
ପାଟନାଗଡ଼: ନଈ କୂଳରୁ ଉଦ୍ଧାର ହୋଇଛି ଏକ ନରକଙ୍କାଳ । କିନ୍ତୁ କାହାର ଏ କଙ୍କାଳ ? ଛାନଭିନ୍ ଆରମ୍ଭ କରିଛି ପୋଲିସ । ବଲାଙ୍ଗିର ଜିଲ୍ଲା ସଦର ଥାନା କୁମିଆପାଲି ଶିବ ମନ୍ଦିର ନିକଟ ସୁକ୍ତେଲ ନଦୀ ପଠାରେ ଥିବା ଏକ ଗଛ ତଳେ ନରକଙ୍କାଳ ଦେଖିବା ପରେ ଖେଳିଯାଇଛି ଚାଞ୍ଚଲ୍ୟ । କାହିଁକି ନା କିଛି ଦିନ ପୂର୍ବରୁ ଜଣେ ଯୁବକ ନଦୀରେ ଭାସି ଯାଇଥିଲେ । ଅଗ୍ନିଶମ ବାହିନୀ ଯୁବକଙ୍କୁ ଖୋଜି ଖୋଜି ନିରାଶ ହୋଇଥିଲା । ଆଉ ଏବେ ନଈ ପଠାରେ ନରକଙ୍କାଳ ମିଳିବା ପରେ ବଢ଼ିଛି ସନ୍ଦେହ । ନରକଙ୍କାଳ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପରେ ଆରମ୍ଭ ହୋଇଥିଲା ପୋଲିସର ଛାନଭିନ୍ ।
ଖବର ଅନୁଯାୟୀ ଗତ ସେପ୍ଟେମ୍ବର ୨୭ ତାରିଖ ଦିନ ଲରମ୍ଭାଥାନା ଫଟାମୁଣ୍ଡା ଗାଁର ନବୀନ ଡୁଡୁକାଙ୍କ ପୁଅ ପ୍ରଶାନ୍ତ ଡୁଡୁକା ସୁକ୍ତେଲ ନଦୀକୁ ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିବାବେଳେ ଭାସି ଯାଇଥିଲେ । ସାଙ୍ଗମାନେ ପ୍ରଶାନ୍ତ ଭାସିଯାଇଥିବା ଖବର ଦେବାପରେ ପରିବାର ତରଫରୁ ଲରମ୍ଭା ଥାନାରେ ଏକ ଲିଖିତ ଅଭିଯୋଗ ଦିଆଯାଇଥିଲା । ଅଭିଯୋଗ ଆଧାରରେ ପୋଲିସ ଓ ଅଗ୍ନିଶମ ବାହିନୀ ତିନିଦିନ ଖୋଜାଖୋଜି କରିଥିଲେ ମଧ୍ୟ ପ୍ରଶାନ୍ତଙ୍କର କୌଣସି ସୁରାକ ପାଇନଥିଲେ । ବହୁ ଖୋଜାଖୋଜି କରି ନିରାଶ ହୋଇଥିଲେ ପରିବାର । ଏହାରି ଭିତରେ ପ୍ରଶାନ୍ତଙ୍କର ଶୁଦ୍ଧିକ୍ରିୟା ବି ସରିଛି ।
କିନ୍ତୁ ଗତ ନଭେମ୍ବର ୨୧ ତାରିଖରେ ବଲାଙ୍ଗିର ସଦରଥାନା କୁମିଆପାଲି ଗାଁ ଶିବମନ୍ଦିର ନିକଟସ୍ଥ ଏକ ଗଛ ତଳୁ ନରକଙ୍କାଳ ଉଦ୍ଧାର ହୋଇଛି । ଏନେଇ ଗ୍ରାମବାସୀ ପୋଲିସକୁ ଖବର ଦେବା ପରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି । ଏପଟେ ଖବର ପାଇ ପ୍ରଶାନ୍ତ ଡୁଡୁକାଙ୍କ ପରିବାର ପହଞ୍ଚି ଏହା ତାଙ୍କ ପୁଅର କଙ୍କାଳ ହୋଇଥାଇପାରେ ବୋଲି ଦାବି କରିବା ସହିତ ଉପଯୁକ୍ତ ତଦନ୍ତ ପାଇଁ ସରକାରଙ୍କ ପାଖରେ ଦାବି ରଖିଛନ୍ତି । ପୋଲିସ କଙ୍କାଳର ସମସ୍ତ ଅଂଶକୁ ସଂଗ୍ରହ କରି ପରୀକ୍ଷା ପାଇଁ ନେଇ ଯାଇଛି । ସେପଟେ ପରିବାର ଲୋକେ ଏହି କଙ୍କାଳକୁ ତାଙ୍କ ପୁଅ ପ୍ରଶାନ୍ତ ଙ୍କର ବୋଲି ଆଶାବାଦୀ ଅଛନ୍ତି । ଗତ ମାସେ ହେବ ପ୍ରଶାନ୍ତଙ୍କର କୌଣସି ସନ୍ଧାନ ମିଳିନଥିବା ବେଳେ ଏବେ କଙ୍କାଳକୁ ଦେଖିବା ପରେ ସମସ୍ତଙ୍କ ସନ୍ଦେହ ବଢ଼ିଛି । ତେବେ ଉପଯୁକ୍ତ ତଦନ୍ତ ହିଁ କହିବ କଙ୍କାଳ କାହାର ।