ସୁନ୍ଦରଗଡ : ସାଗର ମଧ୍ୟରେ ଥିବା ନୌକାର ମାଝୀ କେଉଁ ଦିନ କୁଆଡ଼େ ସାଗରରେ ହଜିଗଲା ପରି ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ସ୍ୱର୍ଗତ ପ୍ରଣବ କିଶୋର ପଟ୍ଟନାୟକଙ୍କ ତିରୋଧାନ ସମସ୍ତ ଓଡ଼ିଆଙ୍କୁ ବ୍ୟଥିତ କରିଥିଲା ସୁନ୍ଦରଗଡବାସୀ ଆଜି ମଧ୍ୟ ତାଙ୍କ ସୁମଧୁର ସ୍ୱର ଓ ସ୍ୱରର ମାଧୁର୍ଯ୍ୟକୁ ଆଜି ମଧ୍ୟ ମନେ ପକାଇ ଝୁରନ୍ତି। ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସୁନ୍ଦରଗଡ ସରକାରୀ ସେବାନିବୃତ୍ତ କର୍ମଚାରୀ ସଂଘ ପରିସରରେ ରାଗା ଓ ରିଦମ ଫାଉଣ୍ଡେସନ ତରଫରୁ ଆୟୋଜିତ ହୋଇ ଯାଇଛି ସ୍ମୃତିରେ ପ୍ରଣବ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସୁନ୍ଦରଗଡ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ସନ୍ତୋଷ ଅମାତ ଓ ସମ୍ମାନୀତ ଅତିଥି ଭାବରେ ସୁନ୍ଦରଗଡ ପୌରାଧ୍ୟକ୍ଷା ତନୟା ମିଶ୍ର ଯୋଗ ଦେଇଥିଲେ। ସୁନ୍ଦରଗଡର ବିଶିଷ୍ଟ କଣ୍ଠ ଶିଳ୍ପୀ ପ୍ରମୋଦ କୁମାର ବେହେରାଙ୍କ କଣ୍ଠରେ ପ୍ରଣବ ପଟ୍ଟନାୟକଙ୍କ ଗୀତ ସମସ୍ତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରି ରଖିଥିଲା। ଏହି ଅବସରରେ ପ୍ରମୋଦ ବେହେରାଙ୍କୁ ସଙ୍ଗୀତ ସାଧନା ସମ୍ମାନରେ ସମ୍ମାନିତ କରାଯାଇଅଛି। ସମ୍ମାନ ଗ୍ରହଣ ଅବସରରେ ସ୍ୱର୍ଗତ ପ୍ରଣବ ପଟ୍ଟନାୟକଙ୍କ ସହିତ ତାଙ୍କ ଅନୁଭୂତି ବର୍ଣ୍ଣନା କରି ଭାବବିହ୍ୱଳ ହୋଇପଡିଥିଲେ ପ୍ରମୋଦ। ଅନ୍ୟାନ୍ୟ କଣ୍ଠ ଶିଳ୍ପୀ ଶରଦେନ୍ଦୁ ମହାପାତ୍ର, ଲିପିକା ବେହେରା,ବାଳଗୋପାଳ ମିଶ୍ର, ଜୟଦେବ ତନ୍ତୀ, ଯୋଗମାୟା ମିଶ୍ର ଓ ଅମରେଶ ସାମଲ ମଧ୍ୟ କଣ୍ଠଦାନ କରି ଶ୍ରୋତାମଣ୍ଡଳୀଙ୍କୁ ବିମୋହିତ କରିରଖିଥିଲେ। ପ୍ରିୟଙ୍କା ଜେନା ଓ ଡଃ. ଚିରବ୍ରତ ଦତ୍ତଙ୍କ ମଞ୍ଚ ପରିଚାଳନା କରିଥିଲେ। ରାଗା ଅନୁଷ୍ଠାନର ସମସ୍ତ ସଦସ୍ୟଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜନ ହୋଇ ଯାଇଛି। ସଫଳତାର ସହିତ ଏହି କାର୍ଯ୍ୟକ୍ରମଟି ସମ୍ପନ୍ନ ହୋଇଥିବାରୁ “ରାଗା ଓ ରିଦମ୍”ର ଉଦ୍ୟୋକ୍ତା ଶରଦେନ୍ଦୁ (ନିକୁ) ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।
