
ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ସାମ୍ବାଦିକମାନଙ୍କ ବହୁ ପ୍ରତୀକ୍ଷିତ ‘ରାଇକିଆ ପ୍ରେସ କ୍ଲବ’ର ନୂତନ କାର୍ଯ୍ୟାଳୟ ଗୃହ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଛନ୍ତି।
ଏହି ଅବସରରେ ବିଧାୟକ ଶ୍ରୀ ପ୍ରଧାନ ସାମ୍ବାଦିକମାନଙ୍କୁ ଉତ୍ସାହିତ କରିବା ସହ ଗଣମାଧ୍ୟମର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, ଜନସାଧାରଣଙ୍କ ନିକଟରେ ସତ୍ୟତା ଉପରେ ଆଧାରିତ ଖବର ପହଞ୍ଚାଇବା ସାମ୍ବାଦିକମାନଙ୍କର ନୈତିକ ତଥା ଗୁରୁ ଦାୟିତ୍ୱ। ରାଇକିଆ ବ୍ଲକର ସାମୁହିକ ବିକାଶ, ସରକାରୀ ଯୋଜନାର ସଫଳ ରୂପାୟନ ତଥା ଦୈନନ୍ଦିନ ଘଟଣାବଳୀକୁ ଲୋକଲୋଚନକୁ ଆଣିବାରେ ଏହି ପ୍ରେସ କ୍ଲବ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ସୂଚନାଯୋଗ୍ୟ ଯେ, ବ୍ଲକରେ ଦୀର୍ଘ ବର୍ଷ ଧରି ସକ୍ରିୟ ଥିବା ସମଭାବାପନ୍ନ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ଏହି କ୍ଲବ ଗଠନ କରାଯାଇଛି ଏବଂ ରାଜସ୍ୱ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ଜମିରେ ଏହି ନୂତନ ଗୃହ ନିର୍ମିତ ହୋଇଛି।
ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ରୀନା ପ୍ରଧାନ, ସରପଞ୍ଚ ଗୀତାଞ୍ଜଳି ନାୟକ, ସାଂସଦ ପ୍ରତିନିଧି ସନ୍ତୋଷ କୁମାର ଲେଙ୍କା, ନାଏବ ସରପଞ୍ଚ ନିଥନିୟେଲ ନାୟକ, ରାଜ ମୋହନ ଦିଗାଳ, ଆଡଭୋକେଟ ସୁଶାନ୍ତ କୁମାର ଜେନା, ସାହାରା ଏନଜିଓର ସମ୍ପାଦକ ସୁକାନ୍ତ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହା ବ୍ୟତୀତ ସୁଧାଂଶୁ ପାଣିଗ୍ରାହୀ, ବିଜୟ ପଣ୍ଡା, ବିଦ୍ୟାରତ୍ନମଣି ଦିଗାଳ, ଦେବୀପ୍ରସାଦ ପଣ୍ଡା, ଜି. ଯୋଗେଶ୍ୱର ପାତ୍ର, ସିଦ୍ଧାର୍ଥ ପତି, ବିଭୁଦତ୍ତ ବେହେରା, ଦେବାନନ୍ଦ ନାୟକ ଓ ଅନ୍ୟାନ୍ୟ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ।
ରାଇକିଆ ପ୍ରେସ କ୍ଲବର ସଭାପତି ପ୍ରଦୀପ କୁମାର ବେହେରା, ଉପସଭାପତି ମୋସେଷ ଦିଗାଳ, ସମ୍ପାଦକ ଆଦିତ୍ୟ ପ୍ରସାଦ ପାଢ଼ୀ, କୋଷାଧ୍ୟକ୍ଷ ବିରୂପାକ୍ଷ ପାତ୍ରଙ୍କ ସମେତ ସଦସ୍ୟ ରଜତ ନାୟକ, ଜଗଦୀଶ ଦାସ ଓ ପ୍ରମୋଦ ବେହେରା ଏହି କାର୍ଯ୍ୟକ୍ରମର ଆୟୋଜନ ଓ ପରିଚାଳନା କରିଥିଲେ।