବୀନ ମହାପାତ୍ର, ପ୍ରଦୀପ ନାହାକ, ଶିବ ନାରାୟଣ ପଣ୍ଡା, ସତ୍ୟ ଚେତନ ପରିଡା, ଶଙ୍କର ରଣା, ଅନୀଲ ପାଢ଼ୀ, ଓ ବିଶ୍ଵନାଥ ମାରଣାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

Leave A Reply

Your email address will not be published.