
ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ଲୋୱି ଇନିଷ୍ଟିଟ୍ୟୁଟ୍ ‘ଏସିଆ ପାୱାର ଇଣ୍ଡେକ୍ସ-୨୦୨୫’ ଜାରି କରିଛି। ଏହି ରିପୋର୍ଟରେ ଏସିୟାର ସୈନ୍ୟ, ଆର୍ଥିକ ଓ କୂଟନୈତିକ ଶକ୍ତିର ବିଶ୍ଲେଷଣ କରାଯାଇଛି। ରିପୋର୍ଟ ଅନୁସାରେ ବିଶ୍ୱର ଶକ୍ତିଶାଳୀ ଦେଶଙ୍କ ସୂଚୀରେ ଭାରତ ତୃତୀୟ ସ୍ଥାନକୁ ପହଞ୍ଚିଛି। ଏଥିରେ ଏସିଆର ୨୭ ଦେଶଙ୍କ ଶକ୍ତିକୁ ୮ ପ୍ରମୁଖ ଆଧାରରେ ଅଙ୍କା ଯାଇଛି, ଯେଉଁଥିରେ ସୈନ୍ୟ କ୍ଷମତା, ଆର୍ଥିକ ଶକ୍ତି, ପ୍ରତିରକ୍ଷା ନେଟୱାର୍କ, କୂଟନୈତିକ ପ୍ରଭାବ, ସାଂସ୍କୃତିକ ପହଞ୍ଚ, ନମନିୟତା ଓ ଭବିଷ୍ୟତର କ୍ଷମତା ଆଦି ଆକଳନ କରାଯାଇଛି।
ରିପୋର୍ଟ ଅନୁସାରେ ଭାରତ ଏକ ଦୀର୍ଘ ଲମ୍ପ ପ୍ରଦାନ କରି ତୃତୀୟ ସ୍ଥାନ ହାସଲ କରିଛି ଓ ୨ ସୁପର ପାୱାରଙ୍କ ପଛକୁ ମେଜର ପାୱାର ଭାବେ ଉଭା ହୋଇଛି। ରିପୋର୍ଟରେ କୁହାଯାଇଛି ଭାରତ ଦ୍ରୁତ ବିକାଶ କରୁଥିବା ଏକ ଦେଶରେ ପରିଣତ ହୋଇଛି ଓ ୪୦.୦ସ୍କୋର ସହିତ ମେଜର ପାୱାର ଭାବେ ଦୃଢ ଭାବେ ସ୍ଥାପିତ ହୋଇଛି। ଭାରତର ଏହି ପ୍ରଗତି ଆର୍ଥିକ ବିକାଶ, ପ୍ରତିରକ୍ଷା କ୍ଷମତା ଓ ଭବିଷ୍ୟତର ସଂସାଧନ ଶକ୍ତିରେ ପ୍ରୋରିତ ବୋଲି ସ୍ୱୀକାର କରାଯାଇଛି।
ଏହି ରିପୋର୍ଟରେ କେବଳ ଆମେରିକା ଓ ଚୀନକୁ ସୁପର ପାୱାର ଶ୍ରେଣୀରେ ରଖା ଯାଇଛି। ଆମେରିକା ଏବେବି ୧ ନମ୍ବର ହୋଇ ରହିଛି, ହେଲେ ଏହାର ପ୍ରଭାବ ସ୍କୋର ୨୦୧୮ ପରେ ସବୁଠୁ ନିମ୍ନ ସ୍ତରକୁ ପହଞ୍ଚିଛି । ଏଥି ଲାଗି ବିଶେଷଜ୍ଞ ଟ୍ରମ୍ପ ସରକାରଙ୍କ ନୀତିଗୁଡିକ ଦାୟି ବୋଲି କହିଛନ୍ତି। ଚୀନ୍ ଲଗାତାର ଆମେରିକାର ନିକଟତର ହେବାରେ ଲାଗିଛି ଓ ଦୁଇ ଦେଶଙ୍କ ମଧ୍ୟରେ ଅନ୍ତର ଏବେ ନ୍ୟୁନତମ ସ୍ତରରେ ରହିଛି। ସେପଟେ ଋଷିଆ ୨୦୧୯ ପରେ ପ୍ରଥମ ଥର ନିଜ ରାଙ୍କିଙ୍ଗରେ ସୁଧାର ଆଣିଛି। ତେବେ ଏହା ଚୀନ୍ ଓ ଉତ୍ତର କୋରିଆ ସହିତ ରଣନୈତିକ ଭାଗିଦାରୀ ଓ ପ୍ରତିରକ୍ଷା ସମ୍ପର୍କ ବୃଦ୍ଧି ଯୋଗୁ ସମ୍ଭବ ହୋଇଛି।
ଏଣୁ ଅଷ୍ଟ୍ରେଲିଆ ଠାରୁ ଋଷିଆ ନିଜର ପଞ୍ଚମ ସ୍ଥାନ ଫେରସ୍ତ ପାଇଛି। ସେହିପରି ଜାପାନ ଟେକ୍ନୋଲଜି ଓ କୂଟନୈତିକ କ୍ଷମତା ଯୋଗୁ ନିଜ ପ୍ରଭାବରେ ବୃଦ୍ଧି ହାସଲ କରିଛି। ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ଓ ସିଙ୍ଗାପୁର କ୍ଷେତ୍ରିୟ ସନ୍ତୁଳନରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରୁଛନ୍ତି। ଏହି ରିପୋର୍ଟରୁ ଏସିଆ ସମେତ ସାରା ବିଶ୍ୱରେ ଶକ୍ତି ସନ୍ତୁଳନ ଦ୍ରୁତ ବଦଳୁଥିବା ଜଣାପଡିଛି। ଏଥିରୁ ଭାରତ ଆଗାମୀ ବର୍ଷମାନଙ୍କରେ ଆହୁରି ଦୃଢ ଓ ନିର୍ଣ୍ଣାୟକ ବୈଶ୍ୱିକ ଶକ୍ତି ପାଲଟିବାର କ୍ଷମତା ରଖୁଥିବା ଜଣାପଡିଛି।