ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

add-all

ମାଲକାନଗିରି : ଖରିଫ ବର୍ଷ ୨୦୨୫-୨୬ ଧାନ ସଂଗ୍ରହ ନିମନ୍ତେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚାଷୀ ଯେପରି ସୁବିଧାରେ ନିଜ ଧାନ ବିକ୍ରି କରିପାରିବେ ସେଥିପାଇଁ ଅବଶ୍ୟକୀୟ ପ୍ରସ୍ତୁତି କରିବାପାଇଁ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହ ପ୍ରଶାସନର ଆଦେଶ ଖିଲାପକାରୀ ଅଧିକାରୀ, ମିଲର ତଥା ଦଲାଲଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚାଷୀଙ୍କୁ ପ୍ରତିଶୃତି ଦେଇଛନ୍ତି ।

ବୈଠକରେ ନବରଙ୍ଗପୁର ସାଂସଦ ବଲଭଦ୍ର ମାଝୀଙ୍କ ସମେତ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ
ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ ଉପସ୍ଥିତ ରହି ଚାଷୀ କିଭଳି ସୁବିଧାରେ ନିଜ ଧାନ ବିକ୍ରି କରିପାରିବେ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେବା ସହ ମଣ୍ଡୀରେ ଦଲାଲଙ୍କ ସମ୍ପୃକ୍ତି ଏବଂ କଟନୀ ଛଟନି ଭଳି ବିଭିନ୍ନ ଅବ୍ୟବସ୍ଥା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଜିଲ୍ଲାପାଳ ତଥା ଉପସ୍ଥିତ ଲୋକ ପ୍ରତିନିଧିଙ୍କ ଅନୁମୋଦନ କ୍ରମେ ଆଗାମୀ ଡ଼ିସେମ୍ବର ୧୭ ତାରିଖରୁ ଖରିଫ ଋତୁ ଧାନ ସଂଗ୍ରହ ପାଇଁ ଧାର୍ଯ୍ୟ କରାଯିବା ସହ ଜିଲ୍ଲାର ସମୁଦାୟ ୭ ଗୋଟି ବ୍ଲକରେ ଧାନ ସଂଗ୍ରହ କରିବା ବ୍ୟବସ୍ଥା କରାଯାଇଛି I ୨୦୨୫-୨୬ ଖରିଫ ଋତୁ ପାଇଁ ଏଫ ସି ଆଇ ପକ୍ଷରୁ ଚାଉଳ ଉଠେଇବା ପାଇଁ ମାଲକାନଗିରି ଠାରେ ଏକ ଗୋଦାମ କରାଯିବ। ଚାଷୀଙ୍କ ସୁବିଧା ପାଇଁ ଧାନ ସଂଗ୍ରହ କେନ୍ଦ୍ରରେ ଡିଜିଟାଲ ଆଦ୍ରତା ମିଟର, ତାରପୋଲିନ, ୱେଟବ୍ରିଜ, ବିଶ୍ଳେଷଣ କିଟ୍ ଆଦି ଯୋଗାଇବା ସହିତ ପ୍ରତୀକ୍ଷା କକ୍ଷ, ଛାଇ, ପାନୀୟଜଳ, ଲାଇଟ, ପାଇଖାନା, ସିସିଟିଭି ଏବଂ ମୂଲ୍ୟ ପ୍ରଦର୍ଶନ ବୋର୍ଡ ଆଦି ସୁବିଧା ଥିବା ମୋଡେଲ ମଣ୍ଡିର ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ କୁହାଯାଇଛି I

ଚାଷୀଙ୍କ ପୂର୍ବ ସମସ୍ୟା ଗୁଡିକର ଆଲୋଚନା ତଥା ପରାମର୍ଶ ଆଧାରରେ ଜିଲ୍ଲାପାଳ ଏବର୍ଷ ଧାନ ସଂଗ୍ରହରେ ସ୍ୱଚ୍ଛତା ଆଣିବା ନିମନ୍ତେ କୌଣସି ମିଲର, ଆରଏମସି ଅଧିକାରୀ ଏବଂ ଯୋଗାଣ ଅଧିକାରୀ ଠକେଇ କଲେ ତୁରନ୍ତ ଥାନାରେ ଏତଲା ଦେବା କିମ୍ବା ଟୋଲ ଫ୍ରି ନଂ-୧୯୬୭ କିମ୍ବା ୦୬୮୬୧-୨୩୦୩୫୯ କିମ୍ବା ୦୬୮୬୧- ୨୯୧୦୫୯ ରେ ଅଭିଯୋଗର ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ I ଭିତ୍ତିଭୂମିର ସୁବିଧା ନିମନ୍ତେ ପ୍ରଶାସନ ତରଫରୁ ମଡେଲ ମଣ୍ଡି ବ୍ୟବସ୍ଥା କରିବା ସହିତ ଚାଷୀଙ୍କୁ ଗ୍ରାମ ପଂଚାୟତ ସ୍ତରରେ ଝୋଟ ବ୍ୟାଗ ଯୋଗାଇବା କିମ୍ବା ଚାଷୀ ଦେଇଥିବା ବ୍ୟାଗର ଉଚିତ ମୂଲ୍ୟ ମିଲର ବହନ କରିବେ ଏବଂ ଏହାର ତଦାରଖ ନିମନ୍ତେ ସ୍ୱତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ । ସେ ମଣ୍ଡି ସ୍ତରରେ ସମସ୍ତ ଚାଷୀ କିଭଳି ସଠିକ ଭାବେ ପଇସା ପାଇବେ ସେ ବ୍ୟବସ୍ଥା କରିବେ ବୋଲି ଜିଲ୍ଲାପାଳ କହିଥିଲେ I

ଧାନ ସଂଗ୍ରହ କାର୍ଯ୍ୟକୁ ସଫଳ କରାଇବା ପାଇଁ ଆର୍ ଏମ ସିର ଅଧ୍ୟକ୍ଷ ମାନଙ୍କୁ ଗାଆଁ ଗାଆଁ ବୁଲି ଚାଷୀ ମାନଙ୍କ ସହିତ ଉତ୍ତମ ଯୋଗାଯୋଗ ରଖିବା ସହ ଧାନର ଏଫଏକ୍ୟୁ ମାନ ବିଷୟରେ ଚାଷୀ ଙ୍କୁ ପୂର୍ବରୁ ସଚେତନ କରିବା , ମଣ୍ଡିକୁ ଧାନ ଆସିବାର ଯଥା ସମୟ ପୂର୍ବରୁ ଚାଷୀ ମାନଙ୍କୁ ଟୋକେନ୍ ଦେବା ବ୍ୟବସ୍ଥା କରିବା, କଳାବଜାରୀ ଭଳି ବେଆଇନ କାର୍ଯ୍ୟଗୁଡିକୁ ରୋକିବା ପାଇଁ ଜିଲ୍ଲାର ସମସ୍ତ ସୀମାରେଖାରେ ପୋଲିସ୍ ମୁତୟନ କରିବା ସହିତ କଡାକଡି ଯାଞ୍ଚ୍ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା I

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ଏବଂ ଉପ ଜିଲ୍ଲାପାଳ ଅଶ୍ନି ଏ ଏଲ ଙ୍କ ସମେତ ଜିଲ୍ଲାର କୃଷକ ପ୍ରତିନିଧି, ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିବା ବେଳେ ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା ବୈଠକ କୁ ପରିଚାଳନା କରିଥିଲେ I

ad-week
Leave A Reply

Your email address will not be published.