
କାଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ସଦର ମହକୁମାରେ ସ୍ୱାସ୍ଥ୍ୟ ସଚେତନତା ଓ ପୋଷଣକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆଇଟିସି ମିଶନ ‘ସୁନହରା କାଲ୍’ ସହଯୋଗରେ ଆଇଜିଡି (IGD) ଏନ୍ଜିଓ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଭିତ୍ତିକ ଓ ସାମାଜିକ ସଂଗଠନର କର୍ମୀମାନେ ଯୋଗ ଦେଇଥିଲେ।
ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଗ୍ରାମାଞ୍ଚଳରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, କିଶୋର ସ୍ୱାସ୍ଥ୍ୟ, ସ୍ୱଚ୍ଛତା ରକ୍ଷା, କୁପୋଷଣ ଏବଂ ରକ୍ତହୀନତା ଦୂରୀକରଣ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ କିଭଳି ପରସ୍ପର ସହ ସମନ୍ୱୟ ରକ୍ଷା କରି ମିଳିତ ଭାବେ ସାମାଜିକ ଉନ୍ନତିରେ ଭାଗିଦାର ହେବେ, ସେନେଇ ରୂପରେଖ ପ୍ରସ୍ତୁତ ହୋଇଥିଲା।
କୁପୋଷଣ ଓ ରକ୍ତହୀନତା ମୁକାବିଲା ପାଇଁ ପ୍ରତ୍ୟେକ ବ୍ୟକ୍ତି ନିଜ ଖାଦ୍ୟ ଥାଳିରେ କ୍ଷୁଦ୍ର ଶସ୍ୟ (Millets) ସାମିଲ କରିବାକୁ ଆହ୍ୱାନ ଦିଆଯାଇଥିଲା। ଏହାସହ ପ୍ରତ୍ୟେକ ପରିବାର ‘ମୋ ବଗିଚା’ ଯୋଜନା ମାଧ୍ୟମରେ ଘରେ ସୁଷମ ଖାଦ୍ୟ ଉତ୍ପାଦନ କରିବା ସହିତ ଆର୍ଥିକ ଭାବେ ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦିଆଯାଇଥିଲା। ଏହି ଲକ୍ଷ୍ୟରେ ଉପସ୍ଥିତ କର୍ମୀମାନଙ୍କୁ ଅମୃତଭଣ୍ଡା, ଲେମ୍ବୁ ଓ ସଜନା ଚାରା ବଣ୍ଟନ କରାଯାଇଥିଲା।
ଆଇଜିଡି ଏନଜିଓର ରାଜ୍ୟ ମୁଖ୍ୟ ଡଃ ମୁକେଶ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କାଲିମେଳା ବ୍ଲକର ଶ୍ୟାମ ସୁନ୍ଦର ନାୟକ, ଓଡ଼ିଶା ଜୀବିକା ମିଶନର ଅଧିକାରୀ ରତନ ଗୋଲଦାର, ସେବା ସଂସ୍ଥାର ସୁରେନ୍ଦ୍ରନାଥ ବାରିକ ଓ ସୃଷ୍ଟି ସଂସ୍ଥାର ଶ୍ରୀନିବାସ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପୂଜା ଚକ୍ରବର୍ତ୍ତୀ, ଗୋବିନ୍ଦ ସରଦାର, ଝିଲି ସିଲ, ନୟାମୀ ଖରା ଓ ଅଭୟ ମଣ୍ଡଲ ପ୍ରମୁଖ ସହଯୋଗ କରିଥିଲେ।