ମନରେଗା ପ୍ରକଳ୍ପ କାର୍ଯ୍ୟକୁ ମାସକରେ ନିୟମିତ କରିବାକୁ ନିର୍ଦ୍ଦେଶ

youtube

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସଭାଗୃହରେ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଛି।ପଞ୍ଚାୟତ ମାନଙ୍କରେ ରହିଥିବା ଆକାଉଣ୍ଟ କମ୍ ଡାଟା ଏଣ୍ଟ୍ରି ଅପରେଟର (ଏଡିଇଓ), ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ) ଏବଂ ଏନଆରଜିଏସ ବ୍ଲକ ପ୍ରୋଗମ ଅଧିକାରୀ ନିଜ ନିଜ ମଧ୍ୟରେ ସମନ୍ୱୟ ରକ୍ଷାକରି ମନରେଗା ଯୋଜନା ଅନ୍ତର୍ଗତ ଅନିୟମିତ ପ୍ରକଳ୍ପ ଗୁଡ଼ିକୁ ଏକମାସ ମଧ୍ୟରେ ନିୟମିତ କରିବାକୁ ବ୍ଲକ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ ।

ପ୍ରତି ପଞ୍ଚାୟତରେ ଏଡିଇଓ ଓ ପିଇଓ ମାନେ ନିୟମିତ ବାୟୋମେଟ୍ରିକ୍ ପ୍ରଣାଳୀରେ ଡିଜିଟାଲ ଉପସ୍ଥାନ ଦେବା ସହିତ ଡିଜିଟାଲ ଉପସ୍ଥାନକୁ ପିଡିଏଫ୍ ଫର୍ମାଟରେ ପ୍ରତି ମାସର ୨୪ ତାରିଖରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ଏବିଡ଼ିଓ) ଙ୍କ ନିକଟକୁ ପଠାଇବେ ।ଏବିଡ଼ିଓଙ୍କ ସୁପାରିଶ ପରେ ଦରମା ବିଲ ହେବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା। ଦୀର୍ଘଦିନ ଧରି ପଡି ରହିଥିବା ଅନ୍ତୋଦୟ ଗୃହ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ମାନଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଅର୍ଥ ପ୍ରଦାନ ର ବ୍ୟବସ୍ଥା କରାଗଲା ।

ନିର୍ଦ୍ଧାରିତ ସମୟରେ ନିର୍ମାଣ କାର୍ଯ୍ୟ ସାରିଥିବାରୁ ମିଳୁଥିବା ଅତିରିକ୍ତ ପ୍ରୋତ୍ସାହନ ଅର୍ଥ ଏବଂ ମନରେଗା ଯୋଜନାରୁ ମିଳୁଥିବା ଅର୍ଥରୁ ଯେପରି କୌଣସି ହିତାଧିକାରୀ ବଞ୍ଚିତ ନହୁଅନ୍ତି ସେଥିପ୍ରତି ଏଡିଇଓ ଏବଂ ପିଇଓ ମାନଙ୍କୁ ପରାମର୍ଶ ଦିଆଗଲା ।ମନରେଗା ଯୋଜନାରେ ମଞ୍ଜୁର ହୋଇଥିବା ନୂତନ ପ୍ରକଳ୍ପ ଗୁଡ଼ିକୁ ଯଥାଶୀଘ୍ର ଆରମ୍ଭ କରିବା ପାଇଁ ପଞ୍ଚାୟତ ପ୍ରତିନିଧି ମାନଙ୍କର ସହଯୋଗ ଲୋଡ଼ାଯାଇଥିଲା ।ଏବିଡିଓ କବିତା କୁମାରୀ ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ଅରୁନ୍ଧତୀ ପଣ୍ଡା, ରଣପୁର ବିଧାୟକଙ୍କ ପ୍ରତିନିଧି ଲିଙ୍ଗରାଜ ପାତ୍ର, ମନରେଗା ପ୍ରୋଗ୍ରାମ ଅଫିସର ବିଭୁପ୍ରସାଦ ସାଥୁଆ ଏବଂ ଓଡ଼ଗାଁ ବ୍ଲକର ୩୬ ଗ୍ରାମ ପଞ୍ଚାୟତର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ପିଇଓ, ଏଡିଇଓ ମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Leave A Reply

Your email address will not be published.