
ନୂଆଦିଲ୍ଲୀ: ୬ଶହ ଜୀବନ ନେଲାଣି ଭୟଙ୍କର ବାତ୍ୟା ସେନ୍ୟାର । ଓଡ଼ିଶା ଆସିଲାନି ସିନା ଦକ୍ଷିଣ-ପୂର୍ବ ଏସିଆରେ ଭୟଙ୍କର ବିଭୀଷିକା ରଚିଛି ସେନ୍ୟାର । ଇଣ୍ଡୋନେସିଆ, ଥାଇଲାଣ୍ଡ ଓ ମାଲେସିଆରେ ବାତ୍ୟା ପ୍ରଭାବରେ ହୋଇଥିବା ଭୟଙ୍କର ବନ୍ୟା ଓଭୂସ୍ଖଳନରେ ପ୍ରାୟ ୬ଶହ ଲୋକଙ୍କ ଜୀବନ ଯାଇଛି । ଇଣ୍ଡୋନେସିଆ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଭୂସ୍ଖଳନ ଯୋଗୁଁ ଅନେକ ଗାଁ ବିଚ୍ଛିନ୍ନ ହୋଇଯାଇଥିବା ବେଳେ, ମୃତ୍ୟୁ ସଂଖ୍ୟା ୪୪୨ରେ ପହଞ୍ଚିଛି ।
ପ୍ରାୟ ୪ଶହରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି । ୫୯,୬୬୦ ପରିବାର ବାସହରା ହୋଇପଡିଛନ୍ତି । ରାସ୍ତାଘାଟ ଭାଙ୍ଗି ଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ହେଉଛି । ଅନ୍ୟପଟେ ବର୍ଷା ପ୍ରକୋପରୁ ରକ୍ଷା ପାଇଁ କ୍ଲାଉଡ ସିଡିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରପତି । ସେପଟେ ଥାଇଲାଣ୍ଡରେ ବି ତାଣ୍ଡବ ରଚିଛି ସେନ୍ୟାର । ଦକ୍ଷିଣ ଥାଇଲ୍ୟାଣ୍ଡରେ ଏବେଯାଏ ୧୭୦ ଜଣଙ୍କର ମୃତ୍ୟୁ ହୋଇଛି । ମୃତଦେହ ରଖିବା ପାଇଁ ଡାକ୍ତରଖାନାରେ ଜାଗା ଅଭାବରୁ ଫ୍ରିଜ୍ ଥିବା ଟ୍ରକ୍ ବ୍ୟବହାର କରାଯାଉଛି ।
ଛାତ ଉପରେ ଫସି ରହିଥିବା ଲୋକଙ୍କ ପାଖରେ ହେଲିକପ୍ଟର ଯୋଗେ ଖାଦ୍ୟ ପହଞ୍ଚାଯାଉଛି । ବନ୍ୟା ପରିସ୍ଥିତି ଏତେ ଗମ୍ଭୀର ଯେ ୨୦୨୫ ସି-ଗେମ୍ସର ୧୧ଟି କାର୍ଯ୍ୟକ୍ରମକୁ ବ୍ୟାଙ୍କକକୁ ସ୍ଥାନାନ୍ତର କରାଯାଇଛି । ମାଲେସିଆରେ ଯଦିଓ ମୃତ୍ୟୁସଂଖ୍ୟା ଏତେ ଅଧିକ ନୁହେଁ ମାତ୍ର, ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି । ମାଲେସିଆରେ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କର ମୃତ୍ୟୁ ହୋଇଛି । ଉତ୍ତର ମାଲେସିଆର ପରଲିସର ଅଧିକାଂଶ ଅଞ୍ଚଳ ଜଳବନ୍ଦୀ ହୋଇଥିବା ବେଳେ, ୩୪ ହଜାର ଲୋକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବନ୍ୟା ଯୋଗୁଁ ରାସ୍ତାଘାଟ, ବ୍ରିଜ ଏବଂ ଟେଲି ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ଉଦ୍ଧାରକାରୀ ଦଳଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ।