
କୋଟପାଡ଼, ୨୬/୧୧ : ଆଜି କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପବିତ୍ର ‘ସମ୍ବିଧାନ ଦିବସ’ ମହାସମାରୋହରେ ପାଳିତ ହୋଇଯାଇଛି। ଭାରତୀୟ ସମ୍ବିଧାନର ମହତ୍ତ୍ଵ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସମ୍ମାନ ଜଣାଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭକ୍ତବନ୍ଧୁ ଜନାର୍ଦ୍ଧନ ଦଳେଇ ମୁଖ୍ୟ ଭାବେ ଯୋଗଦେଇଥିଲେ। ସେ ସେଠାରେ ଉପସ୍ଥିତ ଥିବା ସମସ୍ତ ସରକାରୀ କର୍ମଚାରୀଙ୍କୁ ସମ୍ବିଧାନ ଦିବସର ଶପଥ ପାଠ କରାଇଥିଲେ। ଦେଶର ସମସ୍ତ ନାଗରିକଙ୍କୁ ନ୍ୟାୟ, ସମାନତା ଓ ସ୍ୱାଧୀନତା ପ୍ରଦାନ କରିବା ସହ ସମ୍ବିଧାନର ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ସୂର୍ଯ୍ୟକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ଏହା ବ୍ୟତୀତ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ସହକାରୀ ଜିଲ୍ଲାପାଳ, ବିଭିନ୍ନ ବିଭାଗୀୟ ଅଧିକାରୀ ଓ ବହୁ ସଂଖ୍ୟାରେ ସରକାରୀ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସମ୍ବିଧାନ ପ୍ରଣେତା ଡଃ ଭୀମରାଓ ଆମ୍ବେଦକରଙ୍କ ସ୍ମୃତିଚାରଣ କରିଥିଲେ।