ଋଷିକୁଲ୍ୟା ନଦୀବନ୍ଧ ସୁରକ୍ଷା ନାଁରେ ମହାଦୁର୍ନୀତି: ପଥର ବଦଳରେ ପଡ଼ୁଛି କ୍ରସର ଗୁଣ୍ଡ, ୬ କୋଟି ଟଙ୍କା ପାଣିରେ ପଡ଼ିବା ଆଶଙ୍କା

add-all

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ତଥା ବନ୍ୟାପ୍ରବଣ ଅଞ୍ଚଳ ଭାବେ ପରିଚିତ ଆସିକା ସହରରେ ନଦୀବନ୍ଧ ସୁରକ୍ଷା କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଜଳସମ୍ପଦ ବିଭାଗର ତତ୍ତ୍ୱାବଧାନରେ ଚାଲିଥିବା ଋଷିକୁଲ୍ୟା ନଦୀର ସୁରକ୍ଷା ପାଚେରୀ ଓ ବନ୍ଧ ରାସ୍ତା ନିର୍ମାଣ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରି କୋଟି କୋଟି ଟଙ୍କା ହରିଲୁଟ୍ କରିବାକୁ ଷଡଯନ୍ତ୍ର ଚାଲିଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।
ସୂଚନା ଅନୁଯାୟୀ, ଗତ ସରକାରଙ୍କ ସମୟରେ ୨୦୨୨-୨୩ ଆର୍ଥିକ ବର୍ଷରେ ଋଷିକୁଲ୍ୟା ନଦୀର ବାମ ପାର୍ଶ୍ୱ ସୁରକ୍ଷା ପାଚେରୀ ଏବଂ ନଦୀବନ୍ଧ ରାସ୍ତା ନିର୍ମାଣ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରାୟ ୬ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଥିଲା। ତେବେ ଦୀର୍ଘ ଦିନ ଧରି ଏହି କାମ କଚ୍ଛପ ଗତିରେ ଚାଲିଥିବା ବେଳେ, ବର୍ତ୍ତମାନ ରାଜ୍ୟରେ ସରକାର ବଦଳିବା ପରେ ପୁରୁଣା କାର୍ଯ୍ୟକୁ ନୂଆ ରୂପ ଦେଇ ବିଲ୍ ପାସ୍ କରିବାକୁ ମସୁଧା ଚାଲିଛି। ଅଭିଯୋଗ ହେଉଛି ଯେ, ନଦୀବନ୍ଧ ରାସ୍ତା ନିର୍ମାଣରେ ଉପଯୁକ୍ତ ମେଟାଲ୍ ଓ ମୋରମ ବଦଳରେ କ୍ରସର ଗୁଣ୍ଡ (ଡଷ୍ଟ) ପକାଇ ତାଳିପକା କାମ କରାଯାଉଛି।

ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଏତେ ବଡ଼ ପ୍ରକଳ୍ପ ଚାଲିଥିବା ବେଳେ ତଦାରଖ ପାଇଁ ବିଭାଗୀୟ ଯନ୍ତ୍ରୀ କିମ୍ବା ଉଚ୍ଚପଦସ୍ଥ ଅଧିକାରୀଙ୍କ ଦେଖା ମିଳୁନାହିଁ। ଫଳରେ ଠିକାଦାର ନିଜ ଇଚ୍ଛା ମୁତାବକ ଅତି ନିମ୍ନମାନର କାମ କରି ଚାଲିଛନ୍ତି। ପୂର୍ବରୁ ଫଲ୍‌ସ ବିଲ୍ କରିବାର ସୁଯୋଗ ପାଇନଥିବା କିଛି ଅସାଧୁ ବ୍ୟକ୍ତି ଏବେ ତରବରିଆ ଭାବେ କାମ ସାରି ଟଙ୍କା ଉଠାଇବା ଲକ୍ଷ୍ୟରେ ଥିବା ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି।
ଆସିକା ଭଳି ବନ୍ୟାପ୍ରବଣ ଅଞ୍ଚଳରେ ନଦୀବନ୍ଧର ସ୍ଥାୟୀତ୍ୱ ଅତ୍ୟନ୍ତ ଜରୁରୀ। ଯଦି ଏଭଳି ନିମ୍ନମାନର କାମ ଜାରି ରହେ, ତେବେ ଆଗାମୀ ବନ୍ୟାରେ ଏହା ଧୋଇଯିବା ସହ ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡ଼ିବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ତେଣୁ ତୁରନ୍ତ ଏହି କାର୍ଯ୍ୟର ମାନ ଯାଞ୍ଚ କରିବା ସହ ଭିଜିଲାନ୍ସ ବିଭାଗ ଦ୍ୱାରା ନିରପେକ୍ଷ ତଦନ୍ତ କରାଗଲେ ଠିକାଦାର ଓ ଅସାଧୁ ଅଧିକାରୀଙ୍କ ଅସଲ ମୁଖା ଖୋଲିପାରିବ ବୋଲି ଦାବି ହେଉଛି।

ad-week
Leave A Reply

Your email address will not be published.