ମାଥିଲିରେ ‘ମାଲ୍ୟବନ୍ତ ଲୋକ ମହୋତ୍ସବ’ ପାଇଁ ପ୍ରସ୍ତୁତି ଶେଷ: ୩୦ରେ ଶୁଭାରମ୍ଭ, ଡିସେମ୍ବର ୩ରେ ମୁଖ୍ୟ ଉତ୍ସବ

youtube

ମାଥିଲି: ମାଲକାନଗିରି ଜିଲ୍ଲାର ଗଣପର୍ବ ‘ମାଲ୍ୟବନ୍ତ ଲୋକ ମହୋତ୍ସବ’ ପାଇଁ ସମଗ୍ର ଜିଲ୍ଲାରେ ବିଗୁଲ ବାଜି ସାରିଥିବା ବେଳେ ବ୍ଲକ ସ୍ତରରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ଆଜି ମାଥିଲି ବ୍ଲକ ସମ୍ମିଳନୀ କକ୍ଷରେ ମହୋତ୍ସବ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷ ମହେଶ କୁମାର ବାକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ମହୋତ୍ସବକୁ କିପରି ଶାନ୍ତିଶୃଙ୍ଖଳା ଓ ମହାସମାରୋହରେ ପାଳନ କରାଯିବ, ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।
ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ୩୦ ତାରିଖ ଦିନ କୁଟୁଣିପାଲ୍ଲୀ ପଞ୍ଚାୟତର ଅଟାଲଗୁଡା ଗ୍ରାମ ନଦୀ ଘାଟରୁ ବିଧି ମୁତାବକ ପୂଜାର୍ଚ୍ଚନା ପରେ ପବିତ୍ର ଜଳ ସଂଗ୍ରହ କରାଯିବ। ଏକ ବିରାଟ ଶୋଭାଯାତ୍ରାରେ ଗୋଟିଏ ଜଳ କଳସ ଜିଲ୍ଲାସ୍ତରୀୟ ମହୋତ୍ସବ ପାଇଁ ଜିଲ୍ଲା ମୁଖ୍ୟାଳୟକୁ ପଠାଯିବ ଏବଂ ଅନ୍ୟ ଏକ କଳସ ମାଥିଲି ଥାନା ନିକଟସ୍ଥ ମା’ ଭୈରବୀଙ୍କ ମନ୍ଦିରରେ ସ୍ଥାପନ କରାଯିବ।

ପରବର୍ତ୍ତୀ ପର୍ଯ୍ୟାୟରେ, ଡିସେମ୍ବର ୩ ତାରିଖ ଦିନ ମା’ ଭୈରବୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଏକ ବିରାଟ ଶୋଭାଯାତ୍ରା ମାଥିଲି ମିନି ଷ୍ଟାଡିଅମ ପର୍ଯ୍ୟନ୍ତ ଯିବ। ସେଠାରେ ବ୍ଲକ ସ୍ତରୀୟ ମାଲ୍ୟବନ୍ତ ଲୋକ ମହୋତ୍ସବର ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ମହୋତ୍ସବର ମୁଖ୍ୟ ମଞ୍ଚରେ ସ୍ଥାନୀୟ ଆଦିବାସୀ ପାରମ୍ପରିକ ନୃତ୍ୟଗୀତ ସହ ବାହାରୁ ଆସିଥିବା କଳାକାରମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବେ। ଏହାବ୍ୟତୀତ ଶିକ୍ଷା କ୍ଷେତ୍ରରେ ବ୍ଲକ ପାଇଁ ଗୌରବ ଆଣିଥିବା ଯୁବକ ଯୁବତୀ, କ୍ରୀଡ଼ାବିତ୍, ଆଦିବାସୀ କଳା ସଂସ୍କୃତିର ପ୍ରଚାରକ ଏବଂ ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ମଞ୍ଚରେ ସମ୍ମାନିତ କରାଯିବା ନେଇ ପ୍ରସ୍ତାବ ଗୃହୀତ ହୋଇଛି।
ମାଥିଲି ବିଡ଼ିଓ ଏମ. ପ୍ରମୋଦ କୁମାର ବେହେରା ବୈଠକ ପରିଚାଳନା କରିଥିଲେ। ଏଥିରେ ଗତବର୍ଷ ଓଡ଼ିଶା ପ୍ରଶାସନିକ ସେବାରେ କୃତିତ୍ୱ ହାସଲ କରିଥିବା ଭାଗ୍ୟଶ୍ରୀ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜ କୁମାର ପ୍ରଧାନ, ନିର୍ବାହୀ ଯନ୍ତ୍ରୀ ହୃଦୟ ରଞ୍ଜନ ବାଘ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଞ୍ଜୟ କୁମାର ସାମଲ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶିବ ଶଙ୍କର ସାହୁ, ସରପଞ୍ଚ ସଂଘ ସଭାପତି କାନାମ ରାଜୁ ନାୟକ, ପ୍ରେରଣା ମହିଳା ଟ୍ରଷ୍ଟର ସଭାନେତ୍ରୀ ସନ୍ତୋସିନୀ ପାତ୍ର ଏବଂ ସମାଜସେବୀ କୁନାଲ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏମାନଙ୍କ ସହ ସମସ୍ତ ବିଭାଗୀୟ କର୍ମଚାରୀ, ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ସାମ୍ବାଦିକ, ଏବଂ ମିଶନ ଶକ୍ତିର ଏମବିକେମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.